ଖାଉଟିଙ୍କ ଉପରେ ଦରବୃଦ୍ଧିର ବୋଝ : ରାଜ୍ୟରେ ପୁଣି ଉପରମୁହାଁ ହେଲାଣି ଖାଇବା ତେଲ ଦର

0
177

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ,(୦୧/୦୮) : ଖାଉଟିଙ୍କ ଉପରେ ଦରବୃଦ୍ଧିର ବୋଝ ଅନୁଭୂତ ହୋଇଛି । ବିଗତ କିଛି ମାସ ମଧ୍ୟରେ ଅତ୍ୟାବଶକୀୟ ଖାଦ୍ୟଦ୍ରବ୍ୟଗୁଡ଼ିକର ମୂଲ୍ୟବୃଦ୍ଧି ଚିନ୍ତାଜନକ ହୋଇଛି ।

ସୋରିଷତେଲ, ପାମୋଲିନ ତେଲ, ସୂର୍ଯ୍ୟମୁଖୀ ତେଲ ଦରରେ ଗତ ଦେଢ଼ ମାସ ପୂର୍ବରୁ କମିବା ଟ୍ରେଣ୍ଡ ଦେଖାଯାଇଥିଲା । ପୁଣି ଏହା ନିୟମିତ ବୃଦ୍ଧି ପାଉଛି,ଯାହା ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ । ଖୁଚୁରା ବଜାରରେ ଗତ ଏକ ସପ୍ତାହ ମଧ୍ୟରେ ଲିଟର ପ୍ରତି ଏସବୁ ତେଲ ଲିଟର ପ୍ରତି ୩ରୁ ୧୦ଟଙ୍କା ପର୍ଯ୍ୟନ୍ତ ବଢ଼ିଛି ।

ହୋଲସେଲ ମାର୍କେଟରେ ତେଲଦର ସ୍ଥିର ରହିଛି । ପାମୋଲିନ ତେଲ ଗତ କିଛି ଦିନ ତଳେ ଲିଟର ପ୍ରତି ୧୧୫ ଟଙ୍କାକୁ ଖସି ଆସିଥିଲା । ହେଲେ ୫-୬ଦିନ ଭିତରେ ଏହି ଦର ଲିଟରପ୍ରତି ୧୨୫ଟଙ୍କା ହେଲାଣି । ସୋରିଷତେଲ ଲିଟର ପ୍ରତି ୧୫୫ରୁ ୧୫୭ଟଙ୍କା ଥିଲା । ଏବେ ଏହା ୧୬୦ଟଙ୍କା ହୋଇଛି । ସୂର୍ଯ୍ୟମୁଖୀ ତେଲ ଲିଟର ପ୍ରତି ୧୫୦ଟଙ୍କା ରହିଥିଲା ହେଲେ ଏବେ ଏହା ୧୫୫ଟଙ୍କା ହୋଇଯାଇଛି ।

ଗତ ୬ମାସ ରେ ଖାଇବା ତେଲ ଦର ବୃଦ୍ଧି ଚିନ୍ତାଜନକ ରହିଥିଲା । ଏପରିକି ଏହା ସର୍ବୋଚ୍ଚ ୨୦୦ଟଙ୍କା ଲିଟର ଛୁଇଁଥିଲା । ମାଲେସିଆରେ ବିଗତ ୬ମାସ ମଧ୍ୟରେ ପାମୋଲିନ ତେଲ ଉତ୍ପାଦନ କମିଥିବାରୁ ଏହାର ପ୍ରଭାବ ପଡ଼ୁଥିବା କୁହାଯାଉଛି । କଟକ ମାଲଗୋଦାମରେ ଦୈନିକ ପ୍ରାୟ ୫କୋଟିର ଖାଇବା ତେଲ କାରବାର ହୋଇଥାଏ । ଯାହା ଏବେ ୩୦ ପ୍ରତିଶତ କମିଥିବା କହନ୍ତି କଟକ ମାଲଗୋଦାମ ବ୍ୟବସାୟୀ ପ୍ରଫୁଲ୍ଲ ଛାଟୋଇ ।

ଡିଜେଲ ଦର ଅହେତୁକ ଭାବେ ବଢ଼ିଚାଲିବା ପରିବହନ ଖର୍ଚ୍ଚକୁ ଯଥେଷ୍ଟ ବଢ଼ାଇେଦଇଛି । ଲୋଡିଂ ଅନଲୋଡିଂରେ ନିୟୋଜିତ ଶ୍ରମିକଙ୍କ ମଜୁରି ମଧ୍ୟ ପୂର୍ବାପେକ୍ଷା ବଢ଼ିଛି । ନିକଟରେ କେନ୍ଦ୍ର ସରକାର ଆମଦାନୀ କର ୧୦ ପ୍ରତିଶତ କମାଇବା ପରେ ଦର କମିଥିଲା ।

ଏବେ ଏକ ସପ୍ତାହ ଧରି ପୁଣି ବୃଦ୍ଧି ପରିଲକ୍ଷିତ ହୋଇଛି । ବ୍ୟବସାୟୀଙ୍କ କହିବାନୁସାରେ, ତେଲଦର ବଢ଼ିବାର ଆମଦାନୀ ଉପରେ ପ୍ରଭାବ ରହିଛି । କରୋନା ପରଠାରୁ ମାଲଗୋଦାମ ବ୍ୟବସାୟ ୩୦ ପ୍ରତିଶତ ଖସିଆସିଛି ।