Thursday, March 28, 2024

Top 5 This Week

Related Posts

ଆଜି ବିଶ୍ୱ ମେଦବହୁଳ ଦିବସ : ୨୦୦ କେଜି ଯୁବକ ହେଲେ ୭୪ କେଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୪/୦୩) : ଆଜି ବିଶ୍ୱ ମେଦବହୁଳ ଦିବସ । ୨୦୦ କେଜି ଓଜନରୁ ମୁକ୍ତି ପାଇଲେ ୨୨ ବର୍ଷୀୟ ଯୁବକ । କେବଳ ସେ ଜଣେ ନୁହନ୍ତି ୭ ବର୍ଷ ମଧ୍ୟରେ ଏମ୍ସ ଭୁବନେଶ୍ୱର ରୁ ୧୨ ମହିଳାଙ୍କ ସମେତ ୨୩ ଜଣ ବ୍ୟକ୍ତିଙ୍କୁ ମିଳିଛି ମେଦବହୁଳତା ରୁ ମୁକ୍ତି ।

ଆଜି ବିଶ୍ୱ ମେଦବହୁଳ ଦିବସ । ଘରୋଇ ଡାକ୍ତରଖାନାରେ ଯେଉଁ ଅସ୍ତ୍ରୋପଚାର ପାଇଁ ୪ ରୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ, ଏଠାରେ ସର୍ବାଧିକ ୨୦ ହଜାର ପର୍ଯ୍ୟନ୍ତ ଦେବାକୁ ପଡ଼େ । ବନାରସ, ତେଲେଙ୍ଗାନା, କୋଲକାତା, ରାଞ୍ଚିଠାରୁ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ସ୍ଥାନରୁ ଲୋକ ଆସୁଛନ୍ତି । ମାତ୍ର ଯେଉଁଭଳି ପ୍ରଚାର ପ୍ରସାର ହେବା କଥା ତାହା ହୋଇ ପାରୁ ନଥିବାରୁ ମେଦବହୁଳତା ରୋଗରେ ପୀଡ଼ିତ ଆଭ୍ୟନ୍ତରୀଣ ଓଡ଼ିଶା ର ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ବର୍ଗ ର ଲୋକେ ଏହାର ଲାଭ ଉଠାଇ ପାରୁ ନଥିବା କହିଛନ୍ତି ଏମ୍ସ ସର୍ଜରି ବିଭାଗ ର ଅତିରିକ୍ତ ପ୍ରଫେସର ଡ. ପ୍ରକାଶ ସାସମଲ ।

ଏହି ଅସ୍ତ୍ରୋପଚାର ପରେ କେବଳ ମୋଟାପାରୁ ମୁକ୍ତି ମିଳେ ନାହିଁ ବରଂ ଉଚ୍ଚ ରକ୍ତଚାପ, ନିଦ୍ରାହୀନତା, ମଧୁମେହ, ଗଣ୍ଠିରୋଗ ସମେତ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ର ଲାଘବ ହୋଇଥାଏ ।

୨୦୦ କେଜି ଓଜନ ର ଯୁବକ ପ୍ରଥମ ଥର ପାଇଁ ଯେତେବେଳେ ଏମ୍ସ ଆସିଥିଲେ, ଚାଲି ପାରୁ ନଥିଲେ । ଶଯ୍ୟାଶାୟୀ ଜୀବନ ବିତାଉଥିଲେ । ବସିଗଲେ, ଗୋଡ଼ ଫୁଲି ଅଧ ଲିଟର ପାଣି ବାହାରି ପଡ଼ୁଥିଲା । ଯେଉଁ ସମୟରେ ଆକାଶ ଛୁଇଁବାର ସ୍ବପ୍ନ ଦେଖିବା କଥା, ସ୍ବାଭାବିକ ଜୀବନ ମଧ୍ୟ ବଞ୍ଚି ପାରୁ ନଥିଲେ । କିନ୍ତୁ ଅସ୍ତ୍ରୋପଚାରର ମାତ୍ର ୨ ବର୍ଷ ମଧ୍ୟରେ ଓଜନ ୭୪ କେଜିକୁ ଖସି ଆସିଲାଣି ।

ଆଜି ସେ ନୂତନ ଜୀବନ ପାଇବା ସହ ଚେନ୍ନାଇରେ ଚାକିରି କରୁଛନ୍ତି । ୧୪୮ କେଜି ର ଯୁବତୀ ଅସ୍ତ୍ରୋପଚାର ର କିଛି ବର୍ଷ ପରେ ଆଜି ତାଙ୍କ ଓଜନ ୭୫ କେଜି ହୋଇଛି । ପୂର୍ବରୁ ଓଜନ ଯୋଗୁଁ ବିବାହ ଜନିତ ସମସ୍ୟା ହେଉଥିଲା । କିନ୍ତୁ ବର୍ତ୍ତମାନ ସ୍ବାଭାବିକ ବୈବାହିକ ଜୀବନ ବିତାଉଛନ୍ତି । ୧୬୦ କେଜି ଥିବା ଆଉ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରାଯାଇଛି । ବର୍ତ୍ତମାନ ସେ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ।

ଆସନ୍ତାକାଲି ତାଙ୍କର ଡିସ୍‌ଚାର୍ଜ ହେବ । ୧୮ ରୁ ୬୫ ବର୍ଷ ମଧ୍ୟରେ ବ୍ୟକ୍ତିଙ୍କ ଉଚ୍ଚତା ଓ ଓଜନ ଅନୁସାରେ ଅସ୍ତ୍ରୋପଚାର କରାଯାଏ । କିନ୍ତୁ ଏମ୍ସରେ ୧୬ ବର୍ଷୀୟ ଜଣେ ନାବାଳକଙ୍କ ମେଦବହୁଳତା ସହ ମଧୁମେହ ଏତେ ଥିଲା ଯେ ପ୍ରତିଦିନ ୪୫ ୟୁନିଟ ଇନସୁନିଲ ନେବାକୁ ପଡ଼ୁଥିଲା । ଏଥିଯୋଗୁଁ ତାଙ୍କର ଅସ୍ତ୍ରୋପଚାର ହେଲା । ବର୍ତ୍ତମାନ ସେ ମେଦବହୁଳତା ସହିତ ମଧୁମେହରୁ ମୁକ୍ତି ପାଇଛନ୍ତି । ଡାକ୍ତର ସାସମଲ କହନ୍ତି, ହେପାଟାଇଟିସ ବି’ ରେ ପୀଡ଼ିତ ବ୍ରହ୍ମପୁରର ୭୪ ବର୍ଷୀୟ ଜଣେ ବ୍ୟକ୍ତି ୧୪୫ କେଜି ଥିଲେ ।

ହେପାଟାଇଟିସ ଥିବାରୁ ଏମ୍ସ ଦିଲ୍ଲୀରେ ତାଙ୍କ ଅସ୍ତ୍ରୋପଚାର ପାଇଁ ମନା କରାଗଲା । ସେ ଏମ୍ସ ଭୁବନେଶ୍ବର ଆସିଥିଲେ । ଏଠାରେ ରିସ୍କ ନେଇ ଅସ୍ତ୍ରୋପଚାର କରାଗଲା ଏବଂ ସଫଳତା ମଧ୍ୟ ମିଳିଲା । ଆସନ୍ତାକାଲି ମେଦବହୁଳତା ସମ୍ପର୍କିତ କାର୍ଯ୍ୟକ୍ରମରେ ଏହି ବ୍ୟକ୍ତି ତାଙ୍କ ଅନୁଭୂତି ବାଣ୍ଟିବେ ।

ଅପରପକ୍ଷରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ମେଦବହୁଳତା ସାମ୍ନା କରିବା ଆହୁରି କଷ୍ଟକର ହୋଇପଡ଼େ । ବନାରସ ର ଜଣେ ୫୨ ବର୍ଷୀୟା ମହିଳା ୯୬ କେଜି ଥିବା ସହିତ ମଧୁମେହରେ ପୀଡ଼ିତ ଥିଲେ । ଅସ୍ତ୍ରୋପଚାର ର ଏକ ମାସ ପରେ ମଧୁମେହରୁ ମୁକ୍ତି ପାଇବା ସହିତ ଉଚ୍ଚ ରକ୍ତଚାପ, ଥାଇରଏଡ ନିୟନ୍ତ୍ରିତ ହୋଇଛି ।

ବର୍ତ୍ତମାନ ସେ ୭୦ କେଜି ଅଛନ୍ତି । ଉଚ୍ଚତା ଅନୁସାରେ ଓଜନ ର ହିସାବ ହୁଏ । ବିଏମ୍‌ଆଇ ୨୪ରୁ ଅଧିକ ଥିଲେ ମେଦବହୁଳତା ବୋଲି କୁହାଯାଏ । ବିଏମଆଇ ୩୫ ରୁ ଅଧିକ ହେଲେ ହିଁ ଡାକ୍ତର ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଏ ବୋଲି ଡା. ସାସମଲ କହିଛନ୍ତି । ଏଥିରେ ଅସ୍ତ୍ରୋପଚାର ପରେ ପ୍ରତି ମାସ ୬ ରୁ ୭ କେଜି ହ୍ରାସ ପାଏ ।

ଓଡ଼ିଶାରେ ଏକମାତ୍ର ସରକାରୀ ଡାକ୍ତରଖାନା ଭାବରେ କେବଳ ଏମ୍ସରେ ଏହି ଅସ୍ତ୍ରୋପଚାର ହେଉଛି । ନୂତନ ଏମ୍ସ ମଧ୍ୟରୁ ବି କେବଳ ଭୁବନେଶ୍ବରରେ ଅସ୍ତ୍ରୋପଚାର ହେବା ଏକ ସଫଳତା ବୋଲି କୁହାଯାଇ ପାରିବ । ୨୦୧୫ ମସିହାରୁ ବିଧିବଦ୍ଧ ଭାବରେ ଏହି କାର୍ଯ୍ୟକ୍ରମ କରାଯାଉଛି ।

Popular Articles