୭୦ ବର୍ଷୀୟ ଅସୁସ୍ଥ ବାପାଙ୍କୁ ଦୋଳାରେ ବୋହିଲେ ଦୁଇ ପୁଅ

ରାୟଗଡା, ଜ଼ିଲ୍ଲା ପ୍ରତିନିଧି(ଅମୁଲ୍ୟ ନିଶଙ୍କ): ଆମ୍ବୁଲାନ୍ସ ନ ଆସିବାରୁ ଅସୁସ୍ଥ ବାପାଙ୍କୁ ଦୁଇ ପୁଅ ୮କିଲୋମିଟର ଭାରରେ ବୋହିବା ଘଟଣା ରାୟଗଡା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଗତ ୧୭ତାରିଖ ପୁଣି ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଅସୁସ୍ଥ ବୃଦ୍ଧ ପିତାଙ୍କ ପାଇଁ ଦୁଇ ପୁତ୍ର ଶ୍ରବଣ କୁମାର ପାଲଟିଛନ୍ତି । ଆମ୍ବୁଲାନ୍ସ ନ ଆସିବାରୁ ଦୁଇ ପୁଅ ଅସୁସ୍ଥ ପିତାଙ୍କୁ ଭାରରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଅଂଚଳରେ ବାରମ୍ବାର ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉନଥିବା ଯୋଗୁଁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଜରୁରୀକାଳୀନ ପରିସ୍ଥିତିରେ ନିୟୋଜିତ ହେଉଥିବା ଆମ୍ବୁଲାନ୍ସ ବ୍ୟବସ୍ଥା ପ୍ରତି ଅଙ୍ଗୁଷ୍ଠି ନିର୍ଦ୍ଦେଶ କରିଛି । ଗତ ୨୬ତାରିଖ ରେ ଜଣେ ଅସୁସ୍ଥ ଡଙ୍ଗରିଆ ଯୁବକକୁ ପରମାଲି ଗ୍ରାମରୁ ଆଠ କିମି ବାଟ ଭାରରେ ବୋହି ଡାକ୍ତରଖାନାକୁ ଅଣାଯାଇଥିଲା । ୧୭ତାରିଖରେ ପୁଣି କଲ୍ୟାଣସିଂହପୁର ବ୍ଳକ ସଦର ପଞ୍ଚାୟତର ଘଗୁଡିମାଲ ଗ୍ରାମର ନଗବଂଶ ପୁରଣ(୭୦)ଙ୍କୁ ତାଙ୍କ ଦୁଇ ପୁଅ ଚିକିତ୍ସା ପାଇଁ ଭାର କରି ଡାକ୍ତରଖାନା ଆଣିଥିବା ଦେଖିବାକୁ ମିଳିଛି । ବୃଦ୍ଧ ନାଗବଂଶ ଗତ ୧୦ ଦିନ ଧରି ଜ୍ୱରରେ ପୀଡିତ ଥିବା ଯୋଗୁଁ ପରିବାର ଲୋକେ ବଜାରରୁ ଔଷଧ ଆଣି ଦେଇଥିଲେ । ତେବେ ଏଥିରେ କୌଣସି ସୁଧାର ଆସିନଥିଲା ଏବଂ ଗତକାଲି ରାତିରେ ଝାଡାବାନ୍ତି ହେବାରୁ ସକାଳୁ ଡାକ୍ତରଖାନା ଆଣିବା ପାଇଁ ଦୁଇ ପୁଅ ଯୋଜନା କରିଥିଲେ ।

ଗ୍ରାମର ଆଶା ଦିଦି ବିଶଲ୍ୟା ତେଜବଂଶଙ୍କୁ ଜଣାଇବା ସହ ଆମ୍ବୁଲାନ୍ସକୁ ଡକାଇବାକୁ ଅନୁରୋଧ କରିଥିଲେ । ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ନଆସିବାରୁ ଦୁଇ ପୁଅ ବାଧ୍ୟ ହୋଇ ଅସୁସ୍ଥ ପିତାଙ୍କୁ କମ୍ବଳରେ ଭାର କରି ବଦଦ୍ୱାର ସାହି ନିକଟସ୍ଥ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କେବଳ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ ଥିବାବେଳେ ସେଠାରେ ଥିବା ଭ୍ରାମ୍ୟମାଣ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ । ସେଠାରେ ମଧ୍ୟ ଆମ୍ବୁଲାନ୍ସ ନଥିବାରୁ ଦୁଇପୁଅ ପୁଣି ବାଧ୍ୟ ହୋଇ କଲ୍ୟାଣ ନଦୀ ଘାଟକୁ ବୋହି ଆଣିଥିଲେ । ନଦୀରେ ପାଣି କମ୍ ଥିବା ଏବଂ ସରକାରୀ ଡଙ୍ଗା ଚାଲୁ ନଥିବାରୁ ସ୍ଥାନୀୟ ମସ୍ୟଜୀବୀଙ୍କ ଦ୍ୱାରା ନିର୍ମିତ ଭେଳାରେ ନଦୀ ପାର ହୋଇ ଡାକ୍ତରଖାନାରେ ପହଞ୍ଚିଥିଲେ । ପରେ ଡାକ୍ତର ଚିନ୍ମୟୀ କୁମାର ଲିମା ବୃଦ୍ଧ ନଗବଂଶଙ୍କୁ ଚିକିତ୍ସା କରିଥିଲେ ।

କହିଲେ କୂଳକୁ ଲାଜ, ନକହିଲେ କୂଳ ଭାସି ଯାଉଛି । ଆଜ୍ଞା ହଁ ଇଏ ହେଉଛି ଆମ ସ୍ୱାସ୍ଥ୍ୟ ସେବାର କରୁଣ ପରିସ୍ଥିତି । ସରକାର ଯେତେ ଯାହା ଯୋଜନା କଲେ ମଧ୍ୟ ତାହା ଯେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ୧୦୮ ଆମ୍ବୁଲାନ୍ସ କୁହନ୍ତୁ କି ବାଇକ ଆମ୍ବୁଲାନ୍ସ ଲୋକଙ୍କ ସେବାରେ ନ ଲାଗି ଖତ ଖାଇବାରେ ଲାଗିଛି । ଏଭଳି ଘଟଣା ରାୟଗଡା ଜିଲ୍ଲାରେ ବାରମ୍ବାର ଘଟି ଚାଲୁଥିଲେ ବି ରାଜ୍ୟ ସରକାର ହୁଅନ୍ତୁ କି ଜିଲ୍ଲା ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ ନକରି ଘୋର ନିଦ୍ରାରେ ଶୋଇ ରହିଛି । ଶୀତତାପ ନିୟନ୍ତ୍ରିତ କୋଠରୀରେ ବସିଥିବା ଜିଲ୍ଲାପାଳଙ୍କ ପାଖରେ ପହଞ୍ଚି ପାରୁନାହିଁ ଏହି ଗରିବ ଖଟିଖିଆ ଲୋକଙ୍କ ଦୁଃଖ । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ଆମ୍ବୁଲାନ୍ସ ବ୍ୟବସ୍ଥାରେ ସୁଧାର ଆଣିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

Comments are closed.