ମାଲ୍ୟବନ୍ତ ମହୋତ୍ସବକୁ ଆକର୍ଷଣୀୟ କଲା ପଥୋତ୍ସବ

ମାଲକାନଗିରି ଜିଲ୍ଲା ପ୍ରତିନିଧି(ଅସୀମ ବିଶ୍ୱାସ): ଜିଲ୍ଲାରେ ୨ଦିନ ଧରି ପାଳନ ହେଉଛି ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବ । ୩ଦିନ ଧରି ଚାଲୁଥିବା ଉତ୍ସବର ୩ୟ ତଥା ଶେଷ ଦିନରେ ଚଳିତ ବର୍ଷ ପଥୋତ୍ସବକୁ ଜଡିତ କରାଯାଇଛି ।

ଯାହା ମହୋତ୍ସବକୁ ବେଶ ଆକର୍ଷଣୀୟ କରିଥିଲା । ଆୟୋଜିତ ପଥୋତ୍ସବରେ ମାଲକାନଗିରି ବିଧାୟକ ମାନସ ମାଡକାମୀଙ୍କ ସହ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଏତଦବ୍ୟତୀତ ଅନ୍ୟ ପ୍ରମୁଖ ଅତିଥିଙ୍କ ମଧ୍ୟରେ ପିଡିଡିଆରଡିଏ ଲିଙ୍ଗରାଜ ପଣ୍ଡା, ଉପଜିଲ୍ଲାପାଳ ରାମେଶ୍ଵର ପ୍ରଧାନ ଓ ମାଲକାନଗିରି ସଂସ୍କୃତି ଅଧିକାରୀ ଗୁଣନିଧି ନାୟକ ଯୋଗ ଦେଇଥିଲେ ।

ପଥୋତ୍ସବରେ ଖାଲିଯେ ବିଧାୟକ, ନେତା ଓ ସରକାରୀ କର୍ମଚୀରୀ ଯୋଗ ଦେଇଥିଲେ ତାହା ନୁହେଁ, ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ । ଏହାସହ ଉତ୍ସବକୁ ବେଶ ଆକର୍ଷଣୀୟ କରିଥିଲା କୁନି କୁନି ପିଲାଙ୍କ ଦ୍ବାରା ଚିତ୍ରିତ ରଙ୍ଗୋଲୀ ଚିତ୍ର ଓ ସ୍କେଟିଂ ଖେଳ । ସହରର ବରିଷ୍ଠ ନାଗରିକମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ଖୁସି ମନାଇଥିଲେ | ଏଥିସହ ମାଲକାନଗିରି ପୌରପରିଷଦ ପକ୍ଷରୁ ସହରକୁ ସ୍ବଚ୍ଛ ରଖିବା ପାଇଁ ଦିଆଯାଇଥିବା ବାର୍ତ୍ତାରେ ସହରବାସୀ ପ୍ରଭାବିତ ହୋଇଥିଲେ । ଜିଲ୍ଲାପ୍ରଶାସନ ମାଲ୍ୟବନ୍ତ ମହୋତ୍ସବ ସହ ପଥୋତ୍ସବକୁ ସାମିଲ କରିଥିବାରୁ ଜିଲ୍ଲାବାସୀ ବେଶ ଖୁସି ଥିବାର ଦେଖିବାକୁ ମିଳିଥିଲା ।

Comments are closed.