Friday, March 29, 2024

Top 5 This Week

Related Posts

ରାଜ୍ୟ କିଷାନ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୭/୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ନୂଆଁ ବଜାର ଚନ୍ଦ୍ରମା ସଭାଗୃହ ଠାରେ ରାଜ୍ୟ କିଷାନ କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।

ରାଜ୍ୟ କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ବୀରମହାରାଜପୁର ଏବଂ ଉଲୁଣ୍ଡା ବ୍ଲକ ର ୫ ଟି ମଣ୍ଡି କୁ ପରିଦର୍ଶନ କରିଥିଲେ । ମଣ୍ଡିରେ ଚାଷୀମାନେ କିପରି ଧାନ ବିକ୍ରୀ କରୁଛନ୍ତି ଓ ତାଙ୍କ ପାଇଁ କି ପ୍ରକାର ବ୍ୟବସ୍ଥା ରହିଛି ତାହା ତଦାରଖ କରାଯାଇଥିଲା ।

କଟନି ଛଟନି ନାଁରେ ଚାଷୀଙ୍କ ଠାରୁ କ୍ୱିଣ୍ଟାଲ ପ୍ରତି ୩ କେଜି ଧାନ କାଟୁଥିବା ସାମ୍ନା କୁ ଆସିଥିଲା । ମଣ୍ଡି ମାନଙ୍କରେ ମିଲ ମାଲିକ ମାନେ ଯାଇ ଧାନ ର ମାନ ନିର୍ଧାରଣ କରୁଛନ୍ତି । ମିଲ ମାଲିକ ମାନେ କେବଳ ମଣ୍ଡିରୁ ଧାନ ଉଠାଇବା କଥା ନିଜେ ଆର୍ଦ୍ରତା ପରୀକ୍ଷା କିପରି କରୁଛନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେହିପରି ଏସଏଚଜି ଗ୍ରୁପ ମାନଙ୍କ ଭିତ୍ତିଭୂମି ନ ଥିବା ସତ୍ତ୍ୱେ ସରକାର ସେମାନଙ୍କୁ ଧାନ କିଣିବା ପାଇଁ କେମିତି ଅଗ୍ରାଧିକାର ଦେଉଛନ୍ତି ବୋଲି କଡା ସମାଲୋଚନା କରାଯାଇଛି ।

ଚାଷୀ ମଣ୍ଡି କୁ ଧାନ ଆଣିଲେ ବସ୍ତା ର ମୂଲ୍ୟ କି ପରିବହନ ଖର୍ଚ୍ଚ ଦିଆଯାଉ ନ ଥିବା କହିଛନ୍ତି । ସେହିପରି ଟୋକନ ସମସ୍ୟା ମଧ୍ୟ ଦେଖା ଦେଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କେତେକ ଚାଷୀ ଙ୍କ ଟୋକାନ ଆସି ନ ଥିବା ବେଳେ ଗୋଟିଏ ମଣ୍ଡିରେ ଜଣେ ଚାଷୀ ଙ୍କ ୧୨ ଏକର ଜମି ର ୧୨ କ୍ୱିଣ୍ଟାଲ ଧାନ ବିକ୍ରୀ ପାଇଁ ଟୋକନ ଆସିଥିବା ନଜର କୁ ଆସିଛି । ଜିଲ୍ଲା ପ୍ରଶାସନ ଏବଂ ମିଲର୍ସ ଙ୍କ ମଧୁ ଚନ୍ଦ୍ରିକା ରେ ଏଭଳି ଦୁର୍ନୀତି ଚାଲିଛି ବୋଲି ବିଧାୟକ ଶ୍ରୀ ସାଲୁଜା ପ୍ରକାଶ କରିଛନ୍ତି ।

ଚାଷୀ ଙ୍କୁ ଏଭଳି ଶୋଷଣ ବନ୍ଦ କରିବା ଏବଂ ଚାଷୀ ଧାନ ସଠିକ ଭାବରେ କିଣାଯିବ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କ ପାଖରେ ଦାବି ଉପସ୍ଥାପନ କରାଯିବ ଯଦି ଆଗାମୀ ଦିନରେ ଚାଷୀ ଙ୍କ ସମସ୍ୟା ର ସୁଧାର କରା ନ ଯାଏ ତାହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି କିଷାନ ସେଲ ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ବିଦୁଭୂଷଣ ତ୍ରିପାଠୀ, ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡା, ଜିଲ୍ଲା କିଷାନ କଂଗ୍ରେସ ସଭାପତି ନରେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ସେଠୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ସ୍ଵପ୍ନେଶ୍ଵର ପୃଷ୍ଟି, ନରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Popular Articles