୧୦ ବର୍ଷର ଶିଶୁକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ମଦ୍ୟପ ପଡ଼ୋଶୀ : ଅଭିଯୁକ୍ତ ଗିରଫ

0
164

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି,(୨୯/୦୭) : ସାମାନ୍ୟ କଳହରୁ ଉନ୍ମତ୍ତ କାଣ୍ଡ ଘଟାଇଲା ମଦ୍ୟପ ପଡ଼ୋଶୀ । କ୍ରୋଧ ଚରମ ସୀମାରେ ପହଞ୍ଚିଯିବାରୁ ହିତାହିତ ଜ୍ଞାନ ଭୁଲି ଏକ ୧୦ ବର୍ଷର ନାବାଳକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛି ନର ପିଶାଚ । ମରଣାତ୍ନକ ଆକ୍ରମଣ ଯୋଗୁଁ ନାବାଳକର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ମୃତକ ଶିଶୁ ହେଲେ ଘାସିରାମ ମାଝୀଙ୍କ ୧୦ ବର୍ଷର ପୁଅ ଅନିଲ ମାଝି । ଅନିଲକୁ ବଞ୍ଚାଇବାକୁ ଯାଇଥିବା ତାଙ୍କ ବଡ଼ ଭାଇ ଓ ଅନ୍ୟ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ଏପରି ଅଭାବନୀୟ କାଣ୍ଡ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧୀନ ଥୁଆମୂଳ ଭଟାଗୁଡା ଗ୍ରାମରେ ବୁଧବାର ଅପରାହ୍ନରେ ଘଟିଛି ।

ସୂଚନାଯୋଗ୍ୟ, ଭଟାଗୁଡା ଗ୍ରାମର ଘାସିରାମ ମାଝୀ ଓ ଜୟସିଂ ଜାନୀ (୪୨) ପଡ଼ୋଶୀ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା । ଗତକାଲି ପୁଣି ଥରେ ଉଭୟ ପରିବାର ମଧ୍ୟରେ କଳହ ହୋଇଥିଲା । ଏହା ଉଗ୍ର ରୂପ ଧାରଣ କରିବାରୁ ନିଶାସକ୍ତ ଅବସ୍ଥାରେ ଥିବା ଜୟସିଂ ହାତରେ ଟାଙ୍ଗିଆ ଧରି ଘାସିରାମଙ୍କ ପୁଅ ଅନିଲକୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲା ।

ଅନିଲଙ୍କୁ ବଞ୍ଚାଇବାକୁ ତାଙ୍କ ବଡ଼ ଭାଇ ଦେବାନନ୍ଦ ଚେଷ୍ଟା କରିବାରୁ ଜୟସିଂ ତାଙ୍କୁ ଧନୁତୀରରେ ଆକ୍ରମଣ କରିଥିଲା । ଦେବାନନ୍ଦଙ୍କ ଗୋଡ଼ରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଥୁଆମୂଳ ରାମପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

କେବଳ ସେତିକି ନୁହେଁ, ଜୟସିଂଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିବା ଗ୍ରାମର ବୃଦ୍ଧ ତାମା ଜାନୀଙ୍କୁ ମଧ୍ୟ ସେ ଆକ୍ରମଣ କରିବାକୁ ପଛାଇ ନାହିଁ । ଏଥି ଯୋଗୁଁ ସେ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ଆସିଛି ।

ଅଭିଯୋଗ ପରେ ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛନ୍ତି । ଆଜି ଭବାନୀପାଟଣାରୁ ସାଇଣ୍ଟିଫିକ୍‌ ଟିମ୍ ଭଟାଗୁଡା ଗ୍ରାମରେ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ କରୁଛି ।