ଇଡ଼ିତାଲ ଚିତ୍ରରେ ଝଲସିବ କଳାଗ୍ରାମ ରିଜିଂତାଲ

0
61
ଇଡ଼ିତାଲ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୪/୯) : ରାଜ୍ୟର ପୂର୍ବତଟ ପର୍ବତମାଳା ପାଦଦେଶରେ ବସବାସ କରୁଥିବା ପ୍ରମୁଖ ଆଦିମ ଜନଜାତି ଲାଞ୍ଜିଆ ସୌରାଙ୍କ ବିଘ୍ନ ନାଶ, ଗୃହ ଶାନ୍ତି ପାଇଁ କାନ୍ଥରେ ଚିତ୍ର ଆଙ୍କି ବିଭିନ୍ନ ଦେବା ଦେବୀଙ୍କ ସହ ପୂର୍ବ ପୁରୁଷଙ୍କୁ ପୂଜା କରୁଥିବା ଚିତ୍ର ପରମ୍ପରାକୁ ଇଡିତାଲ ନାମରେ ନାମିତ ।WhatsApp Image 2023-09-24 at 13.32.23

ଆଜି ସର୍ବ ବିଦିତ ଏହି ଚିତ୍ର କଳା ଜିଆଇ ଟ୍ୟାଗ ପାଇଁ ମନୋନୀତ ହୋଇ ପାରିଥିବାରୁ କଳା ଗ୍ରାମ ରିଂଜିତାଲ ଆଜି ଉତ୍ସବ ମୁଖର ହୋଇ ଉଠିଛି । ସେହିପରି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଓଡିଶା ଲଳିତ କଳା ଏକାଡେମୀର ସଚିବ ପଞ୍ଚନନ ସାମଲ ରାୟଗଡ ଜିଲ୍ଲାର ଗୁଣପୁର ଉପଖଣ୍ଡ ଅଧିନସ୍ଥ ଗୁଣପୁର ବ୍ଲକ ପୁଟାସିଂ ପଞ୍ଚାୟତର ରିଜିଂତାଲ ଓ ଆଖପାଖ ଅଞ୍ଜଳ ଗସ୍ତ କରି ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ତର୍ଜମା କରିଥିଲେ । ଶ୍ରୀ ସାମଲଙ୍କ ଗସ୍ତ ସମୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅନନ୍ତ ପାତ୍ର, ଇଡ଼ିତାଲ ଚିତ୍ର ଶିଳ୍ପୀ ବିର କିଶୋର ପ୍ରମୁଖ ଉପସ୍ଥିତ ରହି ଗ୍ରାମର ପ୍ରତ୍ୟେକ ଘରର ମୁଖ୍ୟ ଦ୍ୱାର ମୁହଁରେ ଚିତ୍ର ଅଙ୍କିବା ଓ ପ୍ରଦର୍ଶନୀ ଆୟୋଜନ କରିବା ନିମନ୍ତେ ଆଲୋଚନା କରିଥିଲେ ।

ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶ୍ବିନୀ ପାତ୍ର, ଲଳିତ କଳା ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ସତ୍ୟବ୍ରତ ସାହୁ, ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ପ୍ରମୁଖ ରିଜିଂତାଲ ଅଞ୍ଚଳ ଗସ୍ତ କରି ପ୍ରଦର୍ଶନୀ ଉଦଘାଟନ କରିବା ନେଇ ସଚିବ ସୂଚନା ଦେଇଥିଲେ ।

ଗ୍ରାମର ପ୍ରବେଶ ପଥରେ ଇଡିତାଲ କୁଟୀର ନିର୍ମାଣ, ଚିତ୍ରକଳାକୁ ଆହୁରି ଉନ୍ନତ ଧରଣର କରି ରାଜ୍ୟ ତଥା ଦେଶ ଓ ଦେଶ ବାହାରେ ଏହାର ଆଦୃତ କରିବା ପାଇଁ ସରକାର ଅଵଶ୍ୟକ ପଦକ୍ଷେପ ଗ୍ରହଣ କରୁଥିବା ସଚିବ ସୂଚନା ଦେଇଥିଲେ । ରିଜିଂତାଲ ଓ ଏହାର ଆଖପାଖ ଅଞ୍ଚଳର ୫୦ ରୁ ୬୦ ଜଣ କଳାକାର ଏହି କାର୍ଯ୍ୟରେ ନିୟୋଜିତ ହେବେ । ସେମାନଙ୍କ ତାଲିକା ଶୀଘ୍ର ପ୍ରସ୍ତୁତ କରି ବିଭାଗକୁ ପଠାଇବା ନିମନ୍ତେ ସଚିବ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।