ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାର‌ କବାଟ ନବୀକରଣ ପ୍ରସଙ୍ଗ: ଭୁଲିଗଲେ କି ରୁପା ଛାଉଣି କଥା ?

0
152
ଶ୍ରୀଲିଙ୍ଗରାଜ ମନ୍ଦିର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଣା ଭୁବନେଶ୍ୱର, (୦୫/୦୩) : ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାର‌ ପାଇଁ ନୂଆ କବାଟ ନିର୍ମାଣ ସରିବା ଉପରେ । ଅତି ବେଶିରେ ଆଉ ଦୁଇ ସପ୍ତାହ ଭିତରେ ନିର୍ମାଣ କାମ ସରିବ । କିନ୍ତୁ ସେଥିରେ ରୁପା ଛାଉଣି ହେବ କି ନାହିଁ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଯଦି ରୁପା ଛାଉଣି ପାଇଁ ତ୍ବରିତ୍ ପଦକ୍ଷେପ ନିଆ ନଯାଏ, ତେବେ ପୁରୁଣା କବାଟରେ ଲାଗିଥିବା ପିତ୍ତଳ ଚଦରରେ ନୂଆ କବାଟକୁ ଛାଉଣି କରାଯାଇ ସିଂହଦ୍ୱାର‌ରେ ଲଗାଇ ଦିଆଯିବ । କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେଣୁ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାର‌ କବାଟରେ ରୁପା ଛାଉଣି କରାଯିବା ପ୍ରସଙ୍ଗ ଏବେ ରାଜ୍ୟ ସରକାରଙ୍କ କୋର୍ଟରେ ବୋଲି କୁହାଯାଇଛି ।

ଏଏସ୍ଆଇ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କ ସୂଚନାନୁସାରେ ଏହି କବାଟ ନବୀକରଣ ପାଇଁ ପୂର୍ବରୁ ହୋଇଥିବା ବୈଠକରେ ସେବାୟତ ମାନେ ରୁପା ଛାଉଣି ପ୍ରସଙ୍ଗ ଉଠାଇ ଥିଲେ । ଏ ନେଇ ସେମାନେ ବିଏମ୍‌ସି କମିସନର ସଂଜୟ ସିଂହଙ୍କୁ ଅନୁରୋଧ କରିଥିଲେ । ୪ ସେବାୟତ ନିଯୋଗ ର ଅନୁରୋଧକ୍ରମେ ବିଏମ୍‌ସି କମିସନର ଶ୍ରୀ ସିଂହ ଏନେଇ ଉଦ୍ୟମ କରିବେ ବୋଲି କଥା ଦେଇଥିଲେ । ମାତ୍ର କବାଟ ତିଆରି ସରିବା ଉପରେ ହୋଇଥିଲେ ବି ରୁପା ଛାଉଣି କଥା ବାବଦରେ କିଛି ସୂଚନା ନାହିଁ ।

ତେଣୁ ୧୫ ଦିନ ଭିତରେ ରୁପା ଛାଉଣି କଥା କିଛି ନହେଲେ, ସେମାନେ ପୁରୁଣା ପିତ୍ତଳ ଚଦର ଛାଉଣି କରି କବାଟ ଝୁଲାଇ ଦେବେ । ଏଏସ୍‌ଆଇ ପକ୍ଷରୁ ନିର୍ମାଣ ହେଉଥିବା ଏହି ନୂଆ କବାଟ ପାଇଁ ବନ ନିଗମରୁ ଶାଗୁଆନ୍‌ କାଠ ଅଣାଯାଇଛି । ୧୫ ଫୁଟ୍‌ ଲମ୍ବ ଓ ୫ ଫୁଟ୍‌ ଚଉଡ଼ା ବିଶିଷ୍ଟ କବାଟରେ ମୋଟ୍ ୮୨ କ୍ୟୁବିକ୍‌ ଫୁଟ୍‌ କାଠ ଲାଗିଛି ।

ସୂଚନା ଥାଉକି, ୧୯୮୦ ମସିହାରେ ସିଂହଦ୍ୱାର‌ କବାଟରେ ପିତ୍ତଳ ଛାଉଣି କରାଯାଇଥିଲା । ଗତ କିଛି ବର୍ଷ ହେଲା କବାଟ ଦୁର୍ବଳ ହୋଇଯିବାରୁ ନୂଆ କବାଟ କରାଯାଉଛି ।