ପବିତ୍ର ଶ୍ରାବଣର ଶେଷ ସୋମବାରରେ ନାଗ ବମରେ ଜଳାଭିଷେକ ସ୍ଥାନୀୟ ଶୈବପୀଠ ଗୁଡିକରେ କାଉଡ଼ିଆ ଓ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ

ଗୋଲାମୁଣ୍ଡା (ଚିତ୍ତ ରଞ୍ଜନ ବାଗ): ସାରା ଭାରତ ବର୍ଷରେ ଚଳିତ ବର୍ଷ ପବିତ୍ର ଶ୍ରାବଣ ମାସକୁ ନିଆରା ଭାବେ ପାଳନ କରିଥିବା ବେଳେ ଗତ କାଲି ବୋଲ ବମ ଭକ୍ତ ବା କାଉଡ଼ିଆଙ୍କର ଜଳାଭିଷେକ ଶେଷ ହୋଇ ଯାଇଛି।ଏହି ଅବସରରେ ମାସେ ପର୍ଯ୍ୟନ୍ତ ଚାଲିଥିବା ବୋଲ ବମ ଶେଷ ସୋମବାର ହୋଇଥିବା ହେତୁ ଗତ କାଲି ଶୈବ ପୀଠ ଗୁଡିକରେ ଜଳାଭିଷେକ ନିମନ୍ତେ କାଉଡ଼ିଆ ଭକ୍ତ ମାନଙ୍କ ସମେତ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ ଲାଗି ରହିଥିଲା।

ଏହି ଅବସରରେ କଲହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରେ ଥିବା ଅନେକ ସ୍ଥାନରେ କାଉଡ଼ିଆ ମାନେ ନାଗ ବମ ସାହାଯ୍ୟରେ ସ୍ଥାନୀୟ ଅଞ୍ଚଳରେ ଥିବା ନଦୀ ଜୋର ନାଳ ଗୁଡିକରୁ ଜଳ ଆଣି ନାଗ ବମ ସାହାଯ୍ୟରେ ୨ ରୁ ୩ କିମି ଗୁରୁଣ୍ଡି ଆସି ନିଜ ନିଜ ଅଞ୍ଚଳରେ ଥିବା ଶୈବ ପୀଠରେ ଜଳାଭିଷେକ କରିଥିଲେ। ବ୍ଲକରେ ଥିବା ମାନଝରୀ, ଡଙ୍ଗରି ଗୁଡ଼ା,କାନ୍ଦୁଲ ଡଙ୍ଗରି, ଖାଲିଆକାନି, ଚିଚିଆ ସମେତ ଅନେକ ଗ୍ରାମରୁ ୭୦୦ ରୁ ଅଧିକ କାଉଡ଼ିଆ ମାନେ ନାଗ ବମରେ ଜଳାଭିଷେକ କରିଥିବା ଦେଖିବାକୁ ମିଳିଥିଲା। ମୁଖ୍ୟ ରାସ୍ତା ଗୁଡିକରେ କାଉଡ଼ିଆ ମାନେ ନାଗ ବମରେ ଆସିଥିବାରୁ ସ୍ଥାନୀୟ ଲୋକେ ଆଵଶ୍ୟକୀୟ ସହାୟତା କରିଥିବା ବେଳେ ପୋଲିସ ତରଫରୁ କଡାକଡି ସୁରକ୍ଷା ପ୍ରଦାନ କରାଯାଇଥିଲା। ଦୀର୍ଘ ୪ ଘଣ୍ଟା ଧରି ବିଭିନ୍ନ ସ୍ଥାନରେ ରାସ୍ତା ଗୁଡିକରେ ସାଧାରଣ ଲୋକଙ୍କ ସହ ଯାନବାହନ ଚଳାଚଳ ବାଧା ପ୍ରାପ୍ତ ହେବା ଦେଖା ଦେଇଥିଲା। ପ୍ରତିଦିନ ଅପେକ୍ଷା ଗତକାଲି ଭୋର ସକାଳୁ ବ୍ଲକ ସ୍ଥିତ ସମସ୍ତ ପୀଠ ଗୁଡିକ ଖୋଲା ରହିଥିବା ବେଳେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମାନଝରି,ଗୋଳାମୁଣ୍ଡା, ଖାଲିଆକାନି, ବୃନ୍ଦା ବାହାଲ, ଚିଚିଆ, ଦଶପୁର, ଗଦଳା ଝରଣ, ଚପରିଆ, ମହାଳିଙ୍ଗ, କରଂଜକୋଟ ସମେତ ସମସ୍ତ ଶିବ ମନ୍ଦିରରେ କାଉଡ଼ିଆ ସମେତ ଭକ୍ତ ମାନଙ୍କ ପ୍ରବଳ ଭିଡ ଲାଗି ରହିଥିବା ବେଳେ ଏକ ନିଆରା ଭକ୍ତି ପୁତ ପରିବେଶ ଦେଖା ଦେଇଥିଲା। ଏହି ଅବସରରେ ମନ୍ଦିର ଗୁଡିକରେ ଦେବାଦୀ ଦେବ ମହାଦେବଙ୍କ ଅମୃତ ତୁଲ୍ୟ ଭୋଗ ପ୍ରଦାନ କରାଯାଇଥିବା ବେଳେ ଭକ୍ତ ମାନେ ଆନନ୍ଦରେ ଗ୍ରହଣ କରି ସନ୍ତୋଷ ଲାଭ କରିଥିଲେ।

Comments are closed.