ଖାର୍‌କିଭ୍‌ରେ ଗ୍ୟାସ୍‌ ପାଇପ୍‌ଲାଇନ୍‌ ଉଡାଇଲା ରୁଷ

0
155
ଖାର୍‌କିଭ୍‌ରେ ଗ୍ୟାସ୍‌ ପାଇପ୍‌ଲାଇନ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ୟୁକ୍ରେନ/ନୂଆଦିଲ୍ଲୀ, (୨୭/୦୨) : ଦିନକୁ ଦିନ ଭୟଙ୍କର ହୋଇ ଚାଲିଛି ରୁଷ-ୟୁକ୍ରେନ ଯୁଦ୍ଧ । ଚତୁର୍ଥ ଦିନ ପାଇଁ ରୁଷ ଲଗାତର ଭାବରେ ୟୁକ୍ରେନ ଉପରେ ରକେଟ୍‌ ସାଙ୍ଗକୁ ଗୁଳି ମାଡ ବର୍ଷା କରି ଚାଲିଛି । ଖାର୍‌କିଭ୍‌ରେ ଗ୍ୟାସ୍‌ ପାଇପ୍‌ଲାଇନ୍‌ ଉଡାଇଲା ରୁଷ ।

ଧୀରେ ଧୀରେ ୟୁକ୍ରେନ୍‌ର ରାଜଧାନୀ କିଭ୍‌କୁ ଦଖଲ କରିବା ପାଇଁ ଆଗକୁ ବଢ଼ି ଚାଲିଛି ରୁଷ । ଏହାରି ଭିତରେ ଆଜି ରୁଷ ସେନା ୟୁକ୍ରେନ ର ଦ୍ୱିତୀୟ ବୃହତ୍ତମ ସହର ଖାର୍‌କିଭ୍‌ରେ ଗ୍ୟାସ୍‌ ପାଇପ୍‌ଲାଇନ୍‌ ଉଡ଼ାଇ ଦେଇଛନ୍ତି । ସେପଟେ ୟୁକ୍ରେନ ର ରାଜଧାନୀ କିଭ୍‌ ଠାରୁ ମାତ୍ର ୪ କିଲୋମିଟର ଦୂରରେ ରୁଷ ସେନା ରହି ଗୁଳିମାଡ ଜାରି ରଖିଛି । ସେହିପରି ଦକ୍ଷିଣ ପୂର୍ବ ୟୁକ୍ରେନ୍‌ରେ ଥିବା ଏକ ପ୍ରମୁଖ ସହରକୁ ଗତ ରାତିରେ ରୁଷ୍‌ ବାହିନୀ ଅକ୍ତିଆର କରିନେଇଥିବା ଜଣା ପଡିଛି ।

ମେଲିଟୋପଲ୍‌ ସହରକୁ ରୁଷ୍‌ ଅକ୍ତିଆର କରିବା ସହ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ନିଜ ନିୟନ୍ତ୍ରଣକୁ ନେଇଛି । ରୁଷ୍‌ କିଭ୍‌ ସମେତ ୟୁକ୍ରେନ୍‌ ର ସମସ୍ତ ପ୍ରମୁଖ ସହରରେ ମିସାଇଲ୍‌ ଏବଂ ବୋମା ମାଡ଼ ଜାରି ରଖିଛି ଏବଂ ୟୁକ୍ରେନ୍‌ ସେନା ର ସମସ୍ତ ପ୍ରମୁଖ ପ୍ରତିଷ୍ଠାନ କୁ ଧ୍ୱଂସ କରିଥିବା ଦାବି କରିଛି ।

୧୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ମେଲିଟୋପଲ ସହରକୁ ରୁଷ୍‌ ଦଖଲ କରିବା ପରେ ଏହା ସହିତ ୟୁକ୍ରେନ୍‌ ର ସମସ୍ତ ସାମରିକ ଯୋଗାଯୋଗ ବ୍ୟବସ୍ଥାକୁ ନଷ୍ଟ କରିଦେଇଛି । ଅନ୍ୟପକ୍ଷେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଗତ ରାତିରେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଆମେ ଅସ୍ତ୍ର ତ୍ୟାଗ କରିବୁନି । ଆମେ ଦେଶକୁ ସୁରକ୍ଷା ଦେବୁ ।

ସେପଟେ ଆଜି ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ୧୧୮ ସାମରିକ ପ୍ରତିଷ୍ଠାନକୁ ଧ୍ୱସ୍ତ କରି ଦେଇଥିବା ଦାବି କରିଛି । ୟୁକ୍ରେନ୍‌ ସେନାବାହିନୀ ର ୧୩ ଟି କମାଣ୍ଡ୍ ପୋଷ୍ଟ୍‌, ୧୪ ଟି ଏସ୍‌-୩୦୦ ଏବଂ ଓସା ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ ସିଷ୍ଟମ, ୩୬ ଟି ରାଡାର ଷ୍ଟେସନ୍‌କୁ ରୁଷ୍‌ ଅଚଳ କରିଦେଇଛି । ଏଥିସହ ୫ଟି ଯୁଦ୍ଧ ବିମାନ, ‌ଗୋଟିଏ ହେଲିକପ୍ଟର ଏବଂ ୟୁକ୍ରେନ୍‌ର ୫ଟି ଡ୍ରୋନ୍‌କୁ ଖସାଇ ଦେଇଛି ବୋଲି ରୁଷ ଦାବି କରୁଛି ।

ଫେବୃଆରୀ ୨୪ ରୁ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ କ୍ରମାଗତ ଭାବରେ ଚାଲିଛି । ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ରୁଷ ୟୁକ୍ରେନ୍‌ ଉପରେ ଆକ୍ରମଣ ବନ୍ଦ କରୁନାହିଁ । ରୁଷ ବାରମ୍ବାର ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପକାଇ ହାତଟେକି ଦେବାପାଇଁ ରଖିବାକୁ କହୁଛି, କିନ୍ତୁ ୟୁକ୍ରେନ ର ରାଷ୍ଟ୍ରପତି ନିଜ ଜିଦରେ ଅଟଳ । ସେ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରିବାକୁ ରଣ ହୁଙ୍କାର ଦେଇଛନ୍ତି । ଆଜି ଚତୁର୍ଥ ଦିନ ପାଇଁ ରୁଷ ମିସାଇଲ ଏବଂ ରକେଟ୍ ମାଡ କରିବା ଜାରି ରଖିଛି ।