ଧରାପଡ଼ିଲେ ପୂର୍ବତନ ୟୁକ୍ରେନୀୟ ସାଂସଦଙ୍କ ପତ୍ନୀ

0
163
ଧରାପଡ଼ିଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କିବ୍‌/ନୂଆଦିଲ୍ଲୀ, (୨୧/୦୩) : ଧରାପଡ଼ିଲେ ପୂର୍ବତନ ୟୁକ୍ରେନୀୟ ସାଂସଦଙ୍କ ପତ୍ନୀ ! କେତୋଟି ସୁଟ୍‌କେସ୍‌ରେ ନଗଦ ୨୮ ନିୟୁତ ଡଲାର୍‌ ଏବଂ ୧.୩ ନିୟୁତ ୟୁରୋ ନେଇ ୟୁକ୍ରେନ୍‌ ର ପୂର୍ବତନ ସାଂସଦ କୋତ୍‌ଭିତ୍‌ସ୍କିଙ୍କ ପତ୍ନୀ ଦେଶ ଛାଡ଼ି ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି ।

ଯୁଦ୍ଧ-ବିକ୍ଷତ ୟୁକ୍ରେନ୍‌ ରୁ ଖସି ପଳାଇବା ଲାଗି ସେ ଜାକାରପାଟିଆ ପ୍ରଦେଶ ଦେଇ ହଙ୍ଗେରିରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । କିନ୍ତୁ, ସୁଟ୍‌କେସ୍‌ ଗୁଡ଼ିକରେ ଥିବା ଅର୍ଥ ସହିତ ସେ ସୀମାନ୍ତରେ ‘ହଙ୍ଗେରୀୟ ସୀମାନ୍ତ ରକ୍ଷୀ’ ଙ୍କ ଦ୍ବାରା ଧରାପଡ଼ିଲେ । ସେଠାରେ ତାଙ୍କୁ ସତକଥା ଘୋଷଣା କରିବାକୁ ବାଧ୍ୟ କରାଯାଇଥିଲା ବୋଲି ଆଜି ସକାଳେ ‘ନେକ୍‌ଷ୍ଟା ମିଡିଆ’ ସଂସ୍ଥାନ ରିପୋର୍ଟ କରିଛି ।

ତେଣେ, ରୁଷ୍‌-ୟୁକ୍ରେନ୍‌ ସଂଘର୍ଷ ତୀବ୍ରତର ହେଉଥିବା ବେଳେ ‘ହ୍ୟୁମାନିଟାରିୟାନ୍‌ କରିଡର୍‌ସ୍‌’ ବାଟେ ସମୁଦାୟ ୭,୨୯୫ ଜଣ ବ୍ୟକ୍ତିଙ୍କୁ ରବିବାର ଦିନ ସ୍ଥାନାନ୍ତରଣ କରାଯାଇଥିବା କଥା ୟୁକ୍ରେନ୍‌ ର ଉପପ୍ରଧାନମନ୍ତ୍ରୀ ଇରିନା ଭେରେସ୍‌ଚୁକ୍‌ କହିଛନ୍ତି । ରୁଷ୍‌ ଅଧିକୃତ ମାରିଉପୋଲ୍‌ ନଗରୀରୁ ଜାପୋରିଝଝିଆ ନଗରୀକୁ ସମୁଦାୟ ୩,୯୮୫ଜଣ ବ୍ୟକ୍ତିଙ୍କୁ ସ୍ଥାନାନ୍ତରଣ କରାଯାଇଛି ଏବଂ ଅଧିକ ଜନସ୍ଥାନାନ୍ତରଣ ଲାଗି ଆଜି ମାରିଉପୋଲ୍‌କୁ ପ୍ରାୟ ୫୦ଟି ବସ୍‌ ପଠାଯିବ ବ‌ୋଲି ସେ କହିଛନ୍ତି ।

ସେହିପରି, ରବିବାର ଦିନ ରୁଷ୍‌ରେ ଯୁଦ୍ଧ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ୯୦୦ ଜନତାଙ୍କୁ ଅଟକ ରଖାଯାଇଛି । ପ୍ରତିବାଦ ପର୍ଯ୍ୟବେକ୍ଷଣକାରୀ ସଂସ୍ଥାନ ‘ଓଡିଭି-ଇମ୍ଫୋ’ ରିପୋର୍ଟ ଅନୁସାରେ, ୩୭ଟି ରୁଷୀୟ ସହରରୁ ୯୩୬ ଜଣ ଲୋକଙ୍କୁ ଅଟକ ରଖାଯାଇଛି ।