Related Contents

ଲୁପ୍ତପ୍ରାୟ ପାରମ୍ପରିକ ଲୋକବାଦ୍ୟ ଓ କଳା ସଂସ୍କୃତିର ପୁନରୁଦ୍ଧାର ଆବଶ୍ୟକ

ଲୋଇସିଂହା(ବିମଳେନ୍ଦୁ ସାହୁ): ସାମ୍ପ୍ରତିକ ଆଧୁନିକ ସଭ୍ୟତାର କାୟାଜାଳରେ ପୁରାତନ ତଥା ପାରମ୍ପରିକ ଲୋକବାଦ୍ୟ ଓ କଳା ସଂସ୍କୃତି କ୍ରମଶଃ ହଜିଯାଉଛି । ସେଗୁଡିକର ପୁନରୁଦ୍ଧାର ତଥା ଜନମାନସରେ ତାହାକୁ ପୁନର୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ ଲୋଇସିଂହା ବ୍ଲକ ଲୁହୁରାପାଲି ଠାରେ ପାରମ୍ପରିକ ଦୁଲଦୁଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ସ୍ବର୍ଗତ ବାଲାମଣି ନନ୍ଦ ମେମୋରିଆଲ ସ୍ମୃତି କମିଟି ତରଫରୁ ତଥା ସ୍ଥାନୀୟ ଗୋପବନ୍ଧୁ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମାଞ୍ଚଳରୁ ମୋଟ ୭ ଟି ଦଳ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି ଅବସରରେ କଳାକାର ନବୀନ କୁଅଁର ଓ ଶତ୍ରୁଘ୍ନ ଲୁହାରଙ୍କ ଦ୍ୱାରା ପରିବେଷିତ ସମ୍ବଲପୁରୀ ଗୀତ ଉପସ୍ଥିତ ଦର୍ଶକଙ୍କ ମନ ମୋହି ନେଇଥିଲା । ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ସାଂସଦ କାଲିକେଶ ନାରାୟଣ ସିଂଦେଓ ଯୋଗଦେଇ ପାରମ୍ପରିକ ଲୋକବାଦ୍ୟକୁ ଜନ ମାନସରେ ପହଞ୍ଚାଇବାକୁ ସ୍ଥାନୀୟ ଅନୁଷ୍ଠାନର ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ସୋନପୁର ଡ଼ିଏସପି ହେମସାଗର ନନ୍ଦ, ବରଗଡ଼ ବିଡ଼ିଓ ଶରତ ବାଗ, ବିଜେଡି ନେତା ସହଦେଵ ସା, ଗଦାଧର ମିଶ୍ର,ସାଂସଦ ପ୍ରତିନିଧି ବିଜୟ କୁମାର ବାବୁ, ଗାମା ନାଗ, ତରୁଣ ବାଗ, ମୋହନ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଦୁଲଦୁଲି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବାଗଡ଼ିଆ ଦଳକୁ ୧୦ ହଜାର ଟଙ୍କା, ଦ୍ଵିତୀୟ ହୋଇଥିବା କୁଟେନପାଲି ଦଳକୁ ୭ ହଜାର ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କେଉଁଟିପାଲି ଦଳକୁ ୫ ହଜାର ଟଙ୍କା ନଗଦ ଅର୍ଥରାଶି ଦେଇ ସମ୍ଵର୍ଦ୍ଧିତ କରାଯିବା ସହିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଦୁଲଦୁଲି ଦଳକୁ ସାନ୍ତ୍ବନାମୂଲକ ଭାବେ ୨ ହଜାର ଟଙ୍କା ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଅଶୋକ ବାରିକ, ଅଜାମ୍ବିଳ ବାଗ, ଟଂକଧର ସାହୁ ପ୍ରମୁଖଙ୍କ ସମେତ ଗୋପବନ୍ଧୁ କ୍ଲବର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାମ୍ବାଦିକ ମାନଭଞ୍ଜନ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଶୋକ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ

Comments are closed.