Thursday, March 28, 2024

Top 5 This Week

Related Posts

ଆଜି ବିଶ୍ୱ ପଖାଳ ଦିବସ : ବାଲୁକା କଳାରେ ଓଡିଆଙ୍କୁ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୦/୦୩) : ଆଜି ବିଶ୍ୱ ପଖାଳ ଦିବସ । ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଖରାଦିନ ଆସିଗଲେ ଘରେ ଘରେ ପଖାଳ ର ଆଦର ବଢିଯାଏ । ଧୁ ଧୁ ଖରାବେଳେ ପଖାଳ ତୋରାଣୀ ଟିକେ ତୁଣ୍ଡରେ ଲାଗିଗଲେ ଭାରି ଶାନ୍ତି ମିଳେ ।

କୃଷି ପ୍ରଧାନ ଆମ ରାଜ୍ୟରେ ଚାଷୀଭାଇ ବିଲରେ କାମ କଲାବେଳେ ଘରୁ ପହଞ୍ଚି ଯାଏ ପଖାଳ କଂସା । ଖଟିଖିଆ ର ଭାତହାଣ୍ଡିରୁ ମନ୍ଦିର ଏପରିକି ସୌଖିନ ହୋଟେଲ ଯାଏଁ ମେନ୍ୟୁରେ ଏବେ ସ୍ଥାନ ପାଉଛି ପଖାଳ । ତେବେ ଏହି ପଖାଳର ପ୍ରଚାର ପ୍ରସାର ପାଇଁ ୨୦୧୫ ରୁ ମାର୍ଚ୍ଚ ୨୦ ତାରିଖ କୁ ଆଜି ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଇ ଆସୁଛି ।

ଓଡିଶା ର ଖାଦ୍ୟ ପଖାଳ ର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ବିଶ୍ୱ ପଖାଳ ଦିବସ ଅବସରରେ ପ୍ରତ୍ୟେକ ଓଡିଆଙ୍କୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ପୁରୀ ବେଳାଭୂମିରେ ଏଥିପାଇଁ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି । ବାଲିରେ ସେ ପଖାଳ, ବଡି ଚୁରା ଓ ବିଭିନ୍ନ ପ୍ରକାର ଭଜା ର ଅବିକଳ ପ୍ରତିକୃତି ବନାଇଛନ୍ତି । ଯାହା ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଛି ।

ତେବେ ଓଡ଼ିଶା ଓ ଓଡ଼ିିଆଙ୍କ ସହ ପଖାଳର ରହିଛି ସ୍ୱତନ୍ତ୍ର ସମ୍ପର୍କ । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ବି ଏହା ଟଙ୍କ ତୋରାଣି ରୂପରେ ଲାଗି ହୁଏ । ପଖାଳ ଶବ୍ଦଟି ପାଲି ଭାଷା ର ପଖାଳିବା ଶବ୍ଦରୁ ଆସିଛି, ଯାହାର ଅର୍ଥ ହେଉଛି ଧୋଇବା । ଖାଲି ଓଡ଼ିଶା ନୁହେଁ ବରଂ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆସାମରେ ମଧ୍ୟ ପଖାଳର ବେଶ ଚାହିଦା ରହିଛି ।

ସାରା ବିଶ୍ୱରେ ଥିବା ଓଡିଆମାନେ ଆଜିର ଦିନରେ ପଖାଳ ଖାଇ ଏହାକୁ ବେଶ ଆଡମ୍ବରରେ ପାଳନ କରୁଛନ୍ତି । ପଖାଳ ସହିତ ବିଭିନ୍ନ ପାରପମ୍ପରିକ ଓଡିଆ ଖାଦ୍ୟ ମେନ୍ୟୁରେ ସ୍ଥାନ ପାଉଛି । ହୋଟେଲ ଓ ରେଷ୍ଟୁରାଂଟ ଗୁଡିକ ମଧ୍ୟ ଏହି ଦିନରେ ସ୍ୱତନ୍ତ୍ର ପଖାଳ କଂସାକୁ ମେନ୍ୟୁରେ ସ୍ଥାନ ଦେଉଛନ୍ତି ।

Popular Articles