Related Contents

ବସନ୍ତ ପଞ୍ଚମୀରେ ଗୋଷ୍ଠୀ ସଂଘର୍ଷ- ଗୋଟିଏ ପରିବାରର ୫ଜଣ ଗୁରୁତର

ଯାଜପୁର (ଓଡିଶା ନ୍ୟୁଜ୨୪): ବସନ୍ତ ପଞ୍ଚମୀ ମା’ ଶାରଦାଙ୍କ ପୂଜାରେ ଓଡିଶାର ପୁର ପଲ୍ଲୀ ଆଜି ପିଲାଙ୍କ ଠାରୁ ଆରମ୍ଭକରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଆନନ୍ଦିତ ହୋଉଥିବା ବେଳେ ଯାଜପୁର ଜିଲ୍ଲା ବିଂଝାରପୁର ଭଅଁରା ଗ୍ରାମପଞ୍ଚାୟତ ଭୁରୁଙ୍ଗା ଗ୍ରାମରେ ଗୋଟିଏ ପରିବାରରୁ ୫ ଜଣ ଗୋଷ୍ଠୀ ସଂଘର୍ଷରେ ରକ୍ତାକ୍ତ ହୋଇ ଯାଜପୁର ମେଡିକାଲରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି ।

ଆହତଙ୍କ ମଧ୍ୟରୁ ଜଣେ ଗୁରୁତରକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ବିଂଝାରପୁର ଭଅଁରା ପଞ୍ଚାୟତ ଭୁରୁଙ୍ଗା ଗ୍ରାମରେ ଆଜି ସରସ୍ୱତୀ ପୂଜା ସ୍ଥାନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଉଗ୍ର ହେବାରୁ ଗୋଟିଏ ଗୋଷ୍ଠୀର ୫/୬ ଲୋକ ଠେଙ୍ଗା ଓ ଶାବଳରେ ସେହି ଗ୍ରାମର ଗୋବିନ୍ଦ ଚନ୍ଦ୍ର ମଲିକ, ଗୌରାଙ୍ଗ ମଲିକ, ଗିରିଧାରୀ ମଲିକ, ପୁନେଇ ମଲିକ ଓ ଗୀତା ମଲିକଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଥିଲେ । ସେମାନଙ୍କର ମୁଣ୍ଡ, ହାତ, ଗୋଡ ଓ ଛାତିରେ ଗଭୀର ଆଘାତ ହୋଇଛି । ଆଜି ଦିନ ୧୧ଟା ସମୟରେ ଏପରି ଘଟଣା ଘଟିଥିବା ବେଳେ ଆକ୍ରମଣକାରୀ ମାଡ ମାରି ଫେରାର ହୋଇଯାଇଥିଲେ । ଏନେଇ ବିଂଝାରପୁର ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଏହି ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି ।

Comments are closed.