ରିପୋର୍ଟ : ରବିଶଙ୍କର ମହାପାତ୍ର //
କୋରାପୁଟ, (୨୪/୩) : ଆଧୁନିକ ୱେଲଡିଂ ସପ୍ ଗୁଡିକର ଦ୍ରୁତ ବିକାଶ ଫଳରେ ପାରମ୍ପରିକ କମାର ମାନେ କ୍ରମଶଃ ସେମାନଙ୍କ ଜୀବିକା ହରାଇ କମାର ଶାଳ ବନ୍ଦ କରି ଚାଲିଛନ୍ତି । ଏପରି ପ୍ରତିକୁଳ ପରିସ୍ଥିତିରେ ସଂଘର୍ଷ କରି ନିଜ ଜୀବନ ଜୀବିକାକୁ ବଞ୍ଚାଇ ରଖିବା ଦିନକୁ ଦିନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡୁଛି ।
କୋରାପୁଟ ଜିଲ୍ଲା କୋରାପୁଟ ବ୍ଲକ ଅନ୍ତର୍ଗତ ଦେବୀଘାଟ ପଞ୍ଚାୟତ ଅନ୍ତର୍ଗତ ଧଉଡାପଦର ଗ୍ରାମ ର ବୃଦ୍ଧ ହରି କମାର ଶେଷରେ ଦୀର୍ଘ ୮ ମାସ ହେଲା କମାର ଶାଳ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ବାର୍ଦ୍ଧକ୍ୟ ର ପ୍ରଭାବରେ ତଥା ଆବଶ୍ୟକ ଚିକିତ୍ସା ଅଭାବରୁ ଦୃଷ୍ଟି ଶକ୍ତି ହ୍ରାସ ହୋଇ ଅନ୍ଧ ପ୍ରାୟ ହୋଇ ଥିବା ବେଳେ ସ୍ତ୍ରୀ ଗୋରି ମଧ୍ୟ ବୟସାଧିକ୍ୟ ଯୋଗୁଁ ଅଣ୍ଟା ନଇଁ ପଡିଛି ।
ପୁଅ ଝିଅ କେହି ନ ଥିବାରୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ବୃଦ୍ଧ କମାର ଦମ୍ପତ୍ତି । ପ୍ରାୟ ୫୦ରୁ ଊର୍ଦ୍ଧ୍ବ ବର୍ଷ ଧରି ଅଞ୍ଚଳବାସୀଙ୍କ କୃଷି ସରଞ୍ଜାମ ଠାରୁ ଆରମ୍ଭ କରି ଘରୋଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା ଦାଆ, କଟୁରୀ, ଟାଙ୍ଗିଆ, ଶାବଳ, ପରିବା କଟା ପନିକି, ଚଟୁ, ଖୁର୍ପୀ ଇତ୍ୟାଦି ତିଆରି କରି ସମସ୍ତଙ୍କୁ ଯୋଗାଇ ଆସୁଥିବା କମାର ଦମ୍ପତ୍ତି ଆଜି ନିଜ ଅସ୍ତିତ୍ୱ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି । କମାର ଶାଳ ର ନିଆଁ ଓ ପାଉଁଶ ପ୍ରଭାବରେ ବୃଦ୍ଧ ହରି କମାରଙ୍କର ଦୃଷ୍ଟି ଶକ୍ତି ହ୍ରାସ ପାଇ ଅନ୍ଧ ପ୍ରାୟ ଅବସ୍ଥା ହୋଇଥିବା ସତ୍ତ୍ୱେ ଗ୍ରାମର ଆଶା କର୍ମୀ କିମ୍ବା ସ୍ବାସ୍ଥ୍ୟ କର୍ମୀଙ୍କର ଏ ଯାଏଁ ସୁ ଦୃଷ୍ଟି ପଡ଼ି ପାରି ନାହିଁ ।
ଅପର ପକ୍ଷରେ ନିଜର ଲୁହା ନିର୍ମିତ ଉପକରଣ ଗୁଡିକର ମରାମତି ପାଇଁ ଅଞ୍ଚଳବାସୀ ଜୟପୁର କୋରାପୁଟ ଭଳି ସହରକୁ ଯାଇ ଉଭୟ ସମୟ ଓ ଅର୍ଥ ଅପଚୟ କରିବାକୁ ବାଧ୍ୟ ହେଉଛନ୍ତି । ସରକାରଙ୍କ ଦ୍ବାରା ସମୟ ସମୟରେ ଆୟୋଜିତ ହେଉଥିବା କୌଣସି ମାଗଣା ଚକ୍ଷୁ ଶିବୀର କିମ୍ବା ମାଗଣା ଡାକ୍ତରୀ ସହାୟତା ତଥା ଚିକିତ୍ସା କରାଗଲେ ଅଞ୍ଚଳବାସୀ ପୁଣି ଥରେ କମାର ଶାଳ ସୁବିଧା ପାଇପାରିବେ ବୋଲି ସାଧାରଣରେ ଦାବି ଜୋର ଧରିଛି ।