ସଂସ୍କୃତିର ବାର୍ତ୍ତା ବାଣ୍ଟୁଥିବା ଲୋକକଳାର ଉତ୍ସବ ପରବ ଉଦଘାଟିତ -କୋରାପୁଟ

ଜୟପୁର (ସୌମ୍ୟରଂଜନ ସାହୁ): ସୁନ୍ଦର ଜିନିଷ ତିଆରି କରିବା ହେଉଛି ସଂସ୍କୃତି | ଆଉ ତାର ସମନ୍ୱୟ ହେଉଛି “ପରବ” | କୋରାପୁଟର ପରବ ଏହି ସଂସ୍କୃତିର ବାର୍ତ୍ତା ବାଣ୍ଟିବା ସହ ଏକତ୍ର ମଞ୍ଜି ବୁଣୁଛି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ |

କୋରାପୁଟ ସରକାରୀ କଲେଜ ପଡିଆରେ ଗତ ୧୬ତାରିଖ ଉଦଘାଟିତ ହୋଇଛି ରାଜ୍ୟ ସ୍ତରୀୟ ଲୋକ ଉତ୍ସବ ପରବ | ଏହାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉଦଘାଟନ କରିଥିଲେ | ଏହି ଅବସରରେ ଶ୍ରୀ ସାମଲ କହିଥିଲେ ଯେ ରାଜ୍ୟରେ ଯେତେସବୁ ପର୍ବ ପର୍ବାଣି ଅନୁଷ୍ଠିତ ହେଉଛି ସେଥିରୁ ପରବ ଅନ୍ୟତମ ଶ୍ରେଷ୍ଠ ଉତ୍ସବ | ଏଠାରେ କଳା ଓ ସଂସ୍କୃତିର ଅପୂର୍ବ ସମନ୍ୱୟ ଘଟିଥାଏ | ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ଶ୍ରୀ ପଟ୍ଟନୟକ କହିଥିଲେ ଯେ ପର୍ବ ପର୍ବାଣି ସାଧାରଣ ଜୀବନକୁ ରିଚାର୍ଜ କରି ନୂତନ ଶକ୍ତି ଦେଇଥାଏ | ଏହି ଉତ୍ସବ ଆମ ମାନଙ୍କୁ ଉତ୍ସାହ ଦେଇଥାଏ | ସାଧାରଣ ଲୋକମାନଙ୍କୁ ଏକାଠି ହେବାର ସୁଯୋଗ ଏମିତି ଉତ୍ସବ ମାଧ୍ୟମରେ ହିଁ ସମ୍ଭବ | ଆଉ ଲୋକେ ଏକାଠି ହେଲେ ବିକାଶ କୁ କେହି ଅଟକାଇ ପାରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ |

କୋରାପୁଟ ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ତଥା ସିନେ ତାରକା ଅନୁଭବ ମହାନ୍ତି ଓ କୋରାପୁଟ ସାଂସଦ ଝୀଂନ ହିକକା ଯୋଗ ଦେଇଥିଲେ | ଉଦଘାଟନୀ ସମାରୋହରେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପ୍ରଫୁଲ୍ଲ ପାଙ୍ଗି, ଲକ୍ଷ୍ମୀପୁର ବିଧାୟକ କୈଳାସ ଚନ୍ଦ୍ର କୁଲେସିକା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଭୁ ଯାନୀ, ସ୍ୱତନ୍ତ୍ର ବିକାଶ ପରିଷଦ ସଭାପତି କାମଳୁ ଯାନୀ, ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଈଶ୍ୱର ପାଣିଗ୍ରାହୀ, କ୍ରିଟ ଅଧ୍ୟକ୍ଷ ଅଶୋକ ପାଙ୍ଗି, ଅତିରିକ୍ତ ଜିଲ୍ଲାପାଳ ଦେବଇଁ ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଅବଦୁଲ ଏକତାର, ଜୟପୁର ପୌର ନିର୍ବାହୀ ଅଧିକାରୀ ଟି.ଏସ, ଏସଓଜି କମାଣ୍ଡାଣ୍ଟ ଆଶିଷ କୁମାର ପ୍ରମୁଖ ମଂଚାସୀନ ଥିଲେ |

Comments are closed.