୫୦ ବର୍ଷ ପୂରୁଣା ମାମଲାରେ ଆସିଲା ସୁପ୍ରିମକୋର୍ଟଙ୍କ ରାୟ

0
203
୫୦ ବର୍ଷ ପୂରୁଣା

ରିପୋର୍ଟ : ଆରୁଶ୍ରୀ //
ନୂଆଦିଲ୍ଲୀ, (୨/୨) : ସୁପ୍ରିମକୋର୍ଟ ଏକ ୫୦ ବର୍ଷ ପୂରୁଣା ମାମଲାରେ ରାୟ ଦେଇଛନ୍ତି । ହିନ୍ଦୁ ଭରଣ ପୋଷଣ ଆଇନରେ କୋର୍ଟ ଏହି ରାୟ ଦେଇଥିବା ବେଳେ କୌଣସି ହିନ୍ଦୁ ପୁରୁଷ ତାଙ୍କ ସ୍ୱଅର୍ଜିତ ସମ୍ପତ୍ତିରୁ ପତ୍ନୀଙ୍କ ଭରଣ ପୋଷଣ ନିମନ୍ତେ ଇଚ୍ଛାପତ୍ର ବା ୱିଲରେ କରିଥିବା ସୀମିତ ସମ୍ପତ୍ତି ର ପତ୍ନୀ ସର୍ବକାଳୀନ ମାଲିକ ନୁହନ୍ତି ବୋଲି କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଏସ.କେ. କୌଲ ଓ ଜଷ୍ଟିସ୍ ଏମ.ଏସ୍. ସୁନ୍ଦରେଶଙ୍କ ବେଞ୍ଚ ୫୦ ବର୍ଷ ପୂରୁଣା ମାମଲା ରେ ଏହି ରାୟ ଦେଇଛନ୍ତି । ଦୁଇ ସଦସୀୟ ବେଞ୍ଚ ମାମଲାରେ ପଞ୍ଚାବ ଓ ହରିୟାଣା ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି । ମାମଲା ର ବିବରଣୀ ଅନୁସାରେ ହରିୟାଣା ଜୁଣ୍ଡାଲ ଗ୍ରାମ ର ତୁଲସୀ ରାମ ୧୫ ଏପ୍ରିଲ ୧୯୬୮ରେ ଏକ ୱିଲ କରିଥିଲେ । ଯାହାର ବର୍ଷକ ପରେ ଅର୍ଥାତ ୧୭ ନଭେମ୍ବର ୧୯୬୯ ରେ ତାଙ୍କର ପରୋଲକ ହୋଇଥିଲା । ଏହି ୱିଲ ଅନୁସାରେ ତୁଲସୀରାମ ତାଙ୍କ ଅଚଳ ସମ୍ପତ୍ତିକୁ ତାଙ୍କ ପ୍ରଥମ ପତ୍ନୀଙ୍କ ପୁଅ ଓ ଦ୍ୱିତୀୟ ପତ୍ନୀଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ ।

ତେବେ ତାଙ୍କର ସମ୍ପତ୍ତି ଆବଣ୍ଟନରେ ମଧ୍ୟ ପାତର ଅନ୍ତର ଥିଲା । ଏଥିରେ ପୁଅକୁ ତାଙ୍କ ମୋଟ ସମ୍ପତ୍ତି ର ଅର୍ଦ୍ଧେକ ର ଅଧିକାର ଦେଇଥିବା ବେଳେ ପତ୍ନୀଙ୍କୁ ସୀମିତ ସମ୍ପତ୍ତି ଦେଇଥିଲେ । ଯେପରି ସେତିକି ସମ୍ପତ୍ତିରେ ତାଙ୍କ ଜୀବନବ୍ୟାପୀ ଭରଣପୋଷଣ ହୋଇଯିବ । ତେବେ ଏଥିରେ କୁହାଯାଇଥିଲା ଦ୍ୱିତୀୟ ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ସୀମିତ ସମ୍ପତ୍ତି ର ମାଲିକାନା ମଧ୍ୟ ପୁଅ ହାତକୁ ଚାଲିଯିବ । ଏଣୁ ତୁଲସୀ ରାମଙ୍କ ଦ୍ୱିତୀୟ ପତ୍ନୀ ରାମ ଦେବୀ ୱିଲ ଅନୁସାରେ ପାଇଥିବା ସମ୍ପତ୍ତିର ବିକ୍ରି ଅଥବା ହସ୍ତାନ୍ତରଣର ଅଧିକାରୀ ନ ଥିଲେ ।

ଏଣୁ ତାଙ୍କ ଠାରୁ ସମ୍ପତ୍ତି କ୍ରୟ କରି ଭୋଗ ଦଖଲ କରୁଥିବା ଲୋକେ ଏହି ସମ୍ପତ୍ତି ର ମାଲିକ ହୋଇପାରିବେନି ବୋଲି ସୁପ୍ରିମକୋର୍ଟ ସଫାସଫା ଶୁଣାଇଛନ୍ତି । ଏଣୁ ରାମ ଦେବୀଙ୍କ ଠାରୁ ସମ୍ପତ୍ତି କ୍ରୟ କରିଥିବା ଲୋକଙ୍କର ସେହି ସମ୍ପତ୍ତି ଉପରେ କୌଣସି ହକ ଅଥବା ଦାବି କରିପାରିବେନି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।