ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, (୧୧/୦୩) : ରାୟଗଡ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ରେ ସତର୍କ ରହିବା ଓ ଅଂଶୁଘାତ ପାଇଁ ଏକ ପ୍ରସ୍ତୁତି ବୈଠକ ଭର୍ଚୁଆଲ ମାଧ୍ୟମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଚଳିତ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଗ୍ରୀଷ୍ମ ପ୍ରବାହ ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି ପ୍ରସ୍ତୁତି ହେବା ଆବଶ୍ୟକ ସେ ବିଷୟରେ ଜିଲ୍ଲାର ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଚଳିତ ବର୍ଷର ପ୍ରଥମାର୍ଦ୍ଧରୁ ହିଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ଆଗକୁ ଏହା ଆହୁରି ତୀବ୍ର ରୂପ ନେବାର ଆଶଙ୍କl ରହିଛି । ତେଣୁ ବିଭିନ୍ନ ସମୟରେ ଅଂଶୁଘାତ ହୋଇ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ସ୍ୱାସ୍ଥ୍ୟ ବିଭାଗକୁ ଉପଯୁକ୍ତ ପରିମାଣ ଓଆର୍ଏସ୍ ପ୍ୟାକେଟ ଓ ଔଷଧ ମହଜୁଦ ରଖିବା ସହିତ ସଜାଗ ରହିବାକୁ କୁହାଯାଇଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଏକ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ କରାଯିବା ସହ ଅଂଶୁଘାତ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଆଶୁ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ କୁହାଯାଇଥିଲା । ସେହିପରି ବିଭିନ୍ନ ଗ୍ରାମାଞ୍ଚଳ, ପୌର ପରିଷଦ, ବ୍ଲକ, ଏନ୍ଏସି ପକ୍ଷରୁ ଜଳଛତ୍ର ଖୋଲାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ର ସମସ୍ତ ଗ୍ରାମରେ ଜଳକ୍ଳିଷ୍ଟ ସ୍ଥାନ ଗୁଡିକରେ ପାନୀୟ ଜଳ ବ୍ୟବସ୍ଥା କରାଯିବl ନିମନ୍ତେ ଜିଲା ଗ୍ରାମୀୟ ଜଳଯୋଗାଣ ସଂସ୍ଥାକୁ କୁହାଯାଇଛି । ଖରାପ ନଳକୂଅ ତୁରନ୍ତ ମରାମତି କରିବାକୁ କୁହାଯାଇଛି ।
ସେହିପରି ମଧ୍ୟାହ୍ନ ସମୟରେ ବାହାରେ ବୁଲିବା ବେଳେ ପାଣି ବୋତଲ, ଛତା, ଟୋପି ତଥା ଓଦା କପଡା ଇତ୍ୟାଦି ମୁଠରେ ପକାଇ ଯାତାୟାତ କରିବା ଏବଂ ଏନେଇ ଜିଲ୍ଲା ର ସମସ୍ତ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରାଇବାକୁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ପାଇଁ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ସ୍ବେଛାସେବୀ ଅନୁଷ୍ଠାନ, ପଂଚାୟତ ଜନ ପ୍ରତିନିଧି ମାନଙ୍କୁ ନେଇ ଜନ ସଚେତନତା କରିବା ପାଇଁ କୁହାଯାଇଛି l
ଗ୍ରୀଷ୍ମ ଦିନରେ ବିଶେଷ କରି ପାନୀୟ ଜଳ ସମସ୍ୟା ଯେପରି ନ ଉପୁଜେ, ବିଦ୍ୟୁତ ବିଭ୍ରାଟ ନ ହେବ, ପଶୁମାନଙ୍କ ଯତ୍ନ ନେବା, ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଉଡ୍ ଲାଇନ୍ ଅନୁଯାୟୀ ସକାଳ ସମୟରେ ଖୋଲିବା, ଜୀବନ ରକ୍ଷକ ଔଷଧ ମହୁଜୁଦ ରଖିବା ଶ୍ରମିକମାନଙ୍କ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ସମୟ ସାରଣୀ ପରିବର୍ତ୍ତନ କରିବା, ଜଙ୍ଗଲ ସୁରକ୍ଷା ଇତ୍ୟାଦି ଦୃଷ୍ଟି ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ଯାତ୍ରୀବାହୀ ବସ ଯାତାୟତ କରିବା ସମୟ ଓ ଶ୍ରମିକ ମାନଙ୍କ ସମୟରେ ପରିବର୍ତ୍ତନ କରିବାକୁ କୁହାଯାଇଛି l ବନ୍ୟଜନ୍ତୁନ୍କ ନିମନ୍ତେ ପିଇବା ପାଣି ବ୍ୟବସ୍ଥା କରିବାକୁ ବନ ବିଭାଗ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l
ସେହିପରି ଅଂଶୁଘାତରେ କାହାର ମୃତ୍ୟୁ ହୁଏ ତେବେ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଉପଜିଲ୍ଲାପାଳ ରାୟଗଡ ଓ ଗୁଣପୁର, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ମାନେ ଉପସ୍ଥିତ ଥିଲେ ।