ମରିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି: ନରସିଂହ

ଭୁବନେଶ୍ୱର ବ୍ୟୁରୋ : ମରିବା ପର୍ଯ୍ୟନ୍ତ ମୁଁ କଂଗ୍ରେସରେ ରହିବି । ଯେଉଁମାନେ ମୋର ଦଳବଦଳ ନେଇ ଅପପ୍ରଚାର କରୁଛନ୍ତି ସେମାନଙ୍କୁ ନିରାଶ ହେବାକୁ ପଡ଼ିବ । ନବୀନଙ୍କ ସହ ତାଙ୍କ ଲିଙ୍କ ନେଇ ବିଜେପିର ଅଭିଯୋଗ ଉପରେ ଏଭଳି ଜବାବ ରଖିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର ।

ଶ୍ରୀ ମିଶ୍ର କହିଲେ ଯେ, ସଂସଦୀୟ ପରମ୍ପରା ସଂପର୍କରେ ବିଜେପି ବିଧାୟକମାନେ ଜାଣନ୍ତି ନାହିଁ । ‘ଚୋର ମଚାଏ ସୋର’ ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି । କୌଣସି ଏକ ଜନସ୍ୱାର୍ଥ ସମ୍ବଳିତ ଦାବି ନେଇ ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରାଯାଇଥାଏ । କିନ୍ତୁ ଆଜି ଯେଉଁ ପ୍ରସଙ୍ଗରେ ବିଜେପି ବିଧାୟକମାନେ ହଟ୍ଟଗୋଳ କଲେ ତାହା ଆଦୌ ଶୋଭନୀୟ ନୁହେଁ । ବିଜେପିକୁ କଟାକ୍ଷ କରି ନରସିଂହ କହିଲେ ଯେ, ଗତ ସାଢେ଼ ୪ବର୍ଷ ମଧ୍ୟରେ ବିଜେପିର ଅସ୍ତିତ୍ୱ ରକ୍ଷା କଥା ମନେ ପଡ଼ିଲା । ବିଧାନସଭାରେ ବିରୋଧୀ ଦଳ ଭୂମିକା ଗ୍ରହଣ କରିବାରେ ବିଜେପି ବିଫଳ ହୋଇଥିବା ତାଙ୍କ ବିଧାୟକମାନେ ହୃଦବୋଧ କରିଛନ୍ତି । ପ୍ରତି ପ୍ରସଙ୍ଗରେ କଂଗ୍ରେସ କିଭଳି ଭାବେ ସରକାରଙ୍କୁ ଘେରିଛି ତାହା ବିଧାନସଭାର ପ୍ରୋସିଡିଙ୍ଗ ଦେଖିଲେ ସମସ୍ତେ ଜାଣିପାରିବେ । ଯେତେବେଳେ କେନ୍ଦ୍ର ବିରୋଧୀ ପ୍ରସଙ୍ଗ ଆସିଥାଏ ସେତେବେଳେ ବିଜେଡି ଓ କଂଗ୍ରେସର ମତ ପ୍ରାୟତଃ ସମାନ ଥାଏ । କିନ୍ତୁ ଯେତେବେଳେ ରାଜ୍ୟ ପ୍ରସଙ୍ଗ ଆସିଥାଏ ସେତେବେଳେ ବିଜେପି ଓ କଂଗ୍ରେସର ଆଭିମୁଖ୍ୟ ମଧ୍ୟ ସମାନ ରହିବା ସ୍ୱାଭାବିକ କଥା ।

ଓଡ଼ିଶାବାସୀ ଜାଣିଛନ୍ତି ବିଜେପି ଓ ବିଜେଡି ମଧ୍ୟରେ ସଲାକୁସ୍ତି ଚାଲିଛି । ସେମାନଙ୍କ ମଧ୍ୟରେ ଥିବା ଭିତିରି ବୁଝାମଣା ପଦାରେ ପଡ଼ିସାରିଛି । ଚିଟ୍ଫଣ୍ଡ ଦୁର୍ନୀତିରେ ଅନେକ ବିଜେଡି ନେତା ଥିଲେ ମଧ୍ୟ ସିବିଆଇ କାହିଁକି ପଦକ୍ଷେପ ଗ୍ରହଣ କରୁନାହିଁ ତାହା ରାଜ୍ୟବାସୀ ଜାଣିଛନ୍ତି । ଶାହା କମିଶନ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିବା ବେଳେ ବିଜେପି ଏ କ୍ଷେତ୍ରରେ କାହିଁକି ନିରବ ବୋଲି ମଧ୍ୟ ନରସିଂହ ପ୍ରଶ୍ନ କରିଛନ୍ତି । ଅତୀତରେ ବିଜେଡି ଓ ବିଜେପି ବିରୋଧ ଦଳ ନେତାଙ୍କୁ କୁହାଇଦେବୁ ନାହିଁ ବୋଲି ବିଧାନସଭାରେ କହିଥିଲେ । ବିଧାନସଭା ପରିସରରେ ବିରୋଧୀ ଦଳ ନେତାଙ୍କ କୁଶ ପୁତଳିକା ମଧ୍ୟ ଦାହ କରାଯାଇଥିଲା । ସେତେବେଳେ ବିଜେପି କେଉଁଠି ଥିଲା ବୋଲି ନରସିଂହ ପ୍ରଶ୍ନବାଣ ମାରିଛନ୍ତି | ସେ ଅନ୍ୟ ଦଳକୁ ଯିବେ କି ବୋଲି ପ୍ରଶ୍ନର ଉତ୍ତରରେ ନରସିଂହ କହିଲେ ଯେ, ୨୦୦୪ରୁ ସେ କଂଗ୍ରେସରେ ରହିଆସିଛନ୍ତି । ମରିବା ଯାଏଁ କଂଗ୍ରେସରେ ହିଁ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ।

Comments are closed.