ଗୁଳିକାଣ୍ଡ ରାଜନୀତି ନେଇ ତଦନ୍ତ ଦାବି : ଏତଲା ସତ୍ତ୍ୱେ ପ୍ରଶାସନ ନିରବ ଅଭିଯୋଗ

0
138
ଗୁଳିକାଣ୍ଡ ରାଜନୀତି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୦୯/୦୨) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗୀର ପରସ୍ଥିତି କ୍ରମଶଃ ଉତ୍ତେଜନାପୂର୍ଣ୍ଣ ହୋଇ ଉଠୁଥିବାର ଆଭାସ ମିଳିଛି । ନିର୍ବାଚନ ପୂର୍ବରୁ ଗୁଳିକାଣ୍ଡ ରାଜନୀତି ଦେଖାଗଲାଣି ।

ବଲାଙ୍ଗୀର ରେ ଗୁଳିକାଣ୍ଡ ରାଜନୀତି କୁ ନେଇ ସତମିଛ ତଦନ୍ତ ସାପେକ୍ଷ ଥିବା ତଥା ଏତଲା ଦାୟର ସତ୍ୱେ ପ୍ରଶାସନିକ ଅଧିକାରୀ ମାନେ ନିରଵ ଦ୍ରଷ୍ଟା ସାଜିଥିବା ବେଳେ ଘରୁଡାକି ସରପଞ୍ଚ ସମର୍ଥକଙ୍କୁ ପିସ୍ତଲ ଫୁଟାଇ ହତ୍ୟା ଉଦ୍ୟମ ଏତଲା କୁ ନେଇ ସମ୍ପୂର୍ଣ୍ଣ ଅବହେଳା ସ୍ପଷ୍ଟ ପ୍ରମାଣିତ ହୋଇଛି । ଗତ ୬ ତାରିଖ ରାତି ପ୍ରାୟ ୧୨ ଟା ବେଳେ ବଲାଙ୍ଗୀର ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୧ କିମି ଦୂର ବୈଦିପାଲି ପଞ୍ଚାୟତ ର ବୈଦିପାଲି ଗ୍ରାମରେ ଜଣେ ବିଜେଡି ଯୁବ ନେତାଙ୍କୁ ୨ ଜଣ ମୁହଁଢଙ୍କା ଯୁବକ ଏକ ବାଇକ୍ ରେ ଆସି ଘରୁ ଡାକି ଏକ ଦେଶୀ ପିସ୍ତଲରେ ଏକ ରାଉଣ୍ଡ୍ ଗୁଳି ମାରି ହତ୍ୟା ଉଦ୍ୟମ କରି ବିଫଳ ହୋଇ ପଳାଇଥିବା ବଲାଙ୍ଗୀର ସଦର ଥାନାରେ ସମ୍ପୃକ୍ତ ସନ୍ତୋଷ ସାହୁଙ୍କ ପକ୍ଷରୁ ଲିଖିତ ଏତଲା କରାଯାଇଛି ।

ଏହି ଅଭିଯୋଗ କ୍ରମେ ଥାନା କେସ୍ ନ୦ ୭୧/୨୦୨୨ ତା ୭/୨/୨୦୨୨ ରେ ଏକ ମାମଲା ଋଜୁ କରାଯାଇଛି । ପୁଲିସ୍ ଉକ୍ତ ଗ୍ରାମ କୁ ଯାଇ ତଦନ୍ତ ଆରମ୍ଭ କରିଥିଲେ ହେଁ, ଅଦ୍ୟାବଧି ଏଭଳି ସମ୍ବେଦନଶୀଳ ଅଭିଯୋଗ ସତ୍ତ୍ୱେ ମାତ୍ର ୧୧ କିମି ଦୂରସ୍ଥ ଗ୍ରାମକୁ ଏସ୍ ପି କିମ୍ବା ନିର୍ବାଚନ ଅଧିକାରୀ ଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାଯାଇ ନାହିଁ । ସେହିପରି ବଣ ଜଙ୍ଗଲ ଘେରା ଏହି ଅସୁରକ୍ଷିତ ଛୋଟ ଗ୍ରାମ ର ଏଭଳି ଅଭିଯୋଗକାରୀଙ୍କୁ ସେ ମାଗିଥିବା ସତ୍ତ୍ୱେ କୌଣସି ସୁରକ୍ଷା ଯୋଗାଇ ଦିଆଯାଇ ନାହିଁ । ଅବଶ୍ୟ ଏଭଳି ଘଟଣା ର ଅଭିଯୋଗ ପରେ ଉକ୍ତ ଗ୍ରାମରେ ସେଭଳି ଭୟ ର ବାତାବରଣ ନାହିଁ କିମ୍ବା ଅଭିଯୋଗକାରୀ ଭୟଭୀତ ରହିବା ଭଳି ଜଣାପଡୁନାହିଁ ।

ଆଜି ବଲାଙ୍ଗୀର ରୁ ଯାଇ ଆମେ ଅଭିଯୋଗକାରୀ ସନ୍ତୋଷ ସାହୁଙ୍କୁ ସେ ତାଙ୍କ ରାସ୍ତା ପାର୍ଶ୍ୱସ୍ଥ ଘର ବାରଣ୍ଡାରେ ବେଫିକର ଭାବରେ ଚୌକି ପକାଇ ଏକା ବସିଥିବା ବେଳେ ତାଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ପଚାରିଥିଲୁଁ । ତାଙ୍କ ଠାରୁ ପ୍ରକାଶ ଯେ ସେ ଉକ୍ତଦିନ ରାତିରେ ରାତିପ୍ରାୟ ୧୦ ଟା ଯାଏଁ ନିକଟସ୍ଥ ପ୍ରତାପ ରୁଦ୍ରପୁର ରୁ ନିର୍ବାଚନ ପ୍ରଚାର ସାରି ଘରକୁ ଫେରିଥିବା ଓ ରାତି ୧୧:୫୫ ଟା ସମୟରେ ବାହାରୁ କେହି ତାଙ୍କୁ ‘ ସାହୁ ବାବୁ ! ସାହୁ ବାବୁ ! ‘ ବୋଲି ୧୦ / ୧୫ ଡାକ ଡାକିଲା ପରେ ପ୍ରାୟତଃ ସେ ସବୁବେଳେ ଜଣେ ସମାଜସେବୀ ଭାବେ ଲୋକଙ୍କୁ ସାହାଯ୍ୟ କରିଆସୁଥିବାରୁ କାହାର କ’ଣ କାମ ଥାଇପାରେ ଭାବି ବାହାରକୁ ବାହାରିଥିଲେ ।

ସେ ଘର ର ମୁଖ୍ୟଦ୍ଵାର ଦେଇ ନ ବାହାରି ପାର୍ଶ୍ଵ ର ଛୋଟାଦ୍ୱାର ଦେଇ ବାହାରିବା ଦେଖି ମୁଖ୍ୟଦ୍ଵାର ପାଖରେ ଠିଆ ହୋଇଥିବା ଜଣେ ମୁହଁ ଢାଙ୍କିଥିବା ଯୁବକ ହଠାତ୍ ଏକ ପିସ୍ତଲରେ ତାଙ୍କ ଉପରକୁ ଗୋଟିଏ ଗୁଳି ଫୁଟାଇଥିଲା । ସେ ଅକସ୍ମାତ୍ ଅଘଟଣ ଆଶଙ୍କା କରି ତଳେ ଝୁଙ୍କି ବସି ପଡିବାରୁ ଗୁଳିଟି ସୌଭାଗ୍ୟବଶତଃ ତାଙ୍କୁ ନ ବାଜି ତାଙ୍କ ମୁଣ୍ଡ ଉପରଦେଇ ଚାଲି ଯାଇଥିବା ସେ ପ୍ରକାଶ କରିଛନ୍ତି । ତା’ପରେ ସେ ପାଟି କରିବାରୁ ଆଖପାଖ ର ଲୋକେ ଉଠିପଡି ଆସିଥିଲେ ଓ ସେମାନେ ଗୁଳି ଶବ୍ଦ ଶୁଣିଥିବା ସହ ଦୁଇଜଣ ଏକ ପଲସର୍ ପରି ଲାଗୁଥିବା ବାଇକ୍ ରେ ବରଗାଁ ପଟକୁ ପଳାଇଥିବା କହିଛନ୍ତି । ଏହା ସେ ପରଦିନ ସଦର ଥାନାରେ ଏତଲାରେ ଲେଖିଛନ୍ତି ।

ସେମାନେ କିଏ ଓ କାହିଁକି ତାଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ କଲେ ବୋଲି ପଚାରିବାରୁ ସେମାନଙ୍କୁ ସେ ଶୀତଦିନ ର ମୁଖା ପରି ମାସ୍କ, କ୍ୟାପ୍ ଆଦି ମୁହଁରେ ଢାଙ୍କି ଥିବାରୁ ଚିହ୍ନିପାରି ନଥିବା ଓ ଏହା ରାଜନୈତିକ ଶତ୍ରୁତା ବୋଲି ଆଶଙ୍କା କରୁଥିବା କହିଛନ୍ତି ।

ଏବେ ସେଠାରେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କର ଏକା ସାଙ୍ଗରେ ନିର୍ବାଚନ ହେଉଥିବାରୁ କେଉଁ ପଦ ର ପ୍ରାର୍ଥୀଙ୍କ ପକ୍ଷରୁ ଏଭଳି ଆଶଙ୍କା କରୁଛନ୍ତି ଓ ତାଙ୍କୁ ମାରିଦେଲେ କାହାର ଫାଇଦା ହେବ ? ‘ ଏହାର ଉତ୍ତରରେ ସେ ଏହି ତିନି ପଦ ର ପ୍ରାର୍ଥୀ ହେଇପାରନ୍ତି, ତେବେ ତାଙ୍କ ସମର୍ଥିତା ସରପଞ୍ଚ ପ୍ରାର୍ଥିନୀଙ୍କ ପ୍ରତିଦ୍ୱନ୍ଦୀ ପ୍ରାର୍ଥିନୀଙ୍କ ଆଡକୁ ଅଧିକ ସନ୍ଦେହ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ , ବୈଦିପାଲି ପଞ୍ଚାୟତର ଅଣସଂରକ୍ଷିତ ମହିଳା ଆସନରେ ମୋଟ ୨ ଜଣ ପ୍ରାର୍ଥିନୀ ନିର୍ବାଚନ ରଣାଙ୍ଗନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେମାନେ ହେଲେ ବିଜେଡି ସମର୍ଥିତା କୁହାଯାଉଥିବା କାଲିଝରନ ର ‘ ମାଛ ‘ ଚିହ୍ନରେ ଲଢୁଥିବା ସୁଜାତା ରାଉତ ଏବଂ କଂଗ୍ରେସ ସମର୍ଥିତା କୁହାଯାଉଥିବା ବରଗାଁ ର ‘ ଖୋଲାବହି ‘ ଚିହ୍ନରେ ଲଢୁଥିବା ଆନନ୍ଦିନୀ ବିଶି । ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ବରଗାଁ ପ୍ରାର୍ଥିନୀଙ୍କ ସ୍ୱାମୀ ଜଣେ ପୁଲିସ୍ ବଳ କର୍ମଚାରୀ ଓ ତାଙ୍କର କେତେକ ସହକର୍ମୀ ବନ୍ଧୁଙ୍କର ମିଳିତ ସହଯୋଗ ତାଙ୍କ ପଛରେ ରହିଛି । ତେବେ ସେଭଳି କୌଣସି ଅଭିଯୋଗକୁ ଉକ୍ତ ପକ୍ଷରୁ ଅସ୍ୱୀକାର କରାଯାଉଛି ।

ଦ୍ୱିତୀୟତଃ ଏହି ପଞ୍ଚାୟତ ସମିତି ର ସମିତି ସଭ୍ୟ ଆସନରେ ତିନିଜଣଙ୍କ ମଧ୍ୟରେ ବିଜେଡି ସମର୍ଥିତ ବା କର୍ମୀ କୁହାଯାଉଥିବା ପଳେଶ୍ଵର ଭୋଇ, କାଲିଝରନ ର ସ୍ୱାଧୀନ ପ୍ରାର୍ଥୀ କହୁଥିବା ସେବକ ଧରୁଆ ଓ ବରଗାଁ ର କଂଗ୍ରେସ ସମର୍ଥନରେ କୁହାଯାଉଥିବା କିଶୋର ନାଗ ପ୍ରମୁଖ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିପରି ଏସ୍ ସି ମହିଳା ଜିଲ୍ଲା ପରିଷଦ ସଂରକ୍ଷିତ ଆସନରେ ବିଜେଡି ର ମାଧିଆପାଲି ର ଝିଅ ସଙ୍ଗୀତା ସୁନା ଓ ଅନ୍ୟ ଦୁଇଜଣ ଖୁଜେନପାଲି ଓ ମହୀମୁଣ୍ଡା ର ଭିନ୍ନ ଭିନ୍ନ ଦଳ ର ସମର୍ଥିତା ପ୍ରାର୍ଥିନୀଙ୍କ ନାମ ଜାଣିନାହିଁ ବୋଲି ସେ କହିଛନ୍ତି ।

ସେ ଯାହାହେଉନା କାହିଁକି, ପୁଲିସ୍ ଘଟଣାସ୍ଥଳରୁ କୌଣସି ଗୁଳି ର ଖୋକା ଇତ୍ୟାଦି ପାଇପାରି ନାହିଁ କିମ୍ବା ଅଭିଯୋଗକାରୀ ସନ୍ଦେହ କରୁଥିବା ପ୍ରତିପକ୍ଷକୁ ପଚରାଉଚୁରା କରିଥିବା ଜଣାଯାଇ ନାହିଁ ।

ବଲାଙ୍ଗୀରରେ ଗୁଳି ରାଜନୀତି ସତମିଛ ତଦନ୍ତ ସାପେକ୍ଷ, ଘରୁଡାକି ସରପଞ୍ଚ ସମର୍ଥକ ଙ୍କୁ ପିସ୍ତଲ ଫୁଟାଇ ହତ୍ୟା ଉଦ୍ୟମ ଏତଲା କୁ ଭିତ୍ତିକରି ଏହି ସମ୍ବେଦନଶୀଳ ଅଭିଯୋଗ ଘଟଣାର ସତ୍ୟାସତ୍ୟ ପୁଲିସ୍ ର ତଦନ୍ତ ପରେ ଜଣାପଡିବ । ଏହି ଘଟଣା ର ସବିଶେଷ ତଦନ୍ତ ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ସଚିବ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।