ଜୟପୁର-ନବରଙ୍ଗପୁର ରେଳପଥ ନିର୍ମାଣ କାର୍ଯ୍ୟ ପାଇଁ ଆଇନଜୀବୀ ସଂଘ କୁ ରେଳ ବିଭାଗର ପତ୍ର

0
242
ଜୟପୁର

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୦୨/୦୨) : କୋରାପୁଟ ଜିଲ୍ଲା ର ଜୟପୁର ଠାରୁ ବୋରିଗୁମ୍ମା ଦେଇ ନବରଙ୍ଗପୁର ପର୍ଯ୍ୟନ୍ତ ରେଳ ପଥ ସଂଯୋଗ ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ଦୀର୍ଘ ବର୍ଷ ଧରି ଦାବି ରହି ଆସିଛି । କେନ୍ଦ୍ର ସରକାର ଏଥିପାଇଁ ଅର୍ଥ ମଞ୍ଜୁର କରିଛନ୍ତି ।

କିନ୍ତୁ ଜମି ଅଧିଗ୍ରହଣରେ ବିଳମ୍ବ କାରଣରୁ ପ୍ରକଳ୍ପ କାର୍ଯ୍ୟ ଏ ଯାଏଁ ଆରମ୍ଭ ହୋଇପାରିନାହିଁ । ରେଳପଥ ନିର୍ମାଣ ହେଲେ କେବଳ କୋରାପୁଟ ଓ ନବରଙ୍ଗପୁର ନୁହେଁ, ସମଗ୍ର ଦକ୍ଷିଣ ଓଡ଼ିଶା ର ଉପାନ୍ତ ଅଞ୍ଚଳ ବାସୀ ଉପକୃତ ହେବେ । ହେଲେ ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ଗତ ଅଗଷ୍ଟ ମାସରେ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛି ।

୨୦୧୬-୧୭ ରେ ମଞ୍ଜୁର ହୋଇଥିବା ଜୟପୁର-ନବରଙ୍ଗପୁର ରେଳପଥ ର ନିର୍ମାଣ କାର୍ଯ୍ୟ ରାଜ୍ୟ ସରକାର ଜମି ଯୋଗାଇ ଦେବାପରେ ଆରମ୍ଭ ହେବ ବୋଲି ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ଶ୍ରୀ ରାମ ପ୍ରସାଦ ପାତ୍ରଙ୍କୁ ପୂର୍ବ ତଟ ରେଳ ପଥ ବିଭାଗ ର ଉପ ସଚିବ ୟୁ. କେ. ମିଶ୍ର ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହି ନୂଆ ରେଳପଥ ପ୍ରକଳ୍ପ ପାଇଁ ୪୧.୯୦ କି.ମି. ର ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇସାରିଛି ।

ଫେବୃଆରୀ/ମାର୍ଚ୍ଚ ୨୦୧୮ ରେ ସରକାରୀ, ବେସରକାରୀ ଓ ଜଙ୍ଗଲ ବିଭାଗ ଜମି ଯୋଗାଇ ଦେବାକୁ ରେଳ ବିଭାଗ ତରଫରୁ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଏହି ପତ୍ର ରେ ସୂଚନା ଦିଆଯାଇଛି । ଏଥିପାଇଁ ନବରଙ୍ଗପୁର ରେ ୨୧ ହେକ୍ଟର ସରକାରୀ, ୮୯ ହେକ୍ଟର ବେସରକାରୀ ଜମି ଓ କୋରାପୁଟ ଜିଲ୍ଲାରେ ୮୧ ହେକ୍ଟର ସରକାରୀ, ୧୨ ହେକ୍ଟର ଜଙ୍ଗଲ ଜମି ଓ ୨୪୮ ହେକ୍ଟର ବେସରକାରୀ ଜମି ଅଧିଗ୍ରହଣ ହେବ । ୭୪୮ କୋଟି ଟଙ୍କା ବ୍ୟୟ ଅଟକଳ ର ଏହି ନୂତନ ରେଳପଥ ପାଇଁ ୨୦୧୭ ମସିହାରେ ରେଳପଥ ବୋର୍ଡ ପ୍ରକଳ୍ପ ରିପୋର୍ଟ ଅନୁମୋଦନ କରିବାପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।

ଉକ୍ତ ଚୁକ୍ତିନାମା ଅନୁଯାୟୀ ରାଜ୍ୟ ସରକାର ଜମି ଯୋଗାଇ ଦେବାସହ ରେଳପଥ ନିର୍ମାଣ ଖର୍ଚ୍ଚ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହନ କରିବେ । ଏହି ରେଳପଥ ନିର୍ମାଣ ହେଲେ, ନବରଙ୍ଗପୁର ର ପୋଡାଲଗୁଡା ଠାରେ, କୋରାପୁଟ ଜିଲ୍ଲା ର ଜୟନ୍ତୀ ଗିରି, ବୋରିଗୁମ୍ମା ଓ କାଳିଆଗୁଡା ଠାରେ ରେଳ ଷ୍ଟେସନ ହେବ । ନବରଙ୍ଗପୁର ଜିଲ୍ଲା ର ୧୧ କି.ମି. ଓ କୋରାପୁଟ ଜିଲ୍ଲାର ୩୧ କି.ମି. ର ଏହି ରେଳପଥ ରେ ୨୭ ଟି ଲେଭେଲ କ୍ରସିଂ ଓ ଇନ୍ଦ୍ରାବତୀ ନଦୀ ଓ ପୁଟ୍ରା ନଦୀ ରେ ଦୁଇଟି ରେଳ ବ୍ରିଜ୍ ତିଆରି ହେବ ।

ନୂତନ ପ୍ରକଳ୍ପ ପାଇଁ ଦୀର୍ଘ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଜମି ଅଧିଗ୍ରହଣ କାର୍ଯ୍ୟ ଆଶାନୁରୂପ ଭାବେ ଆଗେଇ ପାରିନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମନ୍ୱୟ ରକ୍ଷାକରି ଏଥିପାଇଁ ତତ୍ପରତା ଦେଖାଇଲେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ଜିଲ୍ଲା ଆଇନଜୀବୀ ସଂଘ ତରଫରୁ କୁହାଯାଇଛି ।

ଫେବୃଆରୀ ୨୦୧୮ ରୁ ଜମି ଅଧିଗ୍ରହଣ ପାଇଁ ରେଳ ବିଭାଗ ତରଫରୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଜମି ଅଧିଗ୍ରହଣ କାହିଁକି ହୋଇପାରୁନାହିଁ, ଏହାର ସମୀକ୍ଷା କରି ତୁରନ୍ତ ଜମି ଯୋଗାଇ ଦେବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ସରକାର ଙ୍କ ନିକଟରେ ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଅନୁରୋଧ କରାଯାଇଛି ।