ଜନଜୀବନର ସମସ୍ୟାର ସମାଧାନ ଦାବିରେ ହିଞ୍ଜିଳିକାଟୁ ବ୍ଲକସ୍ତରୀୟ ଗଣବିକ୍ଷୋଭ

0
43
ଜନଜୀବନର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ/ହିଞ୍ଜିଳିକାଟୁ, (୨୬/୦୯) : ଜନଜୀବନର ଜ୍ୱଳନ୍ତ ସମସ୍ୟାର ସମାଧାନ ଦାବିରେ ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ ଗଣ ବିକ୍ଷୋଭWhatsApp Image 2023-09-26 at 18.59.54

ହିଞ୍ଜିଳିକାଟୁ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର, ନର୍ସ, ଡାକ୍ତରୀ ଉପକରଣ ଯୋଗାଇଦେବା ସହ ନିରାମୟରେ ୨୪ ଘଣ୍ଟିଆ ଔଷଧ ବିତରଣ ସେବା ଯୋଗାଇଦେବା, ହିଞ୍ଜିଳିକାଟୁର ଛକ ମାନଙ୍କରେ ଟ୍ରାଫିକ ସେଫ୍ଟି ମିରର ଲଗାଇବା, ପନିପରିବା ଗଛିତ ରଖିବା ପାଇଁ ଶୀତଳ ଭଣ୍ଡାର ନିର୍ମାଣ କରିବା, କୃଷକମାନଙ୍କୁ ସାର, ବିହନ, କୀଟନାଶକ ଔଷଧ ମାଗଣାରେ ଯୋଗାଇଦେବା, ଚାଷ ଜମିରେ ଜଳସେଚନର ସୁବନ୍ଦୋବସ୍ତ କରିବା, ହିଞ୍ଜିଳିକାଟୁରେ ଆତ୍ୟାଧୁନିକ ମଡେଲରେ ଏକ ପାଠାଗାର ନିର୍ମାଣ କରିବା, ମଶାର ପ୍ରାଦୁର୍ଭାବ ରୋକିବାକୁ ପଦକ୍ଷେପ ନେବା, ହିଞ୍ଜିଳିକାଟୁ ସହରରେ ଏକ ଅଡ଼ିଟୋରିୟମ ନିର୍ମାଣ କରିବା ।

ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମରେ ସଫେଇ କାର୍ଯ୍ୟ ନିୟମିତ ଭାବରେ କରିବା, ହିଞ୍ଜିଳିକାଟୁ ବ୍ଲକରେ ବନ୍ଦ ହୋଇଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ଖୋଲିବା ସହ ଶିକ୍ଷକ ଅଭାବରୁ ବନ୍ଦ ହେବାକୁ ବସିଥିବା ଦୁର୍ବନ୍ଧ, ସାହାପୁର, ମକରଝୋଳ, ସିକିରି ସ୍କୁଲରେ ତୁରନ୍ତ ଶିକ୍ଷକ ପଦବୀ ପୂରଣ କରିବା, ଶିକ୍ଷା ବିରୋଧୀ ଜାତୀୟ ଶିକ୍ଷ୍ୟା ନୀତି ୨୦୨୦ ଅବିଳମ୍ବେ ବାତିଲ କରିବା, ଅବିଳମ୍ବେ ଜଙ୍ଗଲ ଆଇନ ୨୦୨୩ ବାତିଲ କରିବା, ଅତ୍ୟାବଶ୍ୟକ ଜିନିଷପତ୍ରର ଦରବୃଦ୍ଧି ସମେତ ବିଜୁଳି ଦର ବୃଦ୍ଧି ରୋକିବା ପାଇଁ ବ୍ୟବସ୍ଥା କରିବା, ହିଞ୍ଜିଳିକାଟୁ କଲେଜରେ ସମସ୍ତ ଅଧ୍ୟାପକ ପଦବୀ ଏବଂ ଆନ୍ଦୋଳନରତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଆଦି ଦାବିରେ ଏକ ରାଲି ବାଇଁଚବଣିଆ ଛକ ଠାରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାସହ ଏକ ଦାବିପତ୍ର ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କରୋନା ସମୟରୁ ବହୁ ଜନସାଧାରଣ ଜୀବନ ଜୀବିକା ହରାଇବା ଫଳରେ ତାଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଆଜି ପର୍ଯ୍ୟନ୍ତ ସେହି ଆର୍ଥିକ ଦୂରାବସ୍ଥାରୁ ଜନସାଧାରଣ ନିସ୍ତାର ପାଇପାରିନାହାନ୍ତି । ଏହିଭଳି ଏକ ଘଡି ସନ୍ଧି ମୁହୂର୍ତ୍ତରେ ସରକାର ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପରିବର୍ତ୍ତେ ବୋଝ ଉପରେ ନଳିତା ବିଡା ସଦୃଶ ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ର, ପେଟ୍ରୋଲ, ଡିଜେଲ୍ , ରନ୍ଧନ ଗ୍ୟାସ, ଅତ୍ୟାବଶ୍ୟକ ଔଷଧ, ଶିଶୁ ଖାଦ୍ୟ ଆଦିର ଦର ବୃଦ୍ଧି କରିବାରେ ଲାଗିପଡିଛନ୍ତି । ଗୋଟିଏ ପରେ ଗୋଟିଏ କଳା ଆଇନ ପ୍ରଣୟନ କରି ଜନସାଧାରଣଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିଚାଲିଛନ୍ତି । ହିଞ୍ଜିଳିକାଟୁରେ ସରକାର ମେଡିକାଲ ପାଇଁ ବଡ଼ ବଡ଼ କୋଠା ନିର୍ମାଣ କରିଛନ୍ତି କିନ୍ତୁ ଆବଶ୍ୟକ ଡାକ୍ତର, ନର୍ସ, ଡାକ୍ତରୀ ଉପକରଣ ଆଦି ଅଭାବରୁ ଚିକିତ୍ସା କାର୍ଯ୍ୟରେ ଘୋର ବ୍ୟାଘାତ ଘଟୁଛି । ନିରାମୟରେ ୨୪ ଘଣ୍ଟା ଔଷଧ ବିତରଣ କରାଯାଉନାହିଁ । ହିଞ୍ଜିଳିକାଟୁ ଗଞ୍ଜାମ ଜିଲ୍ଲାର ଏକ Educational Hub ଭାବେ ପରିଚିତ ।

ପ୍ରତେକ ଦିନ ଶିକ୍ଷା ଅର୍ଜନ କରିବା ଉଦ୍ଦେଶ୍ୟରେ ହଜାର ହଜାର ଛାତ୍ରଛାତ୍ରୀ ଏଠାକୁ ଆସୁଛନ୍ତି ଅଥଚ ଏଠାରେ ଏକ ଉଚ୍ଚମାନର ଲାଇବ୍ରେରୀ ନିର୍ମାଣ ହୋଇପାରିଲା ନାହିଁ । ହିଞ୍ଜିଳିକାଟୁ ବ୍ଳକର ଶିକିରି, ସାହାପୁର, ଦୁର୍ବନ୍ଧ, ମକରଝୋଳ ଏହି ୪ଟି ହାଇସ୍କୁଲରେ ଶିକ୍ଷକ ଅଭାବ ହେତୁ ପଠନପାଠନ କାର୍ଯ୍ୟରେ ସମ୍ପୂର୍ଣ୍ଣ ବ୍ୟାଘାତ ଘଟୁଛି । ଏହି ବ୍ଲକ ଅନ୍ତର୍ଗତ ବନ୍ଦ ହୋଇଯାଇଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ଖୋଲିବା ପାଇଁ ବହୁବାର ସରକାର ନିକଟରେ ଦାବି ଉପସ୍ଥାପନ କରିବା ସତ୍ତ୍ୱେ ଆଜିପର୍ଯ୍ୟନ୍ତ ବିଦ୍ୟାଳୟ ନଖୋଲିବା ଫଳରେ ଗରିବ ଛାତ୍ରଛାତ୍ରୀ ପାଠ ପଢାରୁ ବଞ୍ଚିତ ହେଉଛନ୍ତି ।

ଏହି ବ୍ଲକ ଅନ୍ତର୍ଗତ ଅଧିକାଂଶ ଗାଁ’ର ଜନସାଧାରଣ ଚାଷ କାର୍ଯ୍ୟ ଉପରେ ନିର୍ଭର କରି ନିଜର ଜୀବିକା ନିର୍ବାହ କରୁଛନ୍ତି ଅଥଚ ବହୁବାର ଦାବି କରାଯିବା ପରେ ମଧ୍ୟ ଚାଷୀମାନଙ୍କ ପନିପରିବା ଏବଂ ଖାଦ୍ୟ ଶସ୍ୟକୁ ଗଚ୍ଛିତ କରି ରଖିବା ପାଇଁ ହିଞ୍ଜିଳିକାଟୁ ସହରରେ ଏକ ସ୍ବତନ୍ତ୍ର ଶୀତଳ ଭଣ୍ଡାର ନିର୍ମାଣ କରାଯାଇନାହିଁ । ଉପଯୁକ୍ତ ଟ୍ରାଫିକ ବ୍ୟବସ୍ଥା ନଥିବା ହେତୁ ଯାନବାହାନ ଦୁର୍ଘଟଣା ଘଟୁଛି । ଏହି ଭଳି ଅନେକ ସମସ୍ୟା ରହିଛି ତାର ସମାଧାନ ଆଜିପର୍ଯ୍ୟନ୍ତ ହୋଇପାରିନାହିଁ । ତେଣୁ ଉପର ଲିଖିତ ଦାବି ସମୂହ ଅବିଳମ୍ବେ ପୂରଣ କରିବା ପାଇଁ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି । ଆଜିକାର କାର୍ଯ୍ୟକ୍ରମରେ ନିମାଇଁ ଚରଣ ସାହୁ, ନାରାୟଣ ସାହୁ, ପପୁନ ସାହୁ, କାମରାଜ ସାହୁ, କିସାନ ସାହୁ, ଅନିଲ ସାହୁ, ସନ୍ତୋଷ ପଣ୍ଡା, ଶୁଭସ୍ମିତା ପାଣିଗ୍ରାହିଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।