ବିଧାୟକ କେବଳ ଛଳନା ଓ ପ୍ରତାରଣା କରୁଛନ୍ତି, ଆଗଲପୁର ବ୍ଲକ କୃଷକ ସଂପର୍କ ମେଳାରେ ହୋ ହାଲ୍ଲା

ଡୁଡୁକା,ବଲାଙ୍ଗୀର (ମାଧବ ସାହୁ): ଆଗଲପୁର(ଡୁଡୁକା)ବ୍ଳକ ବେନ୍ଦ୍ରା ପଞ୍ଚାୟତ ରାମପୁର ଠାରେ ବ୍ଳକ ସ୍ତରୀୟ କୃଷକ ସମ୍ପର୍କ ମେଲା ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା କୃଷି ଅଧିକାରୀ ହିଂମାଂଶୁ ଶେଖର ପାଢୀଙ୍କ ସ୍ୱଭାପତିତ୍ୱରେ ଆୟୋଜିତ ମେଳାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଯୋଗେନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ବିଧାୟକଙ୍କ ପ୍ରତିନିଧି ଆଶିଷ ସିଂଦେଓ, ବ୍ଳକ ବିଜେଡି ସଭାପତି ପ୍ରମୋଦ ମିଶ୍ର, ସରପଞ୍ଚ ତରାସ ସାହୁ, ଆତ୍ମା ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଖମାରୀ, ଉଦ୍ୟାନ ଅଧିକାରୀ ନିହାରିକା ସାହୁ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଦିଲେଶ୍ୱରୀ ବିଶ୍ୱାଳ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଧୁବଲ କିଶୋର ମଲ୍ଲିକ ଯୋଗଦେଇ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ବ୍ଳକ ସହକାରୀ କୃଷି ଅଧିକାରୀ ଚନ୍ଦ୍ର ମୋହନ ଚାନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବ୍ଳକର ସମସ୍ତ ପଞ୍ଚାୟତର କୃଷି ସେବକ, କୃଷକ ସାଥୀ ଯୋଗଦେଇ ସହଯୋଗ କରିଥିଲେ ।

ଅନ୍ୟପକ୍ଷରେ ବିଧାୟକ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ଖୁବଶୀଘ୍ର ରାମପୁର ଆଶ୍ରୟ ବିଦ୍ୟାଳୟରେ ଯୁକ୍ତ ଦୁଇ ମହାବିଦ୍ୟାଳୟ ଖୋଲିବ ବୋଲି ବକ୍ତବ୍ୟ ରଖୁଥିବା ବେଳେ ସ୍ଥାନୀୟ ଜନସାଧାରଣ ଏହାକୁ ବିରୋଧ କରି କହିଥିଲେ ଅନେକ ଥର ଗୁହାରି କରିଥିଲେ ମଧ୍ୟ ପଦକ୍ଷେପ ନେଇନାହାନ୍ତି କେବଳ ଛଳନା ଓ ପ୍ରତରଣା କରୁଛନ୍ତି । ଦୁଇ ବର୍ଷ ତଳେ ପୂର୍ବ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲ ବିହାରୀ ହିମିରିକାଙ୍କୁ ସାକ୍ଷାତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଫଳରେ ଉତ୍ୟକ୍ତ ଲୋକ ବିଧାୟକଙ୍କ କଥାକୁ ସ୍ୱୀକାର କରିପାରି ନ ଥିଲେ ।

ଏପରିକି କାଳିଆ ଯୋଜନାରେ କେତେକ ଚାଷୀ ସୁଫଳ ପାଇଥିବା ବେଳେ ଅନେକ ଚାଷୀ ଟଙ୍କା କେବେ ମିଳିବ ତାକୁ ନେଇ ଅନିଶ୍ଚିତତା ମଧ୍ୟରେ ଥିବା ସହ ଟଙ୍କା ପ୍ରଦାନରେ ସରକାର ଚାଷୀଙ୍କୁ ପାତର ଅନ୍ତର କରୁଥିବା ଚାଷୀ ମାନେ ତୀବ୍ର ସମାଲୋଚନା କରିଥିଲେ । ସେହିପରି ବିଜୁ କୃଷକ କଲ୍ୟାଣ କାର୍ଡ ପାଇ ପାରି ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ।

Comments are closed.