Related Contents

ଆମ୍ବ ଟାକୁଆ ଖାଇ ଗୋଟିଏ ପରିବାରର ଦୁଇ ଜଣ ମୃତ ଓ ଦୁଇ ଗୁରୁତର

ଝରୀଗାଁ ( ତ୍ରିନାଥ ଧରୁଆ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ମାଇନାପଦର ଗାଁରେ ଆମ୍ବ ଟାକୁଆ ଖାଇ ଗୋଟିଏ ପରିବାରର ଦୁଇ ଜଣ ମୃତ ଓ ଦୁଇ ଗୁରୁତର । ସମସ୍ତେ ଆମ୍ବ ଟାକୁଆ ଖାଇ ଥିବାର ସୂଚନା ମିଳିଛି । ଗୁରୁତର ଦୁଇ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଜଣେ ଗାଁରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ନବରଙ୍ଗପୁର ଡାକ୍ତରଖାନାରେ ମୃତ୍ୟୁ ହୋଇଛି ।

ଝରିଗାଁ ବ୍ଲକ ଅନ୍ତର୍ଗତ ମାଇନାପଦର ଗ୍ରାମର ଡମ୍ବରୁ ସାନ୍ତାଙ୍କ ପରିବାର କିଛିଦିନ ପୂର୍ବେ ଆମ୍ବ ଟାକୁଆ ପିଠା ତିଆରି କରି ନିଜେ ଖାଇଥିଲେ ଓ ଗ୍ରାମର ଅନ୍ୟ ସାହିପଡିଶାରେ ଦେଇଥିଲେ । ହେଲେ ସେହିଦିନ କାହାକୁ କିଛି ହୋଇନଥିଲା । ହେଲେ ଗତ କାଲି ଡମ୍ବରୁ ସାନ୍ତାଙ୍କ ପରିବାରର ଚାରି ଜଣ ଦିନବେଳେ ଆମ୍ବ ଟାକୁଆ ବାସୀ ପିଠା ଖାଇ ଥିଲେ । ଏହା ପରେ ସନ୍ଧ୍ୟାରେ ଏମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାର ଲାଗିଲା । ପରେ ରାତି ଅଧାରେ ଡମ୍ବରୁ ସାନ୍ତା ସାନ ଝିଅ ନମୀତା ସାନ୍ତା ଅବସ୍ଥା ଗୁରୁତର ହୋଇ ଘରେ ହିଁ ମୃତ୍ୟୁ ବରଣ କରିଥିଲେ । ଏହା ପରେ ଅନ୍ୟ ତିନି ଜଣ ଡମ୍ବରୁ ସାନ୍ତାଙ୍କ ଦୁଇ ବୋହୁ ଓ ଛଅ ବର୍ଷର ନାତିକୁ ଟ୍ରାକ୍ଟର ଯୋଗେ ଝରିଗାଁ ଡାକ୍ତରାଖାନାକୁ ନେଇଥିଲେ । ସେଠାରେ ସେମାନକୁ ସାମାନ୍ୟା ଚିକିସ୍ଛା କରି ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ହେଲେ ଡମ୍ବରୁ ସାନ୍ତାଙ୍କ ବଡ ବୋହୁ ସୁଦମଣି ସାନ୍ତା ନବରଙ୍ଗପୁରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା । ଏହାପରେ ସାନ ବହୁ ପ୍ରମିଳା ସାନ୍ତା ଓ ଛଅ ବର୍ଷର ନାତି ପ୍ରକାଶ ସାନ୍ତା ଗୁରୁତର ଅବସ୍ଥାରେ ନବରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି |ଡାକ୍ତରଙ୍କ ସୂଚନା ଅନୁଯାୟୀ ପ୍ରକାଶଙ୍କ ଅବସ୍ଥା ସ୍ଥିର ଥିବା ବେଳେ ପ୍ରମିଳା ଗୁରୁତର ଅଛନ୍ତି । ଆଜି ସକାଳେ ଝରିଗାଁ ବିଡିଓ, ତହସିଲଦାର , ସିଡିପିଓ ଓ ଝରିଗାଁ ଚିକିତ୍ସା ଅଧିକାରୀ ଗାଁକୁ ଯାଇ ଘଟଣାର ତଦନ୍ତ କରିବାସହ ସେହି ପରିବାର ଖାଇଥିବା ଆମ୍ବ ଟାକୁଆକୁ ଜବତ କରିଥିଲେ ।ଏହା ପରେ ଝରିଗାଁ ପୋଲିସ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଝରିଗାଁ ଡାକ୍ତର ଖାନାକୁ ପଠାଇଥିଲେ |

Comments are closed.