ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ହେଲା ଶତ ପ୍ରତିଶତ ଟିକାକାରଣ

0
275

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୩୧/୦୭) : ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ କରାଯାଇଛି । ଜୁଲାଇ ଶେଷ ସୁଦ୍ଧା ଥିବା ଏହି ଟାର୍ଗେଟ ପୂରଣ ହୋଇଛି ବୋଲି ବିଏମସି ପକ୍ଷରୁୁ କୁହାଯାଇଛି ।

ସୂଚନା ଅନୁଯାୟୀ, ରାଜଧାନୀରେ ମୋଟ ୯ ଲକ୍ଷ ୭ ହଜାର ଲୋକଙ୍କୁ ଦୁଇଟି ଡୋଜ ହିସାବରେ ୧୮ ଲକ୍ଷ ୧୪ ହଜାର ଡୋଜ ଦେବାକୁ ଲକ୍ଷ୍ୟ ରହିଥିଲା । ଦେଶର ପ୍ରଥମ ସହର ଭାବେ ଗତକାଲି ସୁଦ୍ଧା ୧୮ ଲକ୍ଷ ୩୫ ହଜାର ୯୦୩ ଡୋଜ ଟିକା ଦିଆଯାଇଛି ବୋଲି ବିଏମସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି । ସେଥିମଧ୍ୟରୁ ୧୦ ଲକ୍ଷ ୫୯ ହଜାର ୭୫୩ ଜଣ ପ୍ରଥମ ଡୋଜ ନେଇସାରିଛନ୍ତି । ଅପରପକ୍ଷରେ ୭ ଲକ୍ଷ ୭୬ ହଜାର ୧୫୦ ଜଣ ଉଭୟ ଡୋଜ ଟିକା ନେଇ ସାରିଛନ୍ତି ।

ତେବେ ଭୁବନେଶ୍ୱରରେ କୋଭକ୍ସିନ ଟିକା ଦିଆଯାଉଥିବା ବେଳେ ଏଠାରେ ଟିକାର ଅଭାବ ନାହିଁ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ମଧ୍ୟ ସମସ୍ତ ଟିକା କେନ୍ଦ୍ର ଖୋଲା ରହିଛି । ଭୁବନେଶ୍ୱର ରାଜଧାନୀ ହୋଇଥିବାରୁ ଏଠାକୁ ଦୈନିକ ବାହାରୁ ଅନେକ ଲୋକ ଆସନ୍ତି । ଟିକା ପାଇଁ କାହାକୁ ମନା କରାଯାଇପାରିବ ନାହିଁ । ଭୁବନେଶ୍ୱରବାସୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଇଛି । ବର୍ତ୍ତମାନ ବାହାରର ଲୋକଙ୍କୁ ମଧ୍ୟ ଟିକା ଦିଆ ଯାଉଛି ବୋଲି ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି ।