ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବାଜପେୟୀଙ୍କ ଜୟନ୍ତୀ ପାଳିତ : ଅଟଳ ସମ୍ମାନ-୨୦୨୧ ପ୍ରଦାନ

0
149

ରିପୋର୍ଟ : ଦେବଦତ୍ତ ରଥ
ଭୁବନେଶ୍ୱର/ଭଦ୍ରକ, (୨୬/୧୨) : ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କର ୯୭ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଅଟଳ ଜୀ’ ଙ୍କ ଜନ୍ମ ଦିବସ (ଡିସେମ୍ବର ୨୫) ଆଜିର ଦିନଟିକୁ ସୁଶାସନ ଦିବସ ଭାବରେ ପାଳନ କରାଯାଉଛି ।

ଏହି ଅବସରରେ ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅଟଳ ଜୀ’ ଙ୍କ ଜନ୍ମ ଦିବସ ଅବସରରେ “ଅଟଳ ସମ୍ମାନ- ୨୦୨୧” ପ୍ରଦାନ କରାଯାଇଛି । ରାଜନୀତି ତଥା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାଜପା ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଉଛି । ଭଦ୍ରକ, କେଦାରପୁର ଅଞ୍ଚଳର ସରସ୍ୱତୀ ସେନାପତି ଙ୍କୁ ଚଳିତ ବର୍ଷ ପାଇଁ “ଅଟଳ ସମ୍ମାନ” ପ୍ରଦାନ କରାଯାଇଛି ।

ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ହରପ୍ରିୟା ସାହୁଙ୍କ ସଭାପତିତ୍ୱରେ ଭଦ୍ରକାଳୀ ମଣ୍ଡଳ ସ୍ଥିତ ଗ୍ରାମଦେବୀଙ୍କ ପରିସରରେ ଏଥି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜନୀତି ତଥା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସରସ୍ୱତୀ ସେନାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସରସ୍ୱତୀ ନିଜେ ଜଣେ ସ୍ୱାବଲମ୍ବୀ ମହିଳା ସହିତ ଆହୁରୀ କିଛି ମହିଳାଙ୍କୁ ମଧ୍ୟ ସେ ସ୍ୱାବଲମ୍ବୀ କରାଇ ପାରିଛନ୍ତି ।

ଏହି ଅବସରରେ ଅଧ୍ୟକ୍ଷା ହରପ୍ରିୟା ସାହୁ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ମହିଳା ମୋର୍ଚ୍ଚା ନଗର ସଭାନେତ୍ରୀ ପଦ୍ମିନୀ ଦ୍ୱିବେଦୀ , ଭଦ୍ରକାଳୀ ମଣ୍ଡଳ ସାଧାରଣ ସମ୍ପାଦିକା ରୁକ୍ମିଣୀ ଘଡ଼େଇ, ଜିଲ୍ଲା ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ସାହୁଙ୍କ ସମେତ ଶତାଧିକ ମହିଳା ଯୋଗ ଦେଇଥିଲେ । ମଣ୍ଡଳ ସଭାପତି ନାରାୟଣ ସେନାପତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।