Related Contents

ଯବାନଙ୍କ ବଳିଦାନର ବଦଲା ନିଶ୍ଚିତ ବୋଲି ଟ୍ୱିଟ ଜାରି କଲା ସିଆରପିଏଫ

ନୂଆଦିଲ୍ଲୀ (ଓଡିଶା ନ୍ୟୁଜ୨୪): ଜମ୍ମୁ-କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ହମ୍‌ଲାକୁ ନେଇ ସାରା ଦେଶରେ କ୍ରୋଧ ବାତାବରଣ ସୃଷ୍ଟି ହୋଇଛି । ସମସ୍ତେ ଆତଙ୍କବାଦୀ ହମ୍‌ଲାର ବଦଲା ନେବାକୁ ଦାବି କରୁଥିବା ବେଳେ ତା’ଠାରୁ ଅଧିକ ରାଗ ଓ ପ୍ରତିଶୋଧ ନେବାର ଝୁଙ୍କ ସେନା ବାହିନୀ ମଧ୍ୟରେ ସୃଷ୍ଟି ହୋଇଛି ।

ଏଭଳି ସ୍ଥିତିରେ ସିଆରପିଏଫ୍‌ ପକ୍ଷରୁ ଦେଶବାସୀଙ୍କ ପାଇଁ ଏକ ଟ୍ୱିଟରେ ଗୁରୁବାର ୪୦ ସିଆରପିଏଫ୍‌ ଯବାନ ହିଁ ସହିଦ ହୋଇଥିଲେ। ତେଣୁ ଏଭଳି ଜଘନ୍ୟ କାଣ୍ଡର ବଦଲା ନିଶ୍ଚିତ ନିଆଯିବ ବୋଲି ଦର୍ଶାଯାଇଛି | ସିଆରପିଏଫ୍‌ ପକ୍ଷରୁ ଜାରି ଟ୍ୱିଟରେ କୁହାଯାଇଛି ଯେ “ଆମେ ଏ ଘଟଣାକୁ କେବେ ଭୁଲିବୁ ନାହିଁ କିମ୍ବା କାହାକୁ କେବେ ବି କ୍ଷମା ଦେବୁନାହିଁ । ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଆମେ ସଲାମ କରୁଛୁ । ସେମାନଙ୍କ ପରିବାର ସହ ଆମେ ଛିଡ଼ା ହୋଇଛୁ । ଏହି ଜଘନ୍ୟ କାଣ୍ଡର ବଦଲା ଅଲବତ ନିଆଯିବ ।” ଗୁରୁବାର ସହିଦ ହୋଇଥିବା ୪୦ ଯବାନଙ୍କୁ ଆଜି ଶ୍ରୀନଗର ଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହାପରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଯବାନଙ୍କ ପାର୍ଥିବ ଶରୀରକୁ ପ୍ରଥମେ ଦିଲ୍ଲୀ ଅଣାଯାଉଛି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ଦଳୀୟ ନେତା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ଏହାପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଯବାନମାନଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ଘରକୁ ପଠାଯିବ ।

Comments are closed.