ପିଲାଙ୍କ ପାଇଁ ଓମିକ୍ରନ୍‌ ଆଦୌ ବିପଦଜ୍ଜନକ ନୁହେଁ : ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ ଅଗ୍ରୱାଲ୍

0
173
ପିଲାଙ୍କ ପାଇଁ ଓମିକ୍ରନ୍‌

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୪/୦୨) : ପିଲାଙ୍କ ପାଇଁ ଓମିକ୍ରନ୍‌ ଆଦୌ ବିପଦଜ୍ଜନକ ନୁହେଁ । ବର୍ତ୍ତମାନ ସୁଦ୍ଧା ଓମିକ୍ରନ୍ ଦ୍ୱାରା କୌଣସି ପିଲା ଗୁରୁତର ହେବା ଘଟଣା ସାମ୍ନାକୁ ଆସିନାହିଁ । ଯଦି ବି କୌଣସି ପିଲା ସଂକ୍ରମିତ ହୋଇଛନ୍ତି, ସେମାନଙ୍କୁ ସାମାନ୍ୟ ଜ୍ୱର ହୋଇଛି ଏବଂ ସୁସ୍ଥ ମଧ୍ୟ ହୋଇଛନ୍ତି ।

ଓଟିଭି ନ୍ୟୁଜ୍‌ @୯ ବିତର୍କରେ ଭାଗ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ ଅଗ୍ରୱାଲ୍ ଏଭଳି ମତ ରଖିଛନ୍ତି । ଡାକ୍ତର ସୁନୀଲ ଅଗ୍ରୱାଲ୍ କହିଛନ୍ତି, ପିଲାଙ୍କ ପାଇଁ ଓମିକ୍ରନ୍‌ ଆଦୌ ବିପଦଜ୍ଜନକ ନୁହେଁ ଓ ଓମିକ୍ରନ୍‌ ଗୋଟିଏ ପିଲାଠୁ ଆଉ ଜଣେ ପିଲାକୁ ସଂକ୍ରମିତ କରିବାର ନଜିର ନାହିଁ । ଯେଉଁମାନେ ବି ସଂକ୍ରମିତ ହୋଇଛନ୍ତି, ୮୦ ରୁ ୯୫ ପ୍ରତିଶତଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାଇନି ବୋଲି ସେ କହିଛନ୍ତି । କାରଣ ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି ତଥା ଇମ୍ୟୁନିଟି ଶକ୍ତି ଯଥେଷ୍ଟ ଥାଏ । କେବଳ ସେତିକି ନୁହେଁ, ପିଲାଙ୍କ ପାଖରେ ବହୁବିଧ ରୋଗ ବି ନ ଥାଏ । ତେଣୁ କୌଣସି ଅଭିଭାବକ ଭୟଭୀତ ହୁଅନ୍ତୁନି ବୋଲି ଡାକ୍ତର ସୁନୀଲ ଅଗ୍ରୱାଲ୍ କହିଛନ୍ତି ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ସେ କହିଛନ୍ତି ଯେ, ୧୨ ରୁ ୧୫ ବର୍ଷ ର ପିଲାଙ୍କୁ ଆସନ୍ତା ମାସରୁ ଟିକାକରଣ କରାଯିବ । ଜାଇକୋଭ୍-ଡି ଟିକା ଏହି ବର୍ଗର ପିଲାଙ୍କୁ ଦିଆଯିବ । ଏନେଇ ପାଇଲଟ ପ୍ରୋଜେକ୍ଟରେ ୭ଟି ରାଜ୍ୟକୁ ଅନୁମତି ମିଳିଛି । ଓଡ଼ିଶାକୁ ବି ଖୁବଶୀଘ୍ର ଅନୁମତି ମିଳିବ ବୋଲି ଡାକ୍ତର ସୁନୀଲ ଅଗ୍ରୱାଲ୍ ସୂଚନା ଦେଇଛନ୍ତି ।

ସେହିପରି ICMR ଗାଇଡଲାଇନ୍ସ ଅନୁଯାୟୀ, ୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ମାସ୍କର କୌଣସି ଆବଶ୍ୟକ ନାହିଁ । ତେବେ ୫ ବର୍ଷରୁ ୧୨ ବର୍ଷ ପିଲା ଅଭିଭାବକଙ୍କ ତଦାରଖରେ ମାସ୍କ ପିନ୍ଧିବେ । ଅସ୍ୱସ୍ତିକର ଅନୁଭବ କଲେ ମାସ୍କ କାଢ଼ି ଦେଇପାରିବେ । ତେବେ ୧୨ ବର୍ଷରୁ ଅଧିକ ପିଲା ଭଲ ଭାବେ ମାସ୍କ ପିନ୍ଧିବା ଜରୁରୀ ବୋଲି ଡାକ୍ତର ସୁନୀଲ ଅଗ୍ରୱାଲ୍ ପରାମର୍ଶ ଦେଇଛନ୍ତି ।