ବାତ୍ୟା ର ରୂପ ନେଇପାରେ ଲଘୁଚାପ ! ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

0
182

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୮/୧୧) : ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ର ରୂପ ନେଇପାରେ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ଅଧିକାଂଶ ମଡେଲ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଛନ୍ତି ।

ବିଭିନ୍ନ ମଡେଲରୁ ଜଣାଯାଇଛି ଯେ, ବାତ୍ୟା ର ରୂପ ନେଇପାରେ ଲଘୁଚାପ । ଏହା ସ୍ୱଳ୍ପ ପ୍ରଭାବୀ ଛୋଟ ବାତ୍ୟା ହୋଇପାରେ । ତଥାପି ରାଜ୍ୟରେ ପ୍ରବଳ ବର୍ଷା କରାଇବ । ଏପରିକି ବାତ୍ୟା ନ ହେଲେ ମଧ୍ୟ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ସମ୍ଭାବ୍ୟ ବର୍ଷା ଯୋଗୁ ଧାନ ଅମଳକୁ ନେଇ ଚାଷୀ ଚିନ୍ତାରେ ପଡ଼ିଯାଇଛନ୍ତି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଥାଇଲାଣ୍ଡ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୨୯ ରେ ଅବତୀର୍ଣ୍ଣ ହେବ । କ୍ରମଶଃ ଘନୀଭୂତ ହୋଇ ଏହା ଅବପାତ ରୂପ ନେବ । ଜିଏଫଏସ୍‌ ମଡେଲ ଦର୍ଶାଇଛି, ଏହା ପୁଣି ଘନୀଭୂତ ହୋଇ ଡିସେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ରୂପ ନେବା ସମ୍ଭାବନା ଅଛି । ବାତ୍ୟା ହେଲେ ଏହାର ନାମ ରହିବ ‘ଜୋୱାଦ୍‌’ । ଚଳିତବର୍ଷ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଏହା ହେବ ପ୍ରଥମ ବାତ୍ୟା । ଏହି ସମ୍ଭାବ୍ୟ ବାତ୍ୟା କେନ୍ଦ୍ରରେ ବାୟୁର ଚାପ ୯୯୨ ମିଲିବାରକୁ ପହଞ୍ଚିପାରେ । ୩୦ ତାରିଖ ସୁଦ୍ଧା ଏ ବାବଦରେ ଚିତ୍ର ଅଧିକ ସ୍ପଷ୍ଟ ହେବ ।

ଡକ୍ଟର ପଶୁପାଳକ କହିଛନ୍ତି, ପ୍ରାଥମିକ ଆକଳନ ଅନୁଯାୟୀ ଏହା ଦକ୍ଷିଣ ଆନ୍ଧ୍ର ଉପକୂଳ କୁ ମୁହାଁଇବ । ତେବେ ଉତ୍ତର ଆନ୍ଧ୍ର ଉପକୂଳ କିମ୍ବା ଏହାର ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଓଡ଼ିଶା ଉପକୂଳକୁ ମୁହାଁଇବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ । ଗତ ୨ ଦିନ ଭିତରେ ମଡେଲ ଆକଳନ ବାରମ୍ବାର ବଦଳିଛି । ପ୍ରଥମେ ଆକଳନ କରାଗଲା ଯେ ଏହା ପୂରା ଦିଗ ବଦଳାଇ ଓଲଟା ଦିଗରେ ଗତି କରି ବାଂଲାଦେଶ ଓ ତା’ପରେ ଦିଗ ବଦଳାଇ ଓଡ଼ିଶାକୁ ମୁହାଁଇବ । ବର୍ତ୍ତମାନ ମଡେଲର ଆକଳନ କହୁଛି, ଏହା ଦକ୍ଷିଣ ଆନ୍ଧ୍ର ଉପକୂଳ କୁ ମୁହାଁଇବ । ଏବେଠାରୁ ସ୍ପଷ୍ଟ ଆକଳନ ସହଜ ନୁହେଁ ।

ଆନ୍ଧ୍ର ଉପକୂଳ ଛୁଇଁଲେ ମଧ୍ୟ ରାଜ୍ୟରେ ଏହାର ପ୍ରଭାବ ପଡ଼ିବା ସମ୍ଭାବା ଅଛି । ୩ ରୁ ପାଗ ବଦଳିବ । ୪ ତାରିଖ ପର୍ଯ୍ୟନ୍ତ ଦୁଇଦିନ ବର୍ଷା ହେବ । ପ୍ରାୟତଃ ସାରା ରାଜ୍ୟରେ ପାଗ ମେଘୁଆ ରହିବ । ଦକ୍ଷିଣ ଓଡ଼ିଶା ଉପକୂଳ ଓ ପାଖ ଜିଲ୍ଲାଗୁଡ଼ିକରେ ବର୍ଷା ହେବ । କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ସମ୍ଭାବନା ଅଛି ।