ଖବର ପ୍ରକାଶ ପରେ ସାମ୍ବାଦିକଙ୍କୁ ହତ୍ୟାଧମକ, ଥାନାରେ ଅଭିଯୋଗ

0
44
ଖବର ପ୍ରକାଶ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୨୯/୦୯) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରେ ହେଉଥିବା ଅନିୟମିତତା ଓ ଦୁର୍ନୀତି ପାଇଁ କୋକସରା ବ୍ଳକ ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାଏ ।

ସେ’ ଆବାସ ଯୋଜନାର ଘୋଟାଲା ହେଉ କିମ୍ବା ମନରେଗା ଯୋଜନାରେ ଚଞ୍ଚକତା ନେଇ ଚର୍ଚ୍ଚାରେ ରହି ଆସିଛି । ଏସବୁକୁ ନେଇ ଅନେକ ସମୟରେ ରାଜନୈତିକ ଦଳ, ପଞ୍ଚାୟତବାସୀ ପକ୍ଷରୁ ବ୍ଳକ ଘେରାଉ ଏବଂ ଆନ୍ଦୋଳନ ମଧ୍ୟ ବିଗତ ଦିନରେ ହୋଇସାରିଛି । ଏବେ ମହିଳା ସରପଞ୍ଚ ମାନଙ୍କ ସ୍ବାମୀମାନେ ସରପଞ୍ଚଙ୍କ ପ୍ରତିନିଧି ବୋଲାଇ ହୋଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଓ ଆଲୋଚନାକୁ ନେଇ ଗତ ୨୬ ତାରିଖରେ ଏକ ଦୈନିକ ଖବରକାଗଜରେ ଏକ ଖବର ପ୍ରକାଶ ପାଇଥିଲା । ଏହା ପରେ ସଂପୃକ୍ତ ଖବରକାଗଜର ବ୍ଳକ ପ୍ରତିନିଧିଙ୍କୁ ସରପଞ୍ଚ ମାନଙ୍କ ସ୍ବାମୀ ମାନେ ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେବା ସହିତ ଆକ୍ରମଣ କରିଥିବା ନେଇ ଗୁରୁବାର ସାମ୍ବାଦିକ ଜଣକ କୋକସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ କୋକସରା ଥାନା ଅଧିକାରୀଣି ରନିତା ପ୍ରଧାନ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ୫ଜଣଙ୍କ ନାମରେ ମାମଲା ଦାଏର ହୋଇଥିବା ସୂଚନା ରହିଛି । ତେବେ ସତ୍ୟ ଖବର ପ୍ରକାଶପରେ ସାମ୍ବାଦିକଙ୍କୁ ଆକ୍ରମଣ ସହ ହତ୍ୟା ଧମକ ଦେବା ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଗଣ ମାଧ୍ୟମର କଣ୍ଠରୋଧ କରାଯିବା ପାଇଁ ଏହା ଏକ ଯୋଜନା ବୋଲି ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି ।