ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨/୧) : ବିନିକା ବ୍ଲକ କମିରା ଗ୍ରାମ ର ଚାଷୀ ଭ୍ରମର ମହାକୁର ଙ୍କ ୫ ଏକର ର ଧାନ ହାତୀ ଦଳି ନଷ୍ଟ କରିଥିବା ଅଭିଯୋଗ ହେଉଛି । ଦୀର୍ଘ ଏକମାସ ହେବ ୩୦ ଟିକିଆ ହାତୀପଲ ଉଲୁଣ୍ଡା ଅଞ୍ଚଳରୁ ଖାଦ୍ୟ ଅନ୍ୱେଷଣ ରେ ବିନିକା ଅଞ୍ଚଳକୁ ଚାଲିଆସି ବ୍ୟାପକ କ୍ଷତି ଘଟାଉଛନ୍ତି ।
ପ୍ରାୟ ତିନିଦିନ ହେବ ସିଂଘିଯୁବା ସଂରକ୍ଷିତ ଜଙ୍ଗଳ ରେ ହାତୀପଲ ଡେରାମାଡି ଅଞ୍ଚଳରେ ବହୁ ଧାନ ଫସଲ ନଷ୍ଟ କରିଛନ୍ତି । କମିରା ଗ୍ରାମର ଚାଷୀ ଭ୍ରମର ମହାକୁର ତାଙ୍କ ଖଳାରେ ପ୍ରାୟ ୫ ଏକର ଜମିର ଧାନ ଫସଲ ଗଛିତ ରଖିଥିଲେ । ଗତକାଲି ରାତିରେ ହାତୀପଲ ଆସି ତାଙ୍କ ଧାନ ହାତୀ ଦଳି ନଷ୍ଟ କରିଛନ୍ତି । ତାଙ୍କ କହିବା ଅନୁସାରେ ବସ୍ତାଭର୍ତି ଦୁଇଶହ ପ୍ୟାକେଟ ଧାନ, ଦୁଇଟି ଖରୀଧାନ ଏବଂ କେତେକ ଚୂନଧାନ ମାଡି ଦଳି ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଛନ୍ତି ।
ବହୁ କଷ୍ଟରେ ଧାର କରଜ କରି ରୋଗପୋକ ରୁ ଧାନ କୁ ରକ୍ଷାକରି ଅମଳ କରିଥିବା ବେଳେ ହାତୀପଲ ଆସି ସମ୍ପୂର୍ଣ୍ଣ ଧାନ କୁ ନଷ୍ଟ କରିଦେବେ ସେ ସ୍ୱପ୍ନରେ ବି ଭାବି ନ ଥିଲେ । ଅନ୍ୟପକ୍ଷରେ ତାଙ୍କର ପୁତ୍ର ବରଗଡ଼ ର ଏକ ଘରୋଇ ହସ୍ପିଟାଲ ରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ଧାନବିକ୍ରୀ କରି ଯାହା ପଇସା ହୋଇଥାନ୍ତା ତାଙ୍କ ପୁଅଙ୍କ ଚିକିତ୍ସା ରେ ଖର୍ଚ୍ଚ କରିଥାନ୍ତେ ବୋଲି ସେ ପ୍ରକାଶ କରିଛନ୍ତି । ଏବେ ଧାନସବୁ ନଷ୍ଟ ହୋଇଯିବା ପରେ କଣ କରିବେ ସେ ଭାବି ପାରୁନାହାନ୍ତି ।
ସେହିପରି ଉକ୍ତ ଗ୍ରାମର ପଲସ୍ତି ମହାକୁର ଙ୍କ ୧ ଏକର ନଡ଼ାଧାନ ହାତୀପଲ ନଷ୍ଟ କରିଥିବା ଜଣା ପଡିଛି । ବନବିଭାଗ କତୃପକ୍ଷ ଙ୍କ ଖାମଖିଆଲି କାର୍ଯ୍ୟକଳାପ ଯୋଗୁଁ ଏତେ ମାତ୍ରା ରେ କ୍ଷତି ହେଉଛି ବୋଲି ଅଭିଯୋଗ ହେଉଛି । ତେଣୁ ସରକାର ଉକ୍ତ ଚାଷୀ ଦ୍ୱୟ ଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି ।