ଲୋଇସିଂହାର ବିଭିନ୍ନ ଅଞ୍ଚଳରେ ମହାଶିବରାତ୍ରି ପାଳିତ

ଲୋଇସିଂହା (ବିମଳେନ୍ଦୁ ସାହୁ): ଲୋଇସିଂହା ଅଞ୍ଚଳର ବିଭିନ୍ନ ସ୍ଥାନରେ ମହାଶିବରାତ୍ରି ଅବସରରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ହଜାର ହଜାର ଶ୍ରଦ୍ଧାଳୁ ଉପବାସ ପାଳନ ପୂର୍ବକ ରାତ୍ରୀ ଉଜାଗର ରହି ମହାଦେବଙ୍କ ଜଳାଭିଷେକ କରିଥିଲେ । ଯୋଗୀସର୍ଦା ସ୍ଥିତ ଯୋଗେଶ୍ବର ଶୈବପୀଠ ରେ ଭାଗବତ ପାରାୟଣ, ଶିବ ପୁରାଣ ପଠନ, ଶିବ ଯଜ୍ଞ ଏବଂ ୧୬ ପ୍ରହର ନାମଯଜ୍ଞ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ପାଇଁ ଦିନିକିଆ ଅନ୍ନକ୍ଷେତ୍ରର ବ୍ୟବସ୍ଥା କରାଯାଇଥିଲା । ଭାଗବତ ପାରାୟଣରେ ମହେନ୍ଦ୍ର ମିଶ୍ର ବ୍ୟାସ ଥିବାବେଳେ ନିମାଇଁ ପଧାନ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ । ସେହିପରି ଶିବ ପୁରାଣ ପଠନରେ ସୁଯୋଗ ମିଶ୍ର ବ୍ୟାସ ଥିବାବେଳେ ବିରବର ବାରିକ କର୍ତ୍ତା, ନାମଯଜ୍ଞରେ ନକୁଳ ପଧାନ ଏବଂ ଶିବଯଜ୍ଞରେ ରାଧାକାନ୍ତ ମିଶ୍ର ଓ ସଚ୍ଚିଦାନନ୍ଦ ମିଶ୍ର ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ ।

ଏହି ଅବସରରେ ଆୟୋଜିତ ତ୍ରିପୁରାସୁର ଦରବାର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବଲାଙ୍ଗୀର ସାଂସଦ କାଲିକେଶ ନାରାୟଣ ସିଂଦେଓ ଏବଂ ସୋନପୁର ଡ଼ିଏସପି ହେମସାଗର ନନ୍ଦ ଯୋଗଦେଇଥିଲେ । ତ୍ରିପୁରାସୁର ଭୂମିକାରେ ବିଶିଷ୍ଟ ଦୂରଦର୍ଶନ କଳାକାର ବିଜୟ ଦେବତାଙ୍କ ଅଭିନୟ ବେଶ ଉଛକୋଟିର ହୋଇପାରିଥିଲା । ଏଥି ସହିତ ଦୁଇଦିନ ଆୟୋଜିତ ରାଜ୍ୟସ୍ତରୀୟ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତାରେ ବିଭିନ୍ନ ଅଞ୍ଚଳରୁ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଅର୍ଧରାତ୍ରୀ ପରେ ମନ୍ଦିର ଉପରକୁ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ ଗଣ ଉପବାସ ଭଙ୍ଗ କରିଥିଲେ । ସେହିପରି ନିକଟସ୍ଥ ସାନଟୀକା ସ୍ଥିତ ଜଳେଶ୍ବର ମହାଦେବ ମନ୍ଦିର,ବୁର୍ଡାର ସ୍ବପ୍ନେଶ୍ୱର ମହାଦେବ ଏବଂ ସୁଜିଆ ମନ୍ଦିର ରେ ଜାଗର ଯାତ୍ରା ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

Comments are closed.