Related Contents

ଗଣଦୁଷ୍କର୍ମ ପୀଡିତାଙ୍କୁ ଥାନାବାବୁଙ୍କ ବିଚିତ୍ର ନ୍ୟାୟ, ବିଡା ବିଡା ଟଙ୍କା ନିଅ କେସ୍ ଉଠାଅ

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ଦୀର୍ଘ ୪ ମାସ ପରେ ଥାନାକୁ ଆସିଲା ଗଣ ଦୁଷ୍କର୍ମ ମାମଲା । ପ୍ରଥମେ କେସ ରଖିବାକୁ ନାହିଁ ନାହିଁ କରୁଥିବା ପୋଲିସ ଶେଷରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏପରି ଏକ ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ସମଗ୍ର ମାଲକାନଗିରିରେ ।

ସମ୍ପୂର୍ଣ୍ଣ ଘଟଣା ଏହିପରି । ଥାନାକୁ ଯାଇ ନ୍ୟାୟ ନ ମିଳିବାରୁ ହାତ କାଟି ଆତ୍ମହତ୍ୟା କରିବାର ଉଦ୍ୟମ କରିଛନ୍ତି ମାଲକାନଗିରି ସଦରମହକୁମାର ଜଣେ ବିବାହିତ ମହିଳା । ଗତ ଚାରି ମାସ ତଳେ ମାଲକାନଗିରି ସହରର ୮-୯ ଜଣ ଯୁବକ ଏହି ବିବାହିତା ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ମହିଳାଙ୍କ ସ୍ବାମୀ ଘରେ ନ ଥିବାବେଳେ ତାଙ୍କର ଛୋଟ ପୁଅର ବେକରେ ଛୁରୀ ଲଗାଇ ତାଙ୍କ ସହ ଏହି ଯୁବକମାନେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା ।

ଏହି କଥା କାହାକୁ ଜଣାଇଲେ ଜୀବନରେ ମାରିଦେବା ଧମକ ମଧ୍ୟ ଦେଇଥିଲେ ଏହି ଯୁବକମାନେ । ଏହାସହ ଦୁଷ୍କର୍ମ ସମୟର ଫଟୋ ଉଠାଇ ଏହି ଯୁବକମାନେ ଦୀର୍ଘ ୪ ମାସ ଧରି ତାଙ୍କୁ ବ୍ଲାକମେଲ୍ କରୁଥିଲେ । ଶେଷରେ ବାଧ୍ୟ ହୋଇ ନିଜ ସ୍ବାମୀଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ୩ ଦିନ ତଳେ ସେମାନେ ମାଲକାନଗିରି ସଦର ଥାନାକୁ ଯାଇଥିଲେ । ହେଲେ ପୋଲିସ ସେମାନଙ୍କ ଠାରୁ ଲିଖିତ ଅଭିଯୋଗ ରଖିବା ପରେ ବି ଅଭିଯୁକ୍ତଙ୍କୁ ଡାକି ପଚରାଉଚୁରା କରି ଛାଡି ଦେଇଥିଲା । ଥାନାରେ ନ୍ୟାୟ ନ ମିଳିବାରୁ ମହିଳା ଜଣକ ଗତକାଲି ନିଜର ହାତ କାଟି ଆତ୍ମହତ୍ୟା କରିବାର ଉଦ୍ୟମ କରିଥିବାବେଳେ ସାହି ଲୋକେ ତୁରନ୍ତ ତାଙ୍କୁ ମାଲକାନଗିରି ସଦର ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ସୂଚନାଯୋଗ୍ୟ ଯେ ପ୍ରଥମେ ତିନି ଦିନ ତଳେ କେସ ରଖିବାକୁ ମନା କରୁଥିବା ପୋଲିସ ଶେଷରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମିତି କି ପ୍ରଥମେ ଥାନାକୁ ଯାଇଥିବା ଏହି ମହିଳାଙ୍କୁ ପୋଲିସ କେସ ଉଠାଇ ନେବା ଲାଗି ଅର୍ଥ ଯାଚିଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ମହିଳା ଜଣକ ଆତ୍ମହତ୍ୟା କରିବାର ଉଦ୍ୟମ କରିଥିବାବେଳେ ଶେଷରେ ପୋଲିସ ବାଧ୍ୟ ହୋଇ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୀଡିତାଙ୍କୁ ଉପଯୁକ୍ତ ନ୍ୟାୟ ନ ମିଳିଲେ ଏସ.ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ମହିଳାମାନେ ଆନ୍ଦୋଳନ କରିବେ ବୋଲି ମା’ ଘର ସଦସ୍ୟ କହିଛନ୍ତି । ଏହି ଘଟଣାରେ ପୋଲିସ ରାଜ କିରନ ଗୁପ୍ତା, ରାଜା ମଣ୍ଡଳ, ପି. ସାଗର, ଭିମସେନ ସଗଡିଆ, ଏ. ରାଜୁ, ମାଣିକ ବାଛାଡ ଓ ପ୍ରମୋଦ ଦୋରା ନାମକ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ହେଲେ ଗଣମାଧ୍ୟମକୁ କିଛି ବି କହିବାକୁ ମନା କରିଦେଇଛି ପୋଲିସ ।

Comments are closed.