Related Contents

ଟ୍ରେନ ମାଲବାହୀ ଗାଡ଼ିରୁ ଇଞ୍ଜିନ ଅଲଗା

ରାୟଗଡା ଜ଼ିଲ୍ଲା ପ୍ରତନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଷ୍ଟେସନଠାରୁ ୫ଶହ ମିଟର ଦୂରରେ ଘଟିଛି ଅଭାବନୀୟ ଘଟଣା। ଗୋଟିଏ ମାଲବାହୀ ଟ୍ରେନ୍‌ର ଗାର୍ଡ ୱାଗନ ଇଞ୍ଜିନରୁ ଅଲଗା ହୋଇଯାଇଛି ।

ରେଳ କର୍ତୃପକ୍ଷ ଅନ୍ୟ ଏକ ଇଞ୍ଜିନ୍ ମାଧ୍ୟମରେ ୱାଗନ୍‌କୁ ଷ୍ଟେସନ ଅଭିମୁଖେ ନେଇ ମାଲବାହୀ ଗାଡିରେ ସଂଯୋଗ କରିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି । ଗତକାଲି ୧୨୦ଟି ୱାଗନକୁ ନେଇ ରାୟଗଡା ଅଭିମୁଖେ ବାହାରିଥିଲା ଡବଲ୍ ଡାଇମଣ୍ଡ ଟ୍ରେନ୍ । ଅନ୍ୟ ମାଲବାହୀ ଟ୍ରେନ୍ ଗୁଡ଼ିକରେ ସାଧାରଣତଃ ୫୦ରୁ ୬୦ଟି ୱାଗନ ରହୁଥିବାବେଳେ ଏହି ଟ୍ରେନ୍‌ରେ ୧୨୦ଟି ୱାଗନ ରହିଥିଲା ।

ଏତେ ସଂଖ୍ୟକ ୱାଗନକୁ ପରିବହନ ପାଇଁ ଟ୍ରେନ୍‌ର ସମ୍ମୁଖ ଭାଗରେ ଦୁଇଟି ଇଞ୍ଜିନ୍ ଓ ମଧ୍ୟ ଭାଗରେ ଆଉ ଦୁଇଟି ଇଞ୍ଜିନ୍ ଲାଗିଥିଲା । ଶେଷରେ ଗାର୍ଡ ୱାଗନ୍‌ ରହିଥିଲା । ଟ୍ରେନ୍‌ଟି ରାୟଗଡା ଷ୍ଟେସନରେ ପହଞ୍ଚିବା ପୂର୍ବରୁ ୫ଶହ ମିଟର ଦୂରରେ ମଝିଘରିଆଣୀ ମନ୍ଦିର ନିକଟରେ ଗାର୍ଡ ୱାଗନ ଟ୍ରେନ୍‌ରୁ ବିଚ୍ଛିନ୍ନ ହୋଇଯାଇଥିଲା । କୌଣସି କାରଣ ବଶତଃ ଟ୍ରେନ୍‌ରୁ ଗାର୍ଡ ୱାଗନ ଅଲଗା ହେବା ପରେ ସଂଗେ ସଂଗେ ଗାର୍ଡ ଏ ସଂପର୍କରେ ଷ୍ଟେସନ ମାଷ୍ଟରଙ୍କୁ ଅବଗତ କରିବା ପରେ ଇଂଜିନିୟର ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ପରେ ତ୍ରୁଟି ସଜଡ଼ା ଯାଇ ଆଉ ଏକ ଇଞ୍ଜିନ୍ ମାଧ୍ୟମରେ ଗାର୍ଡ ୱାଗନକୁ ମାଲବାହୀ ଟ୍ରେନ୍‌ରେ ସଂଯୋଗ କରାଯାଇଥିଲା । ଫଳରେ ରାୟଗଡା-ବିଶାଖାପାଟଣା ରୁଟରେ ଏକ ଘଣ୍ଟା ଧରି ରେଳ ଚଳାଚଳ ବନ୍ଦ ରହିଥିଲା |

Comments are closed.