ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା(୧୫/୩) : ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ରାୟଗଡ଼ ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ପୌର ନିର୍ବାଚନ ନିମନ୍ତେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଗତ ସୋମବାର ପ୍ରକାଶ ପାଇଛି ।
ମଙ୍ଗଳବାର ଦିନ ରାୟଗଡ଼ା ବ୍ଲକ୍ ସଦଭାବନା ଗୃହ ଠାରେ ୩୩ ଗୋଟି ପ୍ରିଜାଇଡିଂ, ପ୍ରଥମ ପୋଲିଂ ଅଧିକାରୀ ତଥା ସମସ୍ତ ସେକ୍ଟର ଅଧିକାରୀଙ୍କୁ ପୌର ନିର୍ବାଚନ ନିମନ୍ତେ ତାଲିମ ପ୍ରଦାନ କରାଯାଇ ଅଛି । ନିର୍ବାଚନ ଅଧିକାରୀ ତଥା ଉପ ଜିଲ୍ଲାପାଳ ରାୟଗଡ଼ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସହ ମାଷ୍ଟର ତାଲିମଦାତା ରୂପେ ମୁନିଗୁଡ଼ା ତହସିଲଦା ର ଦେବାଶିଷ ଗୌଡ଼, ରାୟଗଡ଼ା ଅତିରିକ୍ତ ତହସିଲଦାର ସୁନିଲ ଖୋରା ଉପସ୍ଥିତ ଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବ୍ରହ୍ମାନନ୍ଦ ବେହେରା ଯୋଗ ଦେଇ ଇଭିଏମ୍ ମେସିନ ର ବ୍ୟବହାର, ଅଧିକାରୀଙ୍କ ଦାୟିତ୍ୱ ବିଷୟରେ ଆଲୋଚନା କରିଥିଲେ । ପାୱାର ପଏଣ୍ଟ ମାଧ୍ୟମରେ ଭୋଟିଂ ପ୍ରକ୍ରିୟା, ସିଲିଂ ପଦ୍ଧତି ଓ ଫର୍ମ ପୂରଣ କୌଶଳ ପ୍ରଦାନ କରାଯାଇଥିଲା । ପୌର ନିର୍ବାହୀ ଅଧିକାରୀ ବିଲାଲ ଅହମଦ, ତହସିଲଦାର ତାପସ ରାଉତ, ଏସ ଡି ପି ଓ ସୂର୍ଯ୍ୟ ନାରାୟଣ ମହାରଣା, ଚନ୍ଦ୍ରଶେଖର ରଥ, ପି ଏ ଗୋପାଳ ପଣ୍ଡା ପ୍ରମୁଖ ତାଲିମ ପ୍ରଦାନ ରେ ସହଯୋଗ କରିଥିଲେ । ଉକ୍ତ ତାଲିମ ର ରାୟଗଡ଼ ଥାନାରୁ ପୋଲିସ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ ।
ତାଲିମ କୁ ସହଜ ଓ ବୋଧଗମ୍ୟ କରିବା ନିମନ୍ତେ ପାୱାର ପଏଣ୍ଟ ଓ ଇଭିଏମ ମେସିନ ର ବ୍ୟବହାର ପାଇଁ ଦୁଇଟି ସ୍ୱତନ୍ତ୍ର ପ୍ରକୋଷ୍ଠ ରେ ତାଲିମ ର ଆୟୋଜନ କରାଯାଇଥିଲା । ଉପ ଜିଲ୍ଲାପାଳ ଶ୍ରୀ ପ୍ରଧାନ ପୋଲିଂ ଅଧିକାରୀଙ୍କ ଭୂମିକା ଓ ଫର୍ମ ପୂରଣ ବିଷୟରେ ଆଲୋଚନା କରିଥିଲେ ।
ଅତିରିକ୍ତ ତହସିଲଦାର ସୁନିଲ ଖୋରା ଓ ସମ୍ବଳ ଶିକ୍ଷକ ନିଳାଞ୍ଚଳ ମିଶ୍ର ତାଲିମାର୍ଥିଙ୍କୁ ସ୍ୱତନ୍ତ୍ର ଭାବରେ ବାଲଟ ଓ କଣ୍ଟ୍ରୋଲ ୟୁନିଟ କୁ ଯୋଡିବା, ମୋକପୂଲ୍ ପ୍ରକ୍ରିୟା, ସିଲିଂ ଆଦି କୌଶଳ ଆଲୋଚନା କରିଥିଲେ । ବୁଧବାର ଦିନ ଅବଶିଷ୍ଟ ପୋଲିଂ ଅଧିକାରୀଙ୍କ ତାଲିମ ଅନୁଷ୍ଠିତ ହେବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।