ଜନଗଣନା ପ୍ରସ୍ତୁତି ବିଷୟକ ପ୍ରଶିକ୍ଷଣ ଆରମ୍ଭ

0
184

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର, (୨୨/୧୧) : ଜନଗଣନାର ପ୍ରାରମ୍ଭିକ ପଦକ୍ଷେପ ସ୍ୱରୂପ ଆଜି ଭୁବନେଶ୍ୱର ମହାନଗର ନିଗମ (ବି ଏମ୍ ସି) ସଭାଗୃହରେ ଆରମ୍ଭ ହୋଇଛି ଜନଗଣନା ପ୍ରସ୍ତୁତି ବିଷୟକ ପ୍ରଶିକ୍ଷଣ ।

ଆଗକୁ ଆସୁଥିବା ଜନଗଣନା ବି ଏମ୍ ସି ଅଂଚଳରେ କିପରି ସୁରୁଖୁରୁରେ ହୋଇପାରିବ ସେଥିପାଇଁ ସରକାରଙ୍କ ନିଦେ୍ର୍ଧଶ ଅନୁସାରେ ଜନଗଣନା ପାଇଁ ସମୁଦାୟ ୮ ଜଣ ଚାର୍ଜ ଅଫିସରଙ୍କୁ ଚୟନ କରାଯାଇଛି ଏବଂ ଜନଗଣନାର ନିୟମାବଳୀ ମାନି ସମୟାନୁକ୍ରମେ ଆବଶ୍ୟକୀୟ ବୈଠକ, ପ୍ରଶିକ୍ଷଣ ଏବଂ କ୍ଷେତ୍ର କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇ ରହିବାକୁ ନିଦେ୍ର୍ଧଶ ଦେଇଛନ୍ତି କମିଶନର ସଂଜୟ କୁମାର ସିଂହ । ଏହି ଅନୁଯାୟୀ ଆଜି ୮ ଜଣ ଚାର୍ଜ ଅଫିସରଙ୍କ ସମେତ ଅମିନ, ସର୍ଭେ ଆସିଷ୍ଟାଂଟ୍ ଇତ୍ୟାଦିଙ୍କ ପାଇଁ ଆଜିର ବୈଠକରେ ସମୁଦାୟ ୫୦ ଜଣଙ୍କୁ ଜନଗଣନା ପ୍ରସ୍ତୁତି ବିଷୟକ ପ୍ରଶିକ୍ଷଣ କରାଯାଇଛି ।

ଜନଗଣନାର ପ୍ରାରମ୍ଭିକ କାର୍ଯ୍ୟ ସ୍ୱରୂପ ମହାନଗର ନିଗମାଂଚଳ କୁ କେତୋଟି ଏନୁମରେସନ୍ ବ୍ଲକ୍ରେ ବିଭକ୍ତ କରାଯିବ, ସର୍ଭେକ୍ଷଣ କିପରି କରାଯିବ ଏହାର ମାପକାଠି କିପରି ରହିବ, ତାହାର ନିଦେ୍ର୍ଧଶାବଳୀ କ’ଣ ରହିଛି ଏହି ବାବଦରେ ଆଲୋଚନା ପାଇଁ ଆମେ ଆଜିର ପ୍ରଶିକ୍ଷଣ ଆୟୋଜନ କରିଛୁ ବୋଲି କହିଛନ୍ତି ବୈଠକରେ ସଭାପତିତ୍ୱ କରୁଥିବା ବି ଏମ୍ ସି ର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

ଉପସ୍ଥିତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ ଜନଗଣନା ନିଦେ୍ର୍ଧଶାଳୟର ଡେ଼ପୁଟି ଡ଼ାଇରେକ୍ଟର ହାରାଧନ କର୍ମୀ ଯୋଗଦେଇ କହିଥିଲେ ଯେ, ଚଳିତ ଜନଗଣନାରେ ପୂର୍ବ ବର୍ଷ ଭଳି ଏନୁରେସସନ୍ ବ୍ଲକ୍ ସ୍ଥିରହେବ ଏବଂ ପ୍ରତ୍ୟେକ ଚାର୍ଜ ଅଫିସରଙ୍କ ଅଧିନରେ ଚାର୍ଜ ରେଜିଷ୍ଟର କରାଯିବ । ଏଥିପାଇଁ ଜନଗଣନା ବିଭାଗରୁ ବର୍ଦ୍ଧିତ ଜନସଂଖ୍ୟା ର ହାରାହାରି ହିସାବ ଆସିବା ପରେ ଗୋଟିଏ ୱାଡର଼୍ ବା ନିର୍ଦ୍ଧିଷ୍ଟ ଅଂଚଳରେ କେତୋଟି ଏନୁମରେସନ୍ ବ୍ଲକ୍ ହେବ ତାହା ସ୍ଥିର ହୋଇପାରିବ ଏବଂ ସର୍ବେକ୍ଷଣ ପାଇଁ, ହାଉସ୍ ଲିଷ୍ଟିଂ ଇତ୍ୟାଦି ପାଇଁ କେତେ ଜଣ ସହାୟକ ରହିବେ ତାହା ମଧ୍ୟ ସ୍ଥିରହେବ ।

ନଭେମ୍ବର ୩୦ ତାରିଖ ସୁଧା ଆମର ଚାର୍ଜ ରେଜିଷ୍ଟର କରାଯିବାକୁ ଧାର୍ଯ୍ୟ ହୋଇଛି । ଜନଗଣନା ନିଦେ୍ର୍ଧଶାଳୟରୁ ବର୍ଦ୍ଧିତ ଜନସଂଖ୍ୟାର ହାରାହାରି ହିସାବ ଏବଂ ନୂତନ ଭାବେ ଯୋଡ଼ି ହେବାକୁ ଥିବା ଅଂଚଳ ଗୁଡ଼ିକର ହିସାବକୁ ନେଇ କ୍ଷେତ୍ର ସର୍ବେକ୍ଷଣ ସମୟାନୁବର୍ତୀ ଭାବେ କରାଯିବ ବୋଲି କହିଛନ୍ତି ବି ଏମ୍ ସି ଜନଗଣନା ଦାୟିତ୍ୱରେ ଥିବା ଡେ଼ପୁଟି କମିଶନର ଶ୍ରୀମନ୍ତ ମିଶ୍ର । ଚଳିତ ବର୍ଷର ଚାର୍ଜ ଅଫିସରମାନେ ହେଲେ-ପୁରନ୍ଦର ନନ୍ଦ, କମଲ୍ଜିତ୍ ଦାସ୍, ପ୍ରମୋଦ କୁମାର ପୃଷ୍ଟି, ରବି ନାରାୟଣ ଜେଠୀ, ରମେଶ ଚନ୍ଦ୍ର ଜେନା, ଗାୟତ୍ରୀ ସାମନ୍ତରାୟ, କମଳାକାନ୍ତ ବେହେରା ଏବଂ ମହେନ୍ଦ୍ରନାଥ ବଢେଇ ।