Related Contents

ଦାଦନ ଖଟିବାକୁ ଯାଇ ୮ବର୍ଷ ହେଲା ସ୍ୱାମୀ ନିଖୋଜ

ଲୋଇସିଂହା (ବିମଳେନ୍ଦୁ ସାହୁ): ପରିବାରକୁ ଆର୍ଥିକ ସଂକଟରୁ ମୁକୁଳାଇବା ପାଇଁ ଅଧିକ ରୋଜଗାର ଆଶାରେ ଦୀର୍ଘ ୮ ବର୍ଷ ହେଲା କାମଧନ୍ଦା ଅନ୍ୱେଷଣରେ ବାହାରକୁ ଯାଇ ଆଉ ଘରକୁ ଫେରି ନାହାନ୍ତି ଗୋବିନ୍ଦ ବାଗ ।

ଲୋଇସିଂହା ବ୍ଲକ ରତାଖଣ୍ଡି ପଂଚାୟତର ଫଳସାମାଲ ଗ୍ରାମ ବାସିନ୍ଦା ଗୋବିନ୍ଦ ବାଗ । ଦୁଇ ପୁଅଙ୍କ ଜନ୍ମ ପରେ ଘରେ ଜନ୍ମ ହୋଇଥିଲେ ଦୁଇ ଜଣ ଯାଆଁଳା ଝିଅ । ପରିବାରରେ ଅଭାବ ଅନାଟନ ଲାଗି ରହିଥିବା ବେଳେ ଦୁଇ ଝିଅଙ୍କ ପାଇଁ ଆବଶ୍ୟକ ହେଲା ଡବା ଦୁଗ୍ଧର । ଫଳରେ ଆର୍ଥିକ ସଙ୍କଟ ଦ୍ବିଗୁଣିତ ହେବା ପରେ ଗୋବିନ୍ଦ ୫ ପ୍ରାଣୀ କୁଟୁମ୍ବକୁ ଘରେ ଛାଡ଼ି ଅଧିକ ରୋଜଗାର ଆଶାରେ ଗତ ୮ବର୍ଷ ତଳେ ଘର ଛାଡିଥିଲେ । ସେହି ଦିନଠାରୁ ଗୋବିନ୍ଦଙ୍କ କୌଣସି ଖୋଜ ଖବର ମିଳି ନ ଥିବା ପତ୍ନୀ ଗୌରୀ କୋହଭରା କଣ୍ଠରେ ପ୍ରକାଶ କରନ୍ତି । ଚାରି ଜଣ ପିଲାଛୁଆଙ୍କୁ ଧରି ଏକ ମାଗଣା ଜାଗାରେ ଚାଲ ଘରେ ଗୌରୀ ଅତି ଦୟନୀୟ ଜୀବନ ଯାପନ କରୁଥିବା ବେଳେ ଅଦ୍ୟାବଧି ପ୍ରଶାସନର କୌଣସି ଦୃଷ୍ଟି ପଡି ନାହିଁ । ଏପରିକି ସରକାରୀ ଆବାସ ଯୋଜନାରେ ଗୌରୀଙ୍କୁ ଘର ଖଣ୍ଡିଏ ମଧ୍ୟ ମିଳି ପାରି ନାହିଁ । ସ୍ୱାମୀ ଗୋବିନ୍ଦ ଏବେ ଜୀବିତ ନା ମୃତ ସେ ନେଇ ଗୌରୀ ସନ୍ଦିହାନ ଅବସ୍ଥାରେ ରହିଛନ୍ତି । ତୁରନ୍ତ ଏହି ପ୍ରଭାବିତ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯିବା ସକାଶେ ସାଧାରଣରେ ଦାବି ହେଉଛି ।

Comments are closed.