କିଶୋରୀ ଦଳ ଯୋଗୁଁ ସ୍କୁଲକୁ ଫେରିଲା ମିନତୀ

0
50
କିଶୋରୀ ଦଳ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୦୬/୦୯) : ବ୍ଲକର ହଜାରିଡାଙ୍ଗ ଗ୍ରାମ ପଞ୍ଚାୟତର ଆଙ୍କୁଲପଦର୍ ଗ୍ରାମର ମିନତୀ ପିଡ଼ିକାକା କେବେ ଭାବିନଥିଲା ଯେ, ଅଧାରୁ ବନ୍ଦ ହୋଇଥିବା ତା ପାଠପଢା ପୁଣି ଥରେ ଆରମ୍ଭ ହୋଇପାରିବ! ସ୍କୁଲକୁ ଯିବାର ତା ସ୍ବପ୍ନ ପୁଣି ଥରେ ସତ ହୋଇଛି ।

ଆଜି ଯେତବେଳେ ମିନତୀ ପୁଣି ଥରେ ସ୍କୁଲକୁ ଫେରି ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଛି, ସାଙ୍ଗ ମାନଙ୍କ ସହିତ ସ୍କୁଲକୁ ଯାଉଛି, ସେତେବେଳେ ସେ ସବୁଠାରୁ ବେଶୀ ଧନ୍ୟବାଦ ଦେଉଛି ତାଙ୍କ ଗାଁ କିଶୋରୀ ଦଳକୁ ଓ ତାର ସଭ୍ୟମାନଙ୍କୁ । ମା ଓ ଚାରି ଭଉଣୀଙ୍କୁ ନେଇ ମିନତୀର ଗରିବ ପରିବାର । ବଡ କଷ୍ଟରେ ଚାଷବାସ ଓ ଦିନ ମଜୁରିରେ ପରିବାର ଚଲେ । ହଠାତ୍ ତା ବାପାଙ୍କର ଦେହାନ୍ତ ହୋଇଯିବାରୁ ମିନତୀର ସ୍କୁଲ ଅନିୟମିତ ହେବାକୁ ଲାଗିଲା । ବାପାଙ୍କ ପରେ ଘରେ ଟଙ୍କା ପଇସା ଅଭାବ ହେବାରୁ ଓ ମା’କୁ ଘର କାମରେ ସାହାଯ୍ୟ କରିବା ପାଇଁ ମିନତୀକୁ ସ୍କୁଲ ଛାଡ଼ିବାକୁ ପଡ଼ିଲା । ଯଦିଓ ମିନତୀକୁ ପାଠ ଛାଡ଼ିବା ଦିନ ବହୁତ୍ ଦୁଃଖ ହୋଇଥିଲା କିନ୍ତୁ ତା ମା’ ପାଖରେ ଆଉ କୌଣସି ଉପାୟ ନଥିଲା ।

ଇତି ମଧ୍ୟରେ ଲିଭିଙ୍ଗ ଫାର୍ମସ ଅନୁଷ୍ଠାନ ସହାୟତାରେ କିଶୋରୀ ମାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟି ଓ ନେତୃତ୍ଵ ବିକାଶ ନିମନ୍ତେ ବିଷମ କଟକ ବ୍ଲକର ଆଙ୍କୁଳପଦର ସମେତ କୋଡ଼ିଏଟି ଗ୍ରାମରେ କିଶୋରୀ ଦଳ ଗଠନ କରାଗଲା। ନିୟମିତ କିଶୋରୀ ଦଳ ସହିତ ପି.ଏଲ.ଏ. ବୈଠକ କରାଗଲା । ଏହି ବୈଠକ ଭିନ୍ନ ଭିନ୍ନ ମଜାଳିଆ ଢଙ୍ଗରେ ହେଉଥିବାରୁ କିଶୋରୀମାନେ ବହୁତ ଖୁସି ହେଲେ ଓ ନିଜ ଜୀବନ ବିଷୟରେ ବହୁତ କଥା ଶିଖିଲେ । ବୈଠକ ମାଧ୍ୟମରେ କିଶୋରୀମାନେ ନିଜ ପୁଷ୍ଟି ଓ ସ୍ବାସ୍ଥ୍ୟ ଜନିତ ସମସ୍ୟା ଚିହ୍ନଟ କରି ସମାଧାନ କରିବାକୁ ଅଣ୍ଟା ଭିଡ଼ିବା ସହିତ ସରକାରୀ ସୁବିଧା ସୁଯୋଗ ପ୍ରାପ୍ତି ପାଇଁ ବି ଦାବି କରୁଛନ୍ତି ।

ଏହି ବୈଠକ ଦ୍ଵାରା ଅନୁପ୍ରାଣିତ ହୋଇ ମିନତୀ ଅନୁଭବ କଲା ପାଠ ନପଢ଼ିଲେ ତା ଜୀବନ ନଷ୍ଟ ହୋଇଯିବ । ତେଣୁ ସେ ତା ମା’କୁ ପୁନଶ୍ଚ ପାଠ ପଢିବା ପାଇଁ କହିଲା । କିନ୍ତୁ ତା ମା ପ୍ରଥମେ ରାଜି ହେଲେନାହିଁ । ଶେଷରେ ମିନତୀ ନିଜର ପାଠପଢା ଆଗ୍ରହ କଥା କିଶୋରୀ ଦଳ ବୈଠକରେ କହିଲା ଓ କିଶୋରୀ ଦଳର ସଭ୍ୟମାନେ ସାଥୀ ହୋଇ ଯାଇ ମିନତୀର ମା’କୁ ବୁଝେଇଲେ । ମିନତୀର ମା ସବୁ ଶୁଣି ବୁଝିଲେ । ମିନତୀକୁ ଲେଲିବାଡି ସ୍କୁଲକୁ ନେଇ ଅଷ୍ଟମ ଶ୍ରେଣୀରେ ପୁନଶ୍ଚ ନାମ ଲେଖାଇଲେ । ଏବେ ମିନତୀ ନିୟମିତ ଭାବେ ସ୍କୁଲ ଯାଉଛି ଓ ସମୟ କାଢି ମା’କୁ ଘର କାମରେ ବି ସହଯୋଗ କରୁଛି ।

ଆଙ୍କୁଳପଦର୍ ଗ୍ରାମର କିଶୋରୀ ଦଳର ସଭ୍ୟ ମମିତା ହିକୋକା, ସୁଶାନ୍ତି କୁତ୍ରୁକା, କବିତା ପିଡ଼ିକାକା, ନୀଳାବତି କୁଟ୍ରୁକା କୁହନ୍ତି ଯେ ଆମେ ଆମ ଗାଁ’ରେ ଶପଥ ନେଇଛୁ, କେହି ଅଧାରୁ ପାଠ ଛାଡ଼ିବୁ ନାହିଁ କି କମ୍ ବୟସରେ ବିବାହ କରିବୁ ନାହିଁ । ଦଳ ହେବା ପରେ ଆମେ ବହୁତ୍ କଥା ଶିଖୁଛୁ ଓ ଆମ ଭିତରେ ଆତ୍ମବିଶ୍ବାସ ବୃଦ୍ଧି ପାଇଛି। କେବଳ ଆଙ୍କୁଲପଦର୍ ନୁହେଁ, ଅନ୍ୟ ଗାଁ’ରେ ବି କିଶୋରୀ ଦଳମାନେ ମଧ୍ୟ ଅନୁରୂପ ପଦକ୍ଷେପ ନେଉଛନ୍ତି ।