ଇଡି ଜାଲରେ ଫଶିଲେ ଐଶ୍ୱର୍ଯ୍ୟା

0
190

ରିପୋର୍ଟ : ସୁଭାସିସ ନାୟକ
ମୁମ୍ବାଇ, (୨୧/୧୨) : ଇଡି ଜାଲରେ ଫଶିଲେ ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ l ପାନାମା ପେପର୍ସ ଲିକ୍‌ ମାମଲାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ୍‌ । ପାନାମା ପେପର୍ସ ଲିକ ଘଟଣାରେ ବଚ୍ଚନ ପରିବାରର ଚିନ୍ତା ବଢ଼ି ଚାଲିଛି ।

ଇଡି ଜାଲରେ ଫଶିଲେ ଐଶ୍ୱର୍ଯ୍ୟା, ଏହି ସମନ ର ଉତ୍ତର ଦେବା ପାଇଁ ଆଜି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଦିଲ୍ଲୀ ଇଡି ଅଫିସରେ ହାଜର ହୋଇଥା’ନ୍ତେ । ଦିଲ୍ଲୀ ର ଲୋକନାୟକ ଭବନରେ ସେ ହାଜର ହୋଇଥାନ୍ତେ । କିନ୍ତୁ ସେ ଆଜି ଇଡିରେ ହାଜର ହେବାକୁ ମନା କରିଦେଇଛ । ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇଛନ୍ତି । ତେବେ ଖୁବ୍‌ଶୀଘ୍ର ଇଡି ଐଶ୍ୱର୍ଯ୍ୟାଙ୍କୁ ପୁଣି ଏକ ନୂଆ ସମନ ପଠାଇବ ବୋଲି କହିଛି ।

ସୂଚନା ମୁତାବକ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପୂର୍ବରୁ ମଧ୍ୟ ଦୁଇଥର ଡକାଯାଇଥିଲା, କିନ୍ତୁ ଉଭୟ ଥର ସେ ନୋଟିସକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ । ପାନାମା ପେପର ଲିକ୍ ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳକୁ ସେ ଏହି ଅନୁରୋଧ କରିଥିଲେ । ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି ଚଳିତ ବର୍ଷ ନଭେମ୍ବର ୯ ରେ ଧାରା ୩୭ ଫେମା ଜରିଆରେ ସମନ କରିଥିଲା । ଏହି ସମନକୁ ମୁମ୍ବାଇ ସ୍ଥିତ ବଚ୍ଚନ ପରିବାରର ଘର `ପ୍ରତୀକ୍ଷା’କୁ ପଠାଇଥିଲା ଇଡି । ୧୫ ଦିନ ଭିତରେ ଏହି ସମନର ଜବାବ ଦେବାକୁ ମଧ୍ୟ କୁହାଯାଇଥିଲା । ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଇମେଲ ମାଧ୍ୟମରେ ଏହି ସମନର ଉତ୍ତର ଦେଇଥିବା ସୂଚନା ମିଳିଛି ।

ପାନାମା ପେପର୍ସ ଲିକ୍ ମାମଲାରେ ଏକ କମ୍ପାନୀର ଆଇନଗତ ଡକ୍ୟୁମେଣ୍ଟ୍ (ମୋସାକ୍ ଫୋନ୍ସେକା) ଲିକ୍ ହୋଇଥିଲା । ଏହି ଲିକ୍‌ ଘଟଣା ପରେ ୪୨୪ ଜଣ ଭାରତୀୟଙ୍କ ବିଦେଶୀ ବ୍ୟାଙ୍କରେ ଆକାଉଣ୍ଟ ଥିବା କଥା ସାମ୍ନାକୁ ଆସିଥିଲା । ଏଥିରେ କିଛି ରାଜନେତାଙ୍କ ସମେତ ବଡ ବଡ ଫିଲ୍ମ ଷ୍ଟାରଙ୍କ ନାଁ ମଧ୍ୟ ସାମିଲ ଥିଲା । ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ନାମ ମଧ୍ୟ ଏଥିରେ ସାମିଲ ଥିବା ନେଇ ଖୁଲାସା ହୋଇଥିଲା ।

ଏପରିକି ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ତା’ପରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏକ ମଲ୍ଟି ଏଜେନ୍ସି ଗ୍ରୁପ୍ (MAG) ଗଠନ କରିଥିଲେ । ଏଥି ମଧ୍ୟରେ CBDT, RBI, ED ଏବଂ FIU ସାମିଲ କରାଯାଇଥିଲା । MAG ସମସ୍ତ ନାଁର ଯାଂଚ କରି କଳା ଟଙ୍କାର ତଦନ୍ତ ପାଇଁ ଗଠିତ SIT ଏବଂ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଉଥିଲା । ପାନାମା ପେପର୍ସ ମାମଲାର ତଦନ୍ତ ସଂପର୍କରେ ଅନେକ ବଡ଼ ବଡ଼ ସେଲେବ୍ରିଟି ଜେରାର ସମ୍ମୁଖୀନ ହୋଇଛନ୍ତି ।

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ ଏକ ମାସ ପୂର୍ବରୁ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତାଙ୍କୁ ଏହି ମାମଲରେ ଇଡି ପଚରାଉଚରା କରିଥିଲା । ସୂଚନାନୁସାରେ, ମାମଲାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅମିତାଭ ବଚ୍ଚନଙ୍କୁ ମଧ୍ୟ ନୋଟିସ ପଠାଇପାରେ ।