ଗାଁକୁ ଫେରିଲା ଦାଦନ ଙ୍କ ଶବ-ଘରେ ଶୋକର ଛାୟା

ଗୋଳାମୁଣ୍ଡା (ଚିତ୍ତରଞନ ବାଗ): କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଦଶପୁର ଫାଣ୍ଡି ଅଧିନ ଚିଚିଆ ଗ୍ରାମର ଜଣେ ଦାଦନଙ୍କ ଶବ ଗାଁକୁ ଫେରିଛି ।

ମୃତ ଦାଦନ ଶ୍ରମିକ ଜଣକ ହେଲେ ଚିଚିଆ ଗ୍ରାମର ଶ୍ରୀଧର ହଂସ(୫୩) ସୂଚନା ମୁତାବକ ଶ୍ରୀଧର ହଂସ ଜଣେ ଅତି ଗରିବ ଶ୍ରେଣୀ ପରିବାରର ହୋଇଥିବା ବେଳେ ନିଜ ସ୍ତ୍ରୀ ସବିତା ହଂସ (୪୮) ଝିଅ ଜେମା ହଂସ(୧୮) ଓ ପୁଅ ଅଲେଖ ହଂସ (୧୫) ଙ୍କୁ ନେଇ ନିଜ ଗ୍ରାମରେ ଦିନ ମଜୁରିଆ ଭାବେ କାମକରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ଯେଉଁ ଦିନ ଗ୍ରାମରେ କିଛି କାମ ଧନ୍ଦା ମିଳୁ ନଥିଲା ସେଭଳି ପରିସ୍ଥିତିରେ ଘରେ ଚୁଲି ଜଳିବା ମଧ୍ୟ କଷ୍ଟ ହୋଇ ପଡ଼ିଥିଲା । ହେଲେ ଶ୍ରୀଧର ନିଜର ଝିଅକୁ ବୟସ ହୋଇଥିଲେ ମଧ୍ୟ ବାହା ଦେବାର ଅଣ୍ଟାରେ ବଲ ନଥିବା ବେଳେ ଘୋର ଆର୍ଥିକ ସଙ୍କଟ ଯୋଗୁ ସେ ଚିନ୍ତିତ ଥିଲେ । ଗ୍ରାମରେ ରହି ପେଟ ଚଳଣିକୁ କଷ୍ଟ ହେଉଛି ତେବେ ଝିଅର ବାହା କିପରି କରିବେ, ସେ ନେଇ ନିଜ ସ୍ତ୍ରୀ ପୁଅ ଝିଅକୁ ନେଇ ଗତ ମାସ ୩୦ ତାରିଖରେ ଆନ୍ଧ୍ରପ୍ରଦେଶକୁ ଇଟା ଗଢିବା ନିମନ୍ତେ ଦାଦନ ହୋଇ ଯାଇଥିଲେ । ଶ୍ରୀଧର ଭାବିଥିଲେ ଯେ ସେଠାରେ କିଛି ମାସ ପରିବାର ସହ ରହି କାମ କରି ଅର୍ଥ ଯୋଗାଡ଼ ପରେ ନିଜ ଝିଅକୁ ବାହା ଦେବେ।ହେଲେ ନିଜ ଭିଟା ମାଟି ଛାଡି ଯିବାର ସପ୍ତାହେ ନହେଉଣୁ ତାଙ୍କୁ ଗତକାଲି ୩ ତାରିଖ ଦିନ ହଠାତ ଜ୍ୱର ସହ ଝାଡା ହୋଇଥିଲା । ଶ୍ରୀଧରଙ୍କ ସ୍ବାସ୍ଥ୍ୟ ବସ୍ଥା ଗୁରୁତ୍ବର ହେବାରୁ ତାଙ୍କୁ ସେଠାରେ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନିଆ ଯାଇଥିଲା । ଚିକିତ୍ସା ପରେ ସ୍ବାସ୍ଥ୍ୟରେ ଟିକେ ସୁଧାର ଆସିଲା ପରେ ସେ ନିଜ ରୁମକୁ ଫେରିଥିଲେ ହେଲେ ଅପରାହ୍ନ ୫ଟା ସମୟରେ ଗତ କାଲି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଶ୍ରୀଧରଙ୍କ ଶବକୁ ନେଇ ପରିବାର ଲୋକେ ଆଜି ରବିବାର ଚିଚିଆ ଗ୍ରାମକୁ ୧୨ଟା ସମୟରେ ପହଁଚି ଥିବା ବେଳେ ତାଙ୍କର ଶବ ସତ୍କାର କରାଯାଇଛି । ହେଲେ ବର୍ତ୍ତମାନ ତାଙ୍କ ସ୍ତ୍ରୀଙ୍କ ଉପରେ ପରିବାରର ସମସ୍ତ ବୋଝ ପଡିଥିବା ବେଳେ ଶ୍ରୀଧରଙ୍କ ଦେହାନ୍ତ ପରେ ତାଙ୍କ ପରିବାର ଅସହାୟ ହୋଇ ପଡିଛି । ଏଭଳି ପରିସ୍ଥିତିରେ କଣ କରିବେ ସେନେଇ ପରିବାର ଲୋକଙ୍କୁ ଚାରିଦିଗ ଅନ୍ଧାର ଲାଗୁଥିବା ବେଳେ ସରକାରୀ ସହାୟତା ଲୋଡିଛନ୍ତି । ଏହି ଘଟଣା ପରେ ପରିବାର ସମ୍ପର୍କୀୟ ଓ ଗ୍ରାମରେ ଶୋକାକୁଳ ପରିବେଶ ଦେଖାଦେଇଛି ।

Comments are closed.