ଚୌକିଦାର ଚୋର ଓ ନବୀନ ପଟ୍ଟନାୟକ ରିମୋଟ୍ କଣ୍ଟ୍ରୋଲ- ଭବାନୀପାଟଣାରେ ଏପରି ବର୍ଷିଲେ ରାହୁଲ

ଭବାନୀପାଟଣା (ଓଡ଼ିଶା ନ୍ୟୁଜ୨୪) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଆୟୋଜିତ ସମାବେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ୍‌ ଅଧ୍ୟକ୍ଷ ରାହୁଲ ଗାନ୍ଧି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ “ଚୌକିଦାର (ମୋଦି) ଚୋର । ନବୀନ ପଟ୍ଟନାୟକ ରିମୋଟ୍ କଣ୍ଟ୍ରୋଲ ବୋଲି କହିଛନ୍ତି । ଚୌକିଦାର ଯାହା କହିବେ, ନବୀନ ସେଥିରେ ହଁ ଭରିବେ ।

ଭବାନୀପାଟଣାରେ ରାହୁଲ କହିଛନ୍ତି, “ଆପଣଙ୍କ ଅଞ୍ଚଳକୁ ସବୁ କଂଗ୍ରେସ ପ୍ରଧାନମନ୍ତ୍ରୀ ସବୁବେଳେ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେଇଛନ୍ତି । ଆପଣମାନଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଜରୁରୀ ବୋଲି କଂଗ୍ରେସ ଅନୁଭବ କରିଛି । ନରେନ୍ଦ୍ର ମୋଦି ଏବଂ ନବୀନ ପଟ୍ଟନାୟକ ଆପଣମାନଙ୍କୁ ଅଣଦେଖା କରିଛନ୍ତି। ନରେନ୍ଦ୍ର ମୋଦି ବିଆରଜିଏଫ୍ ପାଣ୍ଠି ହ୍ରାସ କରିଛନ୍ତି। “ଆମେ କହିଥିଲୁ, କଂଗ୍ରେସ ସରକାର ଆସିଲେ କୃଷି ଋଣ ଛାଡ଼ ହେବ । ୧୦ ଦିନ ନୁହେଁ, ୨ ଦିନ ଭିତରେ ୩ଟି ରାଜ୍ୟରେ ଋଣ ଛାଡ଼ କଲୁ । ଛତିଶଗଡ଼ରେ ଧାନ MSP ୨୫୦୦ ମିଳୁଛି । ଓଡ଼ିଶାରେ କଂଗ୍ରେସ ଆସିଲେ ଧାନ କ୍ୱିଣ୍ଟାଲ ୨୬ ଶହ ହେବ” ବୋଲି ରାହୁଲ କହିଛନ୍ତି । “ମନରେଗା ଠାରୁ ବଡ଼ ଯୋଜନା କଂଗ୍ରେସ ଆପଣଙ୍କ ପାଇଁ ରଖିଛି । ଦେଶର ପ୍ରତି ଗରିବ ଲୋକକୁ ସର୍ବନିମ୍ନ ଆୟ ଦେବ କଂଗ୍ରେସ । ସବୁ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯିବ। ମିଛ କହିବାର ସମୟ ଶେଷ ହୋଇଯାଇଛି ।”

Comments are closed.