ସେପ୍ଟେମ୍ବର ସୁଦ୍ଧା ଦେଶରେ ପିଲାମାନଙ୍କ ପାଇଁ ଆରମ୍ଭ ହେବ ଟିକାକରଣ : ଡାକ୍ତର ରଣଦୀପ ଗୁଲେରିଆ

0
221

ରିପୋର୍ଟ : ସୁଭାସିସ ନାୟକ //
ନୂଆଦିଲ୍ଲୀ,(୨୪/୦୭) : କରୋନାର ତୃତୀୟ ଲହର ଆସିବାକୁ ଥିବା ବେଳେ ପିଲାମାନଙ୍କ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ପିଲାମାନଙ୍କ ନିମନ୍ତେ କୋଭିଡ୍ ଟିକାକରଣ ଆରମ୍ଭ ହୋଇପାରେ ବୋଲି ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି । ସଂକ୍ରମଣ ରୋକିବାରେ ଏହା ସହାୟକ ହେବ ବୋଲି ମଧ୍ୟ ସେ କହିଛନ୍ତି ।

ସେ କହିଛନ୍ତି, ପିଲାମାନଙ୍କ ପାଇଁ ଟିକା ପ୍ରସ୍ତୁତକାରୀ ସଂସ୍ଥା ‘ଜାଇଡସ୍’ ପରୀକ୍ଷା କରି ସାରି ଜରୁରୀକାଳୀନ ସ୍ୱୀକୃତିକୁ ଅପେକ୍ଷା କରିଛି । ଭାରତ ବାୟୋଟେକ୍ର କୋଭାକ୍ସିନ୍ ପରୀକ୍ଷା ଅଗଷ୍ଟ, ସେପ୍ଟେମ୍ବର ସୁଦ୍ଧା ଦେଶରେ ଶେଷ ହେବ । ସେତେବେଳକୁ ଆମେ ନିଶ୍ଚୟ ଅନୁମୋଦନ ପାଇଯିବୁ । ଆମେରିକାର ‘ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡ୍ମିନିଷ୍ଟ୍ରେସନ୍’ ଫାଇଜର ଟିକାକୁ ଅନୁମୋଦନ ଦେଇ ସାରିଛି । ସେପ୍ଟେମ୍ବର ସୁଦ୍ଧା ଆମେ ପିଲାଙ୍କୁ ଟିକା ଦେବା ଆରମ୍ଭ କରିବୁ ବୋଲି ଆଶା କରୁଛୁ ବୋଲି ସେ କହିଛନ୍ତି ।

କୋଭିଡ୍-୧୯ ଟିକା ପରୀକ୍ଷା ନିମନ୍ତେ ଜୁନ୍ ୭ ତାରିଖ ଦିନ ଦିଲ୍ଲୀ ଏମ୍ସ ୨ ରୁ ୧୭ ବର୍ଷିୟ ପିଲାଙ୍କୁ ଚୟନ କରିଥିଲା । ୨ ବର୍ଷ ବୟସ୍କ ପିଲାମାନଙ୍କ ଦେହରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କୋଭାକ୍ସିନ୍ ଟିକା ପରୀକ୍ଷା କରିବା ଲାଗି ମେ ୧୨ ତାରିଖ ଦିନ ‘ଡିସିଜିଆଇ’ ଭାରତ ବାୟୋଟେକ୍କୁ ଅନୁମତି ପ୍ରଦାନ କରିଥିଲେ । ୧୭୫ଜଣ ପିଲାଙ୍କ ଦେହରେ ଏହି ଟିକା ପରୀକ୍ଷା କରାଯାଇଛି । ଦ୍ୱିତୀୟ ଡୋଜ୍ ଦିଆଯିବା ପରେ ଏହି ପରୀକ୍ଷାର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ବାହାରିବ । ପରେ ଏହା ପିଲାମାନଙ୍କ ପାଇଁ କେତେ ନିରାପଦ ତାହା ସେଥିରୁ ସ୍ପଷ୍ଟ ହୋଇଯିବ ।