ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ ଶେଷ : ଆଜି ପ୍ରକାଶ ପାଇବ ଚୂଡାନ୍ତ ତାଲିକା

0
147
ପଞ୍ଚାୟତ ନିର୍ବାଚନ ପାଇଁ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୩/୦୧) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ ସରିଛି । ଆଜି ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ଏହାସହ ଆଜିଠୁ ହୋଇପାରିବ ନାମାଙ୍କନ ପ୍ରତ୍ୟାହାର ।

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି ଓ ୨୩ ରୁ ୨୫ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିହେବ । ୨୫ ତାରିଖ ଅପରାହ୍ନରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଏହାପରେ ଜଣାପଡ଼ିବ ନିର୍ବାଚନ ମଇଦାନକୁ କେତେ ପ୍ରାର୍ଥୀ ଓହ୍ଲାଇଲେ । ଏହିଠାରୁ ହିଁ ପ୍ରଚାର ଜୋର୍ ଧରିବ ।

ତେବେ ବହୁ ସ୍ଥାନରେ ୱାର୍ଡ ମେମ୍ବର ପ୍ରାର୍ଥୀମାନେ ଅପ୍ରତିଦ୍ଵନ୍ଦୀ ଅଛନ୍ତି । ରାଜ୍ୟରେ ୯୧ ହଜାର ୮୯୦ ଟି ୱାର୍ଡ ପାଇଁ ୧ ଲକ୍ଷ ୬୨ ହଜାର ୨୯୭ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୋଟ୍ ୱାର୍ଡ ସଂଖ୍ୟାକୁ ଦେଖିଲେ ଯଦି ପ୍ରତି ୱାର୍ଡରେ ଦୁଇ ଜଣ ପ୍ରାର୍ଥୀ ରହିଥାନ୍ତେ ତେବେ ୧ ଲକ୍ଷ ୮୩ ହଜାର ୭୮୦ ଜଣ ନାମାଙ୍କନ ପତ୍ର ଦାଖଲ କରିଥାନ୍ତେ । ହେଲେ ଏହାଠାରୁ ୨୧ ହଜାର ୪୮୩ ଜଣ କମ୍ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ବହୁ ସ୍ଥାନରେ ୱାର୍ଡ ମେମ୍ବର ପ୍ରାର୍ଥୀ ନିର୍ବାଚନ ପୂର୍ବରୁ ବିଜୟୀ ହେବେ । ଏଥର ବାଲେଶ୍ଵର ଜିଲ୍ଲାରେ ସର୍ବାଧିକ ୧୨ ହଜାର ୨୭୯ ଜଣ ୱାର୍ଡମେମ୍ବର ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ସେହିପରି ୬୭୯୪ ସରପଞ୍ଚ ପଦବି ପାଇଁ ମୋଟ୍ ୩୪,୬୧୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ମୟୂରଭଞ୍ଜରେ ସର୍ବାଧିକ ୨୫୦୦ ଜଣ ଅଛନ୍ତି । ସମିତି ସଭ୍ୟ ପାଇଁ ୨୮ ହଜାର ୧୫୩ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ମୟୂରଭଞ୍ଜରେ ସର୍ବାଧିକ ୨୧୨୬ ଜଣ ପ୍ରାର୍ଥୀ ଅଛନ୍ତି । କିନ୍ତୁ ଜିଲ୍ଲା ପରିଷଦ ପାଇଁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୬ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆବେଦନ ହୋଇଥିବା ପ୍ରାର୍ଥିପତ୍ର ସଂଖ୍ୟା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲା ସବୁଠୁ ଆଗରେ ଅଛି । ୨୫ ତାରିଖ ଦିନ ଜଣାପଡ଼ିବ କେଉଁଠି କେତେ ପ୍ରାର୍ଥୀଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ।