ହତ୍ୟାକାଣ୍ଡ ର ପୁରା କାହାଣୀ କହିଲା ଶର୍ମିଷ୍ଠା : ହେଲେ କାହିଁକି ହତ୍ୟା କଲେ କହିଲେନି !

0
140
ହତ୍ୟାକାଣ୍ଡ ର

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୨/୦୪) : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଦୋଷ ସ୍ୱୀକାର କରି ହତ୍ୟାକାଣ୍ଡ ର ପୂରା କାହାଣୀ ବର୍ଣ୍ଣନା କରଛନ୍ତି ।

କିନ୍ତୁ ତଦନ୍ତକାରୀ ସଂସ୍ଥା କ୍ରାଇମ ବ୍ରାଞ୍ଚ ଜାରି କରିଥିବା ପ୍ରେସ ରିଲିଜ ରେ କାହିଁକି ହତ୍ୟା କଲେ ସେ ସମ୍ପର୍କରେ କିଛି ନାହିଁ । ଜଣେ ଅଭିଯୁକ୍ତ ଦୋଷ ମାନିଥିବା ବେଳେ ହତ୍ୟାକାଣ୍ଡ ର ପୁରା କାହାଣୀ କହିଲା ପରେ କାହିଁକି ଏଭଳି କାଣ୍ଡ କଲେ, ତାହା କ’ଣ କହିଲେ ନାହିଁ ? ନା ଏମିତି କିଛି କାରଣ କହିଛନ୍ତି, ଯାହା କ୍ରାଇମ ବ୍ରାଞ୍ଚ କୁ ବି ଅଡ଼ୁଆରେ ପକାଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଜି ଶର୍ମିଷ୍ଠାଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିଥିଲା କ୍ରାଇମ ବ୍ରାଞ୍ଚ । ଡିଏସ୍ପି କଳ୍ପନା ସାହୁଙ୍କ ନେତୃତ୍ୱରେ କ୍ରାଇମ ବ୍ରାଞ୍ଚ ର ଏକ ସ୍ୱତନ୍ତ୍ର ଟିମ୍ ଶର୍ମିଷ୍ଠାଙ୍କୁ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ପଳାସପୁର ଗାଁକୁ ଯାଇଥିଲା । ଫେବ୍ରୁଆରୀ ୬ ତାରିଖରେ ଶର୍ମିଷ୍ଠା ଅନ୍ୟ ଅଭିଯୁକ୍ତମାନଙ୍କ ସହିତ କେଉଁ ରାସ୍ତା ଦେଇ ପଳାସପୁର ଗାଁରେ ରାତିରେ ପହଞ୍ଚିଥିଲେ ଓ ୭ ତାରିଖ ସକାଳ ପର୍ଯ୍ୟନ୍ତ କେଉଁଠି ଅପେକ୍ଷା କରିଥିଲେ ଓ ମାନସଙ୍କୁ କେମିତି ଅପହରଣ କରିଥିଲେ, ତାହା ବର୍ଣ୍ଣନା କରିଥିଲେ ।

ସେହିପରି ଶର୍ମିଷ୍ଠାଙ୍କୁ ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମ ନିଆଯାଇ ସିନ୍ ରିକ୍ରିଏସନ୍ କରାଯାଇଥିଲା । ତା’ପରେ ତାଙ୍କୁ ନୟାଗଡ଼ ସେହି ସ୍ଥାନକୁ ନିଆଯାଇଥିଲା ଯେଉଁଠି ମାନସଙ୍କ ମୃତଦେହକୁ ପୋତା ଯାଇଥିଲା ।

ସୂଚନା ଅନୁଯାୟୀ, ଜେରା ବେଳେ ଶର୍ମିଷ୍ଠା କହିଥିଲେ ଯେ ଫେବ୍ରୁଆରୀ ୭ ତାରିଖରେ ରଞ୍ଜନ ନାଏକ, ଝୁନା ଭୋଇ, ଭାଗ୍ୟଧର ନାୟକ ଓ ନିଲୁ ଓରଫ ବିବେକ ସହିତ ମିଶି ସେ ତାଙ୍କ କାରରେ ମାନସ ସ୍ୱାଇଁଙ୍କୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାସପୁର ରୁ ଅପହରଣ କରିଥିଲେ । ସେମାନେ ମାନସଙ୍କୁ ଭୁବନେଶ୍ୱର ର ଏୟାରଫିଲ୍ମ ଥାନା ଅନ୍ତର୍ଗତ ଦୟାଲ ଆଶ୍ରମକୁ ଆଣିଥିଲେ । ମଧ୍ୟାହ୍ନ ସୁଦ୍ଧା ସେମାନେ ଦୟାଲ ଆଶ୍ରମରେ ପହଞ୍ଚି ଯାଇଥିଲେ । ସେମାନେ ଆଶ୍ରମରେ ମାନସଙ୍କୁ ନିସ୍ତୁକ ପିଟିଥିଲେ । ମାନସ ର ମୃତ୍ୟୁ ହୋଇଯିବା ପରେ ୮ ତାରିଖ ଅପରାହ୍ଣରେ ଶର୍ମିଷ୍ଠାଙ୍କ କାରରେ ମୃତ ଦେହକୁ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳକୁ ନେଇଥିଲେ ।

ସେଠାରେ ସେଦିନ ସନ୍ଧ୍ୟାରେ ମାନସଙ୍କ ମୃତ ଦେହକୁ ପୋତି ଦେଇଥିଲେ । ମୃତ ଦେହକୁ ପୋତି ଦେବା ପରେ ସେମାନେ ଚଣ୍ଡିଖୋଲ ଯାଇ ସେଠାରୁ ଦୁଇ କିଲୋମିଟର ଦୂରରେ ଦଇତାରୀ-ପାରାଦୀପ ଏକ୍ସପ୍ରେସ୍ ହାଇୱେ ପାଖରେ ମୃତ ଦେହକୁ ପୋତିବା ପାଇଁ ଗାତ ଖୋଳିବାକୁ ବ୍ୟବହାର କରାଯାଇଥିବା ଗଇଁତି, ଫାଉଡ଼ା ସହିତ ଏକ ଅଖା ଓ ଶାଢ଼ି ଫୋପାଡ଼ି ଦେଇଥିଲେ । ହତ୍ୟା ପରେ ଝୁନା ଭୋଇଙ୍କ ସହିତ ଶର୍ମିଷ୍ଠା ଭୁବନେଶ୍ୱର ଏକ ନମ୍ୱର ମାର୍କେଟକୁ ଯାଇ ଅଖା, ଗ୍ଲୋବ୍ସ, ସୁତୁଲି କିଣିଥିଲେ । ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ରାଜସୁନାଖଳାରୁ ୧୦ କେଜି ଲୁଣ କିଣିଥିଲେ ।

ସେହିପରି ଶର୍ମିଷ୍ଠାଙ୍କ ସହଯୋଗୀ ଭାଗ୍ୟଧର ନାୟକ ଓ ରଞ୍ଜନ ରାଜସୁନାଖଳାରୁ କୋଦାଳ ଏବଂ ଗଇଁତି କିଣିଥିଲେ । ଏହା ପରେ ମୃତ ଦେହକୁ ପୋତିବା ପାଇଁ ସ୍ଥାନ ସ୍ଥିର କରିଥିଲା । ନିଷ୍ପତ୍ତି ଅନୁସାରେ ଭାଗ୍ୟଧର ନାୟକଙ୍କ ଗାଁ ରଣପୁର ଥାନା ବଧିପାଟଣା ଠାରୁ ଦୁଇ ରୁ ତିନି କିମି ଦୂରରେ ମାନସଙ୍କ ମୃତଦେହ ପୋତି ଦେଇଥିଲେ ।