ଓଡିଶା ଆଦର୍ଶ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ଓ ଅନିୟମିତତା କୁ ନେଇ ଅଭିଭାବକ ଙ୍କ ଅଭିଯୋଗ

0
215

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୩/୧୨) : ବୌଦ୍ଧ ବ୍ଲକ୍ ତେତେଲେଙ୍ଗା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ରେ ନାନାଦି ସମସ୍ୟା ଓ ଅନିୟମିତତା ର ଅଭିଯୋଗ ବାରମ୍ବାର ହୋଇ ଆସୁଥିବା ବେଳେ ପ୍ରଶାସନିକ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି l

ତେତେଲେଙ୍ଗା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ପଦବୀ ବିଦ୍ୟାଳୟ ର ଆରମ୍ଭ ଦିନ ଠାରୁ ଖାଲି ପଡିଥିବା ବେଳେ ଶିକ୍ଷକ ହରେକୃଷ୍ଣ ବେହେରା ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ କାର୍ଯ୍ୟ ନିର୍ବାହ କରି ଆସୁଥିଲେ l ପ୍ରକାଶ ଥାଉକି ଓଡିଶା ଆଦର୍ଶ ବିଦ୍ୟାଳୟ ପତ୍ର ସଂଖ୍ୟା ୩୩୦୪/୧୨/୧୨/ ୨୦୧୯ ଅନୁଯାୟୀ ହରେକୃଷ୍ଣ ବେହେରା ପି. ଜି. ଟି. ଇଂରାଜୀ ଶିକ୍ଷକ ଭାବେ ନୂଆପଡ଼ା ଜିଲ୍ଲା ର ସିନାପାଲି ବ୍ଲକ୍ ଟିମନ ପୁର୍ ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ କରା ଯାଇଥିଲା l

ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗା ରୁ ନିୟମ ଅନୁଯାୟୀ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ କୌଣସି ଶିକ୍ଷକଙ୍କୁ ହସ୍ତାନ୍ତର ନ କରି ଟିମନ ପୁର୍ ଆଦର୍ଶ ବିଦ୍ୟାଳୟରେ ଯୋଗ ଦେଇଥିଲେ l ପରେ ଡିସେମ୍ବର୍ ମାସ ୨୩ ତାରିଖ ୨୦୧୯ ମସିହାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ର ନିର୍ଦ୍ଦେଶ କ୍ରମେ ସେ ପୁନର୍ବାର ଡେପୁଟେସନ ରେ ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟରେ ଯୋଗ ଦେଇ ଅଧ୍ୟକ୍ଷ ଭାବେ ଶ୍ରୀ ବେହେରା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଛନ୍ତି l

ଅପର ପକ୍ଷରେ ଆଦର୍ଶ ବିଦ୍ୟାଳୟ ସଂଗଠନ ପତ୍ର ସଂଖ୍ୟା ୩୩୪୫/୧୬/୧୦/ ୨୦୧୧ ଅନୁଯାୟୀ ଶ୍ରୀ ବେହେରାଙ୍କୁ ଟିମନ ପୁର୍ ଆଦର୍ଶ ବିଦ୍ୟାଳୟକୁ ସାତ ଦିନ ମଧ୍ୟରେ ପ୍ରତ୍ୟାବର୍ତ୍ତନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ସେହି ଆଦେଶ କୁ ଅବମାନାନା କରି ସେ ତେତେଲେଙ୍ଗା ବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ପଦବୀକୁ ଜାବୁଡ଼ି ଧରିଛନ୍ତି ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି l

ଏତଦ ବ୍ୟତୀତ ବିଦ୍ୟାଳୟର ବିଭିନ୍ନ ପାଣ୍ଠି ଓ ଅନୁଦାନ ବିନିଯୋଗରେ ଅନିୟମିତତା, କରୋନା ସମୟରେ ମଦ୍ଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ, ପୋଷାକ କିଣାରେ ଅନିୟମିତତା ଇତ୍ୟାଦି କରିଥିବାର ଅଭିଯୋଗ ଶ୍ରୀ ବେହେରାଙ୍କ ନାମରେ ଥିବା ସତ୍ତ୍ୱେ ସେ ଏଠାରୁ ରିଲିଭ ନ ହେବା ସମସ୍ତଙ୍କୁ ବିସ୍ମିତ କରିଛି l ଜିଲ୍ଲାପାଳ ମହୋଦୟ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ମହଲରେ ଦାବୀ ହେଉଛି l