୧୨ ରୁ ୧୭ ବର୍ଷ ର ପିଲାଙ୍କୁ ଦିଆଯିବ ମଡର୍ଣ୍ଣା ଟିକା : ୟୁରୋପୀୟ ମେଡିସିନ୍ସ ଏଜେନ୍ସି

0
182

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଫ୍ରାନ୍ସ,ପ୍ୟାରିସ/ନୂଆଁଦିଲ୍ଲୀ,(୨୪/୦୭) : ମହମାରୀ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଭଲ ଖବର ସାମ୍ନାକୁ ଆସିଛି । ଏଣିକି ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକା ୧୨ ରୁ ୧୭ ବର୍ଷ ର ପିଲାମାନଙ୍କୁ ଦିଆଯିବ । ଏଥିପାଇଁ ଆଜି ୟୁରୋପୀୟ ମେଡିସିନ୍ସ ସଂସ୍ଥା ଅନୁମତି ପ୍ରଦାନ କରିଛି ।

ୟୁରୋପୀୟ ମେଡିସିନ୍ସ ଏଜେନ୍ସି ମଡର୍ଣ୍ଣାର ବ୍ରାଣ୍ଡ ନାଁ ନେଇ କହିଛି, ଯେଉଁଭଳି ଭାବେ ୧୮ ଓ ତା’ରୁ ଅଧିକ ବୟସ୍କଙ୍କୁ Spikevax ଟିକା ଦିଆଯାଉଥିଲା, ଏବେ ୧୨ ରୁ ୧୭ ବର୍ଷ ବୟସ୍କଙ୍କର ସମାନ ଭାବେ ଟିକାକରଣ କରାଯିବ । ସେମାନଙ୍କୁ ମଧ୍ୟ Spikevax ଦିଆଯିବ ।

ସମସ୍ତଙ୍କୁ ଟିକାର ଦୁଇଟି ଡୋଜ୍‌ ନେବାକୁ ପଡ଼ିବ । ପ୍ରଥମ ଡୋଜ୍‌ ନେବାର ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍‌ ନେବାକୁ ହେବ। ମେ’ ମାସରେ ଏଜେନ୍ସି ୧୨ରୁ ୧୭ ବର୍ଷୀୟଙ୍କ ପାଇଁ ଫାଇଜର-ବାୟୋନଟେକ୍‌ ପ୍ରସ୍ତୁତ କରିଥିବା କରୋନା ଟିକାକୁ ବ୍ୟବହାର କରିବାକୁ ଅନୁମତି ଦେଇଥିଲା ।

ଏବେ Spikevax ଦ୍ୱିତୀୟ ଟିକା ଭାବେ ୟୁରୋପୀୟ ଦେଶରେ ବ୍ୟବହାର ହେବ । ଅନୁମତି ଦେବା ପୂର୍ବରୁ Spikevax ଟିକାର ପରୀକ୍ଷା ୩,୭୩୨ ଜଣ ପିଲାଙ୍କୁ ନେଇ କରାଯାଇଥିଲା । ସମସ୍ତଙ୍କ ବୟସ ୧୨ରୁ ୧୭ ବର୍ଷ ମଧ୍ୟରେ ରହିଥିଲା । ଟ୍ରାଏଲ ରିପୋର୍ଟରେ ସକାରାତ୍ମକ ଫଳାଫଳ ଆସିବାରୁ ସଂସ୍ଥା ଏହାର ବ୍ୟବହାର ପାଇଁ ଅନୁମତି ଦେଇଛି ।

ପରୀକ୍ଷା ବେଳେ ଜଣାପଡ଼ିଛି ଯେ ୧୮ରୁ ଅଧିକ ବୟସ୍କଙ୍କ ଶରୀରରେ ଯେଉଁଭଳି ଭାବେ Spikevax ଟିକା ନେବା ପରେ ଆଣ୍ଟିବଡି ସୃଷ୍ଟି ହେଉଥିଲା, ଠିକ ଅନୁରୂପ ରୋଗ ପ୍ରତିରୋଧକ ଶକ୍ତି ୧୨ରୁ ୧୭ ବର୍ଷୀୟଙ୍କ ମଧ୍ୟରେ ସୃଷ୍ଟି ହେଉଛି ।