ରାଜ୍ୟ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି : ଆଉ ୩ ବର୍ଷ ଲାଗି ବଢିଲା ‘କାଳିଆ’ ଅବଧି

0
207
ରାଜ୍ୟ କ୍ୟାବିନେଟ୍ ବୈଠକରେ

ରିପୋର୍ଟ : ଓଡିଶା ନ୍ୟୁଜ୨୪ //
ଭୁବନେଶ୍ୱର, (୨୮/୦୩) : ରାଜ୍ୟ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି । ଅକ୍ଷୟ ତୃତୀୟା ଓ ନୂଆଖାଇରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ୨ ହଜାର ଲେଖାଏଁ ଟଙ୍କା, ୨୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର |

ରାଜ୍ୟ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି । ଆଉ ୩ ବର୍ଷ ଲାଗି ବଢିଲା ‘କାଳିଆ’ ଅବଧି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କାଳିଆ ଯୋଜନାର ଅବଧି ମାର୍ଚ୍ଚ ୩୧ରେ ଶେଷ ହେଉଥିବା ବେଳେ ଏହାକୁ ତିନି ବର୍ଷ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରବିବାର ଦିନ ଏହାକୁ କ୍ୟାବିନେଟ୍ ଅନୁମୋଦନ ମିଳିଥିବା ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି ।Odisha Kaliya Yojana Beneficiaries List ରାଜ୍ୟ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି : ଆଉ ୩ ବର୍ଷ ଲାଗି ବଢିଲା ‘କାଳିଆ’ ଅବଧି

ରବିବାର ପୂର୍ବାହ୍ନରେ କ୍ୟାବିନେଟ ବୈଠକ ବସିଥିବା ବେଳେ ଏଥିରେ ୨୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ବିଧାନସଭା ଚାଲିଥିବାରୁ ସରକାରଙ୍କ ପକ୍ଷରୁ ଏନେଇ ସବିଶେଷ ସୂଚନା ଦିଆଯାଇ ନାହିଁ । ହେଲେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ବର୍ଷକୁ ଦୁଇଟି ପର୍ଯ୍ୟାୟରେ ଚାଷୀଙ୍କୁ କାଳିଆ ସହାୟତା ମିଳିବ । ଅକ୍ଷୟ ତୃତୀୟା ଏବଂ ନୂଆଖାଇରେ ଚାଷୀଙ୍କ ଆକାଉଣ୍ଟକୁ ଦୁଇ ହଜାର ଟଙ୍କା ଲେଖାଏଁ ପଠାଯିବ ।

ସେହିପରି କୋଭିଡରେ ଅନାଥ ହୋଇଥିବା ପିଲାଙ୍କ ଲାଗି ଆଶୀର୍ବାଦ ଯୋଜନା ଲାଗୁ ହୋଇଥିବା ବେଳେ ଏବେ ସେମାନଙ୍କୁ ମାଗଣାରେ ଉଚ୍ଚଶିକ୍ଷା ଓ ଅନ୍ୟାନ୍ୟ ସୁବିଧା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବ ଉପରେ ବି କ୍ୟାବିନେଟ୍ ମୋହର ବାଜିଛି । ଏହାବାଦ୍ ସମ‌ଲେଶ୍ବରୀ ମନ୍ଦିର ଅଞ୍ଚଳରେ ଉନ୍ନତୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ‘ସମଲାଇ’ ପ୍ରକଳ୍ପକୁ ଟର୍ଣ୍ଣକି ପ୍ରକଳ୍ପ ଭାବେ କରିବାକୁ ନିଷ୍ପତ୍ତି ହୋଇଛି ।

ଐତିହ୍ୟ ସହର ପୁରୀରେ ‘ଅବଢ଼ା’ ଯୋଜନାରେ ବେଳାଭୂମି ରାସ୍ତା ର ଉନ୍ନତୀକରଣ ଓ ସମ୍ପ୍ରସାରଣ ସହ ଆଚାର୍ଯ୍ୟ ହରିହର ଛକର ପୁନଃଉନ୍ନତୀକରଣ, ଦିଗବାରେଣୀ ଛକରେ ବହୁତଳ କାର୍‌ ପାର୍କିଂ ବ୍ୟବସ୍ଥା, ଯାତ୍ରିକା ଓ ସିପସରୁବାଲି ନିକଟରେ ପାର୍କିଂ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି । ଭବାନୀପାଟଣାସ୍ଥିତ ନୂଆ ସରକାରୀ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ ନିର୍ମାଣ କରାଯିବ। ଏଥିରେ ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମସ୍ଥଳୀ, ଆହାର କେନ୍ଦ୍ର, ଶବାଗାର, ଇଏସ୍‌ଏସ୍‌, ରାସ୍ତା, ପାଚେରୀ, ଡ୍ରେନ୍, ସୌନ୍ଦର୍ଯ୍ୟୀକରଣ କରାଯିବ । ଏ ସମ୍ପର୍କିତ ଟେଣ୍ଡରକୁ ବି ଅନୁମୋଦନ କରାଯାଇଛି । ଉପରୋକ୍ତ ତିନିଟି ପ୍ରକଳ୍ପ ପୂର୍ତ୍ତ ବିଭାଗ କରିବ ।