ଯୁଦ୍ଧ ଭିତରେ ଆସିଲା ଆଉ ଏକ ଦୁଃଖଦ ଖବର : ଗୁଳିମାଡ ର ଶିକାର ହେଲେ ଭାରତୀୟ ଛାତ୍ର

0
140
ଯୁଦ୍ଧ ଭିତରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୪/୦୩) : ଋଷ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଭାରତ ପାଇଁ ଆସିଛି ଆଉ ଏକ ଦୁଃଖଦ ଖବର । ଘମାଘୋଟ ଯୁଦ୍ଧ ଭିତରେ ଅଧିକାଂଶ ଲୋକ ରାଜଧାନୀ କିବ ଛାଡୁଥିବା ବେଳେ ଜଣେ ଭାରତୀୟ ଛାତ୍ର ଗୁଳିମାଡ ର ଶିକାର ହୋଇଛନ୍ତି ।

ଆହତ ଭାରତୀୟ ଛାତ୍ରଙ୍କୁ ଚିକିତ୍ସା ପାଇଁ ପୁଣିଥରେ କିବରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ପୋଲାଣ୍ଡରେ ଥିବା କେନ୍ଦ୍ରମନ୍ତ୍ରୀ ବି.କେ ସିଂ । ଯୁଦ୍ଧ ଭୟଙ୍କର ସ୍ଥିତି ଆଡକୁ ଗତି କରୁଥିବାରୁ ଯୁଦ୍ଧ ଭିତରେ ସମସ୍ତ ଭାରତୀୟଙ୍କୁ କିବ ଓ ଖାରକିଭ ଛାଡିବାକୁ ଭାରତ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଥିଲା । କିବ ଓ ଖାରକିଭରୁ ବାହାରି ଆସିବା ପରେ ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତଙ୍କୁ ଉଦ୍ଧାର ପାଇଁ ଅଭିଯାନ ଜାରି ରହିଛି ।

ତେବେ ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଏଯାବତ ୨ ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇ ସାରିଲାଣି । ୧ ମାର୍ଚ୍ଚରେ ୟୁକ୍ରେନ ର ଖାରକିଭରେ ଋଷ ପକ୍ଷରୁ ହୋଇଥିବା ଆକ୍ରମଣରେ କର୍ଣ୍ଣାଟକର ନବୀନ ଶେଖରପ୍ପାଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି ମାର୍ଚ୍ଚ ୨ ତାରିଖରେ ମଧ୍ୟ ୟୁକ୍ରେନରେ ଆଉ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା । ମୃତଜ ଚନ୍ଦନ ଜିନ୍ଦଲ ପଞ୍ଜାବର ବାସିନ୍ଦା ହୋଇଥିବା ବେଳେ ୪ ବର୍ଷ ପୂର୍ବେ ଡାକ୍ତରୀ ପାଠ ପଢିବା ପାଇଁ ୟୁକ୍ରେନ୍ ଯାଇଥିଲେ । ଯୁଦ୍ଧ ଭିତରେ ୨ ଫେବ୍ରୁଆରୀରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ୟୁକ୍ରେନରେ ଫଶିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ ଗଙ୍ଗା ଆରମ୍ଭ କରାଯାଇଛି । ସମସ୍ତ ଭାରତୀୟଙ୍କୁ ୟୁକ୍ରେନ ଛାଡି ପଡୋଶୀ ଦେଶକୁ ଆସିବାକୁ କୁହାଯାଇଛି । ଯାହା ଫଳରେ ସମସ୍ତଙ୍କୁ ଉଦ୍ଧାର କରାଯାଇପାରିବ । ଆଉ ଏହି ଅପରେସନର ତଦାରଖ ପାଇଁ ୪ ଜଣ କେନ୍ଦ୍ର ମନ୍ତ୍ରୀଙ୍କୁ ୟୁକ୍ରେନର ପଡୋଶୀ ଦେଶକୁ ପଠାଯାଇଛି ।