ସିନିଅରଙ୍କ ନାଁ କହି ନ ପାରିବାରୁ ଇଞ୍ଜିନିଅରିଂ ଛାତ୍ରଙ୍କୁ ଆକ୍ରମଣ

0
144

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୮/୧୨) : ସିନିଅରଙ୍କ ନାଁ କହି ନ ପାରିବାରୁ ୬ ଜଣ ମିଳିତ ଭାବେ ଜଣେ ଇଞ୍ଜିନିଅରିଂ ଛାତ୍ର ଙ୍କୁ ଆକ୍ରମଣ କଲେ । ସିନିଅର ଛାତ୍ରଙ୍କ ନାଁ ଜାଣି ନ ଥିବାରୁ ଏପରି ଆକ୍ରମଣର ଶିକାର ହୋଇଛନ୍ତି ବୁର୍ଲା ଭିସୁଟରେ ଜଣେ ଇଞ୍ଜିନିଅରିଂ ଛାତ୍ର ।

ଏ ନେଇ ପୀଡ଼ିତ ଛାତ୍ରଙ୍କ ପକ୍ଷରୁ ବୁର୍ଲା ଥାନାରେ ଏତଲା ଦିଆଯାଇଛି । ଛାତ୍ରଙ୍କ ଏତଲା କୁ ଭିତ୍ତି କରି ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି । ସିନିଅରଙ୍କ ନାଁ କହି ନ ପାରିବାରୁ ଆକ୍ରମଣ ର ଶିକାର ହୋଇଥିବା ଦ୍ୱିତୀୟ ବର୍ଷ ଛାତ୍ର ଜଣକ ପ୍ରଡକସନ ଇଞ୍ଜିନିଅରିଂ ବିଭାଗ ର ଛାତ୍ର ମାନସ ସିଂ ବୋଲି ଜଣାଯାଇଛି ।

ଏ ନେଇ ଆକ୍ରମଣ ର ଶିକାର ହୋଇଥିବା ମାନସ ସିଂ କହିଛନ୍ତି, “ମୁଁ ରାତିରେ ମୋ ସାଙ୍ଗ ସହ କିରବା ଛକକୁ ଯାଇଥିଲି । ସେଠାରେ ୬ ଜଣ ସିନିଅର ଏକ ଦୋକାନରେ ବସିଥିଲେ । ସେମାନେ ମୋ ନାଁ ପଚାରିଥିଲେ । ଏହାପରେ ଆମ ନାଁ ଜାଣିଛୁ କି ବୋଲି ପଚାରିଲେ । ଜାଣି ନାହିଁ ବୋଲି କହିବାରୁ ମୋତେ ଗାଳିଗୁଲଜ କଲେ । ଆମେ ତୋ ସିନିଅର, ଆମ ନାଁ କିପରି ଜାଣିନୁ କହି ଧମକାଇବା ସହ ସାର୍ଟ ଟାଣିବାକୁ ଆରମ୍ଭ କଲେ । ଏହାପରେ ୬ ଜଣ ଯାକ ଏକ ସଙ୍ଗେ ମୋତେ ଆକ୍ରମଣ କଲେ । ସେମାନେ ନିଶାସକ୍ତ ଅବସ୍ଥାରେ ଥିଲେ” ।

ଏ ନେଇ ମାନସ ସିଂ ସମ୍ବଲପୁରରେ ରହୁଥିବା ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ଏ ନେଇ ପୀଡ଼ିତ ନିଜ ପରିବାର ସହ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ତେବେ ଘଟଣା ନେଇ ଭିସୁଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।